ମହାନଦୀ ବୁଝାମଣା ବିପକ୍ଷରେ ବିଜୟ ମହାପାତ୍ର : କହିଲେ, ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନ ଏକ ମାତ୍ର ରାସ୍ତା

45

କନକ ବ୍ୟୁରୋ : ମହାନଦୀ ବୁଝାମଣା କମିଟିକୁ ନାପସନ୍ଦ କରିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ଏପରିକି ସିଡବ୍ଲୁସି ଓ କେନ୍ଦ୍ର ଜଳ ସଂପଦ ବିଭାଗ ବିରୋଧରେ ବର୍ଷିଛନ୍ତି ବିଜୟ କହିଛନ୍ତି, ଜଳ ସଂପଦ ବିଭାଗରେ କିଛି କର୍ମକର୍ତା ଓଡିଶା ସ୍ୱାର୍ଥ ବିରୋଧୀ । ମହାନଦୀ ଉପର ମୁଣ୍ଡରେ ଛତିଶଗଡ ସରକାର ଚଳାଇଥିବା ନିର୍ମାଣ କାମକୁ ତୁରନ୍ତ ବନ୍ଦ କରିବା ନେଇ ଓଡିଶା ସରକାରଙ୍କ ଦାବି ଯୁକ୍ତିଯୁକ୍ତ । ତେବେ ବୁଝାମଣା କମିଟି କାହିଁକି ଗଠନ କରାଯାଉଛି ବୁଝା ପଡୁନାହିଁ ବୋଲି କହିଛନ୍ତି ବିଜୟ ।

ମହାନଦୀ ବିବାଦର ସମାଧାନ ପାଇଁ ଟ୍ରିବୁନାଲ ଗଠନ ହିଁ ଏକମାତ୍ର ରାସ୍ତା ବୋଲି ସେ କହିଛନ୍ତି । ଏଥିସହ ବୁଝାମଣା କମିଟି ବୈଠକରେ ମହାରାଷ୍ଟ୍ର ଓ ଝଡଖଣ୍ଡକୁ ସାମିଲ କରାଯିବା ଉପରେ ସେ ଆପତି କରିଛନ୍ତି । ପୂର୍ବରୁ ଆଲୋଚନାବେଳେ ଏମାନଙ୍କୁ ଡକାଯାଇ ନ’ଥିବାବେଳେ ଏବେ ଏହି ଦୁଇ ରାଜ୍ୟକୁ ସାମିଲ କରିବା ନିଷ୍ପତି ମହାନଦୀ ବିବାଦକୁ ଅଧିକ ଜଟିଳ କରିବ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି ।

ଏପଟେ ବିଜେଡି, ବୁଝାମଣା କମିଟିକୁ ସ୍ୱାଗତ କରିଥିଲେ ମଧ୍ୟ କେବଳ ପଂଚାୟତ ନିର୍ବାଚନରେ ରାଜନୀତି କରିବାକୁ ବିଜେପି ଏପରି କରୁଥିବା ଅଭିଯୋଗ କରିଛି । ପୂର୍ବରୁ ଦୁଇଦୁଇ ଥର କେନ୍ଦ୍ର ଜଳସଂପଦ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିବା ବେଳେ ସମାଧାନର ବାଟ ବାହାରି ପାରିନ’ଥିଲା । କେନ୍ଦ୍ର ସରକାର ଜାଣିଶୁଣି ସମୟ ଗଡାଇବାକୁ ଏହା କରିଛନ୍ତି ବୋଲି କହିଥିଲେ ବିଜେଡି ମୁଖପାତ୍ର ପ୍ରତାପ ଦେବ ।