କଟକରେ କିଡନୀ ଦେବାକୁ କହି ବଡ଼ ଠକେଇ । ୧୨ଲକ୍ଷରୁ ଅଧିକ ଟଙ୍କା ଠକିନେଲା ଅଭିଯୁକ୍ତ । ଠକକୁ ଧରି ପୋଲିସର ଜିମା ଦେଲେ ଲୋକେ

302

କନକ ବ୍ୟୁରୋ: କିଡନୀ ଦେବାକୁ କହି ଠକେଇ । ଜଣେ ରୋଗୀଙ୍କ ଠାରୁ ୧୨ ଲକ୍ଷରୁ ଅଧକ ଟଙ୍କା ଠକିନେଲେ ଠକ । କଟକ ରାଣୀହାଟ ଅଞ୍ଚଳରୁ ଏପରି ଠକେଇ ସାମ୍ନାକୁ ଆସିଛି । କେନ୍ଦୁଝର ଜିଲ୍ଲା ଅଞ୍ଚଳର କୁଟୁଲ କୁମାର ମାଝୀ କିଡନୀ ଜନିତ ରୋଗରେ ପୀଡ଼ିତ ହୋଇ ଚିକିତ୍ସା ପାଇଁ କଟକ ଆସିଥିଲେ । ଏହାପରେ ପରୀକ୍ଷା ପରେ ତାଙ୍କର ୨ଟି ଯାକ କିଡନୀ ଖରାପ ହୋଇଥିବା ଜଣାପଡ଼ିଥିଲା । ଏଥିପାଇଁ କିଡନୀ ପ୍ରତିରୋପଣ କରିବାକୁ ଡାକ୍ତର କହିଥିଲେ । ହେଲେ କିଡନୀ କେଉଁଠୁ ମିଳିବ, କେମିତି ପ୍ରତିରୋପଣ ହେବ, ଏସବୁକୁ ନେଇ ଚିନ୍ତାରେ ଥିଲେ କୁଟୁଲ ଓ ତାଙ୍କ ପରିବାର । ଏହି ସମୟରେ ରାଣୀହାଟ ଅଞ୍ଚଳର ମାର୍କଣ୍ଡ ନାଥ ନାମକ ଜଣେ ଲୋକ ତାଙ୍କ ସହ ଯୋଗାଯୋଗ କରିଥିଲେ, ଆଉ ଟଙ୍କା ଦେଲେ କିଡନୀ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହାପରେ କୁଟୁଲୁ ମାର୍କଣ୍ଡଙ୍କୁ ବିଭିନ୍ନ ପର୍ଯ୍ୟାୟରେ ୧୨ ଲକ୍ଷ ୫୦ ହଜାର ଟଙ୍କା ଦେଇଥିଲେ । ହେଲେ ଟଙ୍କା ପାଇବା ପରେ ଆଉ ଧରାଛୁଆଁ ଦେଇନଥିଲେ ମାର୍କଣ୍ଡ । ଏ ଭିତରେ ବର୍ଷେ ବିତିଗଲା । ଫଳରେ ବାଧ୍ୟ ହୋଇ କୁଟୁଲୁ ଓ ତାଙ୍କ ପରିବାର ରାଣୀହାଟ ଅଞ୍ଚଳର ଲୋକଙ୍କୁ ଜଣାଇଲେ । ଏହାପରେ ସ୍ଥାନୀୟ ଲୋକ ଠକକୁ ଧରି ପଚରାଉଚରା କରିବା ସହ ମଙ୍ଗଳବାଗ ଥାନା ପୋଲିସର ଜିମା ଦେଇଛନ୍ତି । ପୋଲିସ୍ ଅଧିକ ପଚରାଉଚରା କରୁଛି ।