୭ ଜିଲ୍ଲାରେ ଖାତା ଖୋଲିପାରିଲାନି ବିଜେଡି । ଜିତିଲେନି ଜଣେ ବି ବିଧାୟକ । ବାଜି ମାରିନେଲା ବିଜେପି ।

4,139

କନକ ବ୍ୟୁରୋ: ୨ ବର୍ଷରେ ମୁଡ୍ ବଦଳାଇ ଦେଲେ ଜନତା । ପଞ୍ଚାୟତ ନିର୍ବାଚନ ବେଳେ ଯେଉଁଠି ଉଡୁଥିଲା ଶଙ୍ଖ ପାର୍ଟିର ପତାକା, ସେଠି ଏବେ ଉଡୁଛି ଗେରୁଆ ପତାକା । ରାଜ୍ୟର ୭ ଜିଲ୍ଲାରେ ବିଜେପି ଏକ ପ୍ରକାର କ୍ଲିନ୍ ସୁଇପ୍ କରିଛି । ଯେଉଁଠି ଲୋକସଭା ସହିତ ବିଧାନସଭା ଆସନରେ ଖାତା ଖୋଲିପାରିନି ବିଜେଡି । ମୟୂରଭଞ୍ଜ, କୋରାପୁଟ, ଢେଙ୍କାନାଳ, ରାୟଗଡା, ବୌଦ୍ଧ, ଢେଂକାନାଳ, ଝାରସୁଗୁଡା ଏବଂ ମାଲକାନଗିରିରେ ବିଜେଡିର ଏପରି ନୈରାଶ୍ୟଜନକ ପ୍ରଦର୍ଶନକୁ ନେଇ ସବୁଠି ଚର୍ଚ୍ଚା ।

ମୟୂରଭଞ୍ଜରେ ୯ଟି ବିଧାନସଭା ଆସନରେ ବିଜେପି ବିଜୟୀ ହୋଇଛି । ୨୦୧୯ରେ କିନ୍ତୁ ଏଠାରେ ବିଜେପି ୬ଟି ଏବଂ ବିଜେଡି ୩ଟି ଆସନରେ ବିଜୟୀ ହୋଇଥିଲା । ଢେଙ୍କାନାଳରେ ୪ ବିଧାନସଭାରେ ମଧ୍ୟ ବିଜେପି ଏଥର ବିଜୟୀ ହୋଇଛି । ସେହିପରି ମାଲକାନଗିରି ଜିଲ୍ଲାରେ ୨ଟି, ଝାରସୁଗୁଡାରେ ୨ଟି, ରାୟଗଡା ଜିଲ୍ଲାର ୩ଟି ଓ ବୌଦ୍ଧରେ ମଧ୍ୟ ବିଜେଡି ନେତା ଧୂଳି ଚାଟିଛନ୍ତି । ୨୦୨୨ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡି ବୃହତ ବିଜୟ ହାସଲ କରିଥିଲା । ମୋଟ ୮୫୧ ଜିଲ୍ଲା ପରିଷଦ ଜୋନରୁ ବିଜେଡି ୭୬୫ଟି ଜୋନରେ ବିଜୟୀ ହୋଇଥିଲା । ବିଜେପି ୪୨, କଂଗ୍ରେସ ୩୭ ଆସନରେ ଜିତିଥିବାବେଳେ ଅନ୍ୟ ଦଳ ଓ ସ୍ୱାଧୀନ ପ୍ରୀର୍ଥୀ ୭ଟି ଜୋନରେ ଜିତିଥିଲେ । କିନ୍ତୁ ଏବେ ସାରା ଓଡିଶାରେ ବିଜେପି ସର୍ବାଧିକ ଆସନରେ ବିଜୟୀ ହୋଇ ଏକ ନମ୍ବର ଦଳ ହୋଇଥିବାବେଳେ ବିଜେଡି ଦ୍ୱିତୀୟ ଦଳ ହୋଇଛି । ହେଲେ କୌଣସି ଲୋକସଭା ଆସନରେ ବିଜୟ ହାସଲ କରିପାରି ନାହିଁ ।