ଆଜି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା । ଶିଲ୍ପାଞ୍ଚଳ ମାନଙ୍କରେ ପୂଜା ମାହୋଲ

121

କନକ ବ୍ୟୁରୋ: ଦେବଶିଳ୍ପୀ ବିଶ୍ୱକର୍ମା ସମସ୍ତ ଶିଳ୍ପ ଓ ଶିଳ୍ପୀଙ୍କ କୁଳଦେବତା । ପୁରାଣମତରେ ସେ ଅଷ୍ଟମ ବସୁଦେବତା ପ୍ରଭାସଙ୍କ ଔରସରେ ଯୋଗସିଦ୍ଧାଙ୍କ ଗର୍ଭରୁ ଜନ୍ମଗ୍ରହଣ କରିଥିଲେ । ମତାନ୍ତରେ ପ୍ରଜାପିତା ବ୍ରହ୍ମାଙ୍କ ନାଭି କମଳରୁ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ଜନ୍ମ । ଚତୁର୍ଭୁଜ ବିଶ୍ୱକର୍ମା, ବାମ ଉପର ହାତରେ ବଟାଳି ଓ ବାମ ତଳ ହାତରେ ମାର୍ତ୍ତୁଲି, ଦକ୍ଷିଣ ଉପର ହାତରେ ଚକ୍ର ଓ ତଳ ହାତରେ ଆଶୀର୍ବାଦ କରୁଥିବାର ଦୃଷ୍ଟିଗୋଚର ହେଇଥାନ୍ତି । ଦିବ୍ୟ ବସ୍ତ୍ର ପରିହିତ ଗଳାରେ ରତ୍ନହାର, ଅନୁପମ ରତ୍ନଅଳଙ୍କାରରେ ବିଭୂଷିତ, କର୍ଣ୍ଣରେ ମକର କୁଣ୍ଡଳ । ସେ ଜ୍ଞାନ ଓ ଅବସ୍ଥାରେ ସମୃଦ୍ଧ ହୋଇଥିଲେ ମଧ୍ୟ କିଶୋର ପରି ପ୍ରତିଭାତ । ଅତ୍ୟନ୍ତ ସୁନ୍ଦର ତେଜସ୍ୱୀ କାମଦେବଙ୍କ ପରି କାନ୍ତିମାନ ଅଟନ୍ତି । ବିଶ୍ୱକର୍ମା ସକଳ ଶିଳ୍ପକଳାର ଜନକ । ବ୍ରହ୍ମାଙ୍କ ନିର୍ଦ୍ଦେଶରେ ବିଶ୍ୱକର୍ମା ସମଗ୍ର ସୃଷ୍ଟି ରଚନା କରିଥିଲେ । ଦେବତାମାନଙ୍କର ସମସ୍ତ ଶସ୍ତ୍ର ବିମାନ ଆଦି ଏହାଙ୍କଦ୍ୱାରା ବିନିର୍ମିତ । ସ୍ୱର୍ଗର ଅମରାବତୀ ହିଁ ତାଙ୍କ ନିର୍ମାଣର ଶ୍ରେଷ୍ଠ ନିଦର୍ଶନ ।

ମଣିଷର କାର୍ଯ୍ୟର ପାର୍ଥକ୍ୟରେ ଯେପରି ଜାତିର ସୃଷ୍ଟି ସେହିପରି ଭଗବାନଙ୍କୁ ନାନା ରୂପରେ କଳ୍ପନା କରାଯାଇଛି । ଯେତେବେଳେ ସୃଷ୍ଟି କରନ୍ତି ସେତେବେଳେ ସେ ବ୍ରହ୍ମା, ଯେତେବେଳେ ପାଳନ କରନ୍ତି ସେତେବେଳେ ବିଷ୍ଣୁ, ଯେତେବେଳେ ସଂହାର କରନ୍ତି ସେତେବେଳେ ସେ ରୁଦ୍ର ସେହିପରି ସେ ଯେତେବେଳେ ଶିଳ୍ପୀ ସେତେବେଳେ ସେ ବିଶ୍ୱକର୍ମା ବୋଲି ପରିଚିତ ହୁଅନ୍ତି ।

ବିଶ୍ୱକର୍ମା ଅନ୍ୟ ଅର୍ଥରେ ବିଶ୍ୱର ସୃଷ୍ଟିକର୍ତ୍ତା । ଅନନ୍ତଶାୟୀ ନାରାୟଣଙ୍କ ନାଭିକମଳରୁ ଉତ୍ପନ୍ନ ହୋଇଥିବା ତ୍ରିକାଳଦର୍ଶୀ ବ୍ରହ୍ମା ହେଉଛନ୍ତି ସୃଷ୍ଟିକର୍ତ୍ତା । ଏଣୁ ବିଶ୍ୱକର୍ମାଙ୍କୁ ବ୍ରହ୍ମାରୂପେ କଳ୍ପନା କରି ପୂଜା କରାଯାଏ ।