ବାଲେଶ୍ୱରରୁ ବକ୍ସର, ବିଜୟନଗରମରୁ ଫତେଗଡ ସାହିବ । ଗୋଟିଏ ବର୍ଷ ଭିତରେ ଏହି ସବୁ ଟ୍ରେନ୍ ଦୁର୍ଘଟଣା ଦେଖିଲାଣି ଦେଶ…

1,174

କନକ ବ୍ୟୁରୋ: ପଶ୍ଚିମବଙ୍ଗର ନିଉ ଜଲପାଇଗୁଡିରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା । ଗୋଟିଏ ମାଲବାହୀ ଟ୍ରେନ୍ କାଞ୍ଚନଜଙ୍ଗା ଏକ୍ସପ୍ରେସକୁ ପଛପଟୁ ଧକ୍କା ଦେବାରୁ ଏହି ବଡ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ କାଞ୍ଚନଜଙ୍ଗା ଏକ୍ସପ୍ରେସର କିଛି ବଗି ଲାଇନଚ୍ୟୁତ୍ ହେଇଛି । ତେବେ ୨୦୨୪ରେ ଦେଶ ଦେଖିଛି ଗୋଟିଏ ପରେ ଗୋଟିଏ ବଡ ଟ୍ରେନ୍ ଦୁର୍ଘଟଣା । ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣାଠୁ ଆରମ୍ଭ କରି ବିଜୟନଗରମ୍ ଆଦି ଜାଗାରେ ଟ୍ରେନ୍ ଦୁର୍ଘଟଣାରେ ସାଧାରଣ ଲୋକଙ୍କ ଜୀବନ ଯାଇଛି । ନଜର ପକାନ୍ତୁ, ଗତ କିଛି ବର୍ଷ ଭିତରେ ଘଟିଥିବା ସେମିତି କିଛି ଟ୍ରେନ୍ ଦୁର୍ଘଟଣା ଉପରେ…

ବାଲେଶ୍ୱର

୨୦୨୩ ଜୁନ୍ ୨ ତାରିଖରେ ବାଲେଶ୍ୱରର ବାହାନଗାରେ ଘଟିଥିଲା ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା । ଯେଉଁଥିରେ ୨୯୬ ଜଣ ଲୋକ ପ୍ରାଣ ହରାଇଥିଲେ । ଖାଲି ସେତିକି ନୁହେଁ ଏକ ହଜାରରୁ ଅଧିକ ଲୋକ ଏଥିରେ ଆହତ ହେବାର ମଧ୍ୟ ସୂଚନା ରହିଥିଲା । ତେବେ କରମଣ୍ଡଳ ଏକ୍ସପ୍ରେସର ଏହି ଦୁର୍ଘଟଣା ଆଜି ବି ଲୋକଙ୍କ ମନରୁ ଲିଭିନି ।

ବିଜୟନଗରମ୍

୨୦୨୩ ମସିହା ଅକ୍ଟୋବର ୨୯ ତାରିଖରେ ଆନ୍ଧ୍ରପ୍ରଦେଶରେ ଦୁଇଟି ପାସେଞ୍ଜର ଟ୍ରେନ୍ ଭିତରେ ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣାରେ ୧୪ ଜଣ ଯାତ୍ରୀ ପ୍ରାଣ ହରାଇଥିଲେ । ହାୱଡା-ଚେନ୍ନାଇ ଲାଇନ୍ ଉପରେ ରାୟଗଡା ପାସେଞ୍ଜର ଟ୍ରେନ୍ ବିଶାଖାପାଟଣା ପଲାସା ଟ୍ରେନକୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ୫୦ରୁ ଅଧିକ ଲୋକ ଆହତ ହେଇଥିଲେ ।

ଜାମତାରା

ଝାଡଖଣ୍ଡ ଜାମତାରା ଏବଂ ବିଦ୍ୟାସାଗର ଷ୍ଟେସନ ଭିତରେ ଫେବ୍ରୁଆରୀ ୨୮ ତାରିଖରେ କିଛି ଲୋକଙ୍କ ଉପରେ ଟ୍ରେନ୍ ଚଢିଯାଇଥିଲା । ଏହି ଦୁର୍ଘଟଣାରେ ପ୍ରାୟ ୧୨ ଜଣ ଲୋକଙ୍କ ଉପରେ ଟ୍ରେନ୍ ଚଢିଯାଇଥିଲା । ଯାହା ଫଳରେ ଏଥିରେ ୨ ଜଣ ଲୋକ ପ୍ରାଣ ହରାଇଥିଲେ ।

ବକ୍ସର

୨୦୨୩ ମସିହା ଅକ୍ଟୋବର ୨୧ ତାରିଖରେ ନୂଆଦିଲ୍ଲୀରୁ କାମାଖ୍ୟା ଯାଉଥିଲା ନର୍ଥ ଏକ୍ସପ୍ରେସ୍ ବିହାରର ବକ୍ସର ଜଙ୍କସନରେ ଦୁର୍ଘଟଣାଗ୍ରସ୍ତ ହେଇଥିଲା । ଟ୍ରେନର ୨୪ଟି ଡବା ଲାଇନଚ୍ୟୁତ୍ ହେଇଯାଇଥିଲା । ଏହି ଦୁର୍ଘଟଣାରେ ୬୦ରୁ ୭୦ ଜଣ ଲୋକ ଆହତ ହେବା ସହ ୪ ଜଣଙ୍କର ମୃତ୍ୟୁ ହେଇଥିବା ନେଇ ବକ୍ସର ଜିଲ୍ଲା ପ୍ରଶାସନ ସୂଚନା ଦେଇଥିଲେ ।

ଫତେଗଡ ସାହିବ

ଚଳିତ ବର୍ଷ ଜୁନ୍ ୨ ତାରିଖରେ ପଞ୍ଜାବ ଫତେଗଡ ସାହିବରେ ମଧ୍ୟ ଗୋଟିଏ ଟ୍ରେନ୍ ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣାରେ ଦୁଇ ମାଲବାହୀ ଟ୍ରେନ୍ ପରସ୍ପରକୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ଦୁଇ ଟ୍ରେନ୍ ଡ୍ରାଇଭର ଆହତ ହେଇଥିଲେ । ଯାହାପରେ ତାଙ୍କୁ ଫତେଗଡ ସାହିବ ସିଭିଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।