ଶୀତରେ ଥରୁଛି ସାରା ଓଡ଼ିଶା । ଉପକୂଳରୁ ଉପାନ୍ତ ସବୁଠି ତଳମୁହାଁ ପାରଦ । ୧୦ ଡିଗ୍ରୀ ତଳେ ୧୪ ସହରର ତାପମାତ୍ରା

453

କନକ ବ୍ୟୁରୋ: ସାରା ରାଜ୍ୟରେ ଅସହ୍ୟ ଜାଡ଼ । ଶୀତରେ ଥରୁଛି କନ୍ଧମାଳ ଜିଲ୍ଲା । ଜି. ଉଦୟଗିରିରେ ଚଳିତ ବର୍ଷର ସର୍ବନିମ୍ନ ରାତି ତାପମାତ୍ରା ରେକର୍ଡ କରାଯାଇଛି । ଜି. ଉଦୟଗିରିରେ ୪ଡିଗ୍ରୀ, ଫୁଲବାଣୀରେ ୬.୫ ଡିଗ୍ରୀ ଓ ଦାରିଙ୍ଗବାଡିରେ ୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଟ୍ୱିନସିଟିର ବି ପାରଦ ଖସିବାରେ ଲାଗିଛି । କଟକରେ ୧୨.୩ ଡିଗ୍ରୀ ଓ ଭୁବନେଶ୍ୱରରେ ୧୩.୮ ଡିଗ୍ରୀ ରହିଛି ପାରଦ । ଥଣ୍ଡାରେ ଫୁଲବାଣୀ ସହର ଅଧିକ ପ୍ରଭାବିତ ହୋଇଛି ।

ଦାରିଙ୍ଗବାଡିଠାରୁ ଜି.ଉଦୟଗିରି ଓ ଫୁଲବାଣୀ ସହରରେ ଅଧିକ ଶୀତ ଅନୁଭୁତ ହେଉଛି । ସକାଳୁଆ ଥଣ୍ଡା ଏବଂ ଘନ କୁହୁଡି ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି । ସେହିଭଳି ମେଘମୁକ୍ତ ରହିଥିବାରୁ ଶୀତର ପ୍ରକୋପ ପୁଣି ବଢିଯାଇଛି । ସେହିପରି ଘନ କୁହୁଡି ସକାଳ ପ୍ରାୟ ୯ଟା ପର୍ଯ୍ୟନ୍ତ ଲାଗିରହୁଛି । କୁହୁଡି ଯୋଗୁଁ ଲୋକଙ୍କୁ ଗାଡି ଚଳାଚଳରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ତେବେ ଜିଲ୍ଲାରେ ଥଣ୍ଡା ଏବଂ କୁହୁଡି ବଢିଯାଇଥିବାରୁ ଜନଜୀବନ ଏକ ପ୍ରକାର ଅସ୍ତବ୍ୟସ୍ତ ହୋଇପଡିଛି । ସକାଳୁ ସକାଳୁ ବୃକ୍ଷ ଲତା ଗୁଡିକରେ ମଧ୍ୟ କୁହୁଡ଼ିର ଆସ୍ତରଣ ପଡିଥିବା ଦେଖିବାକୁ ମିଳୁଛି । ଶୀତ ଏତେ ବଢିଯାଇଛି ଯେ ବିନା ଶୀତ ବସ୍ତ୍ର ନ ହେଲେ ଘରୁ ବାହାରିବା କଷ୍ଟ ହୋଇପଡିଛି । ସବୁଠାରୁ ଶୀତ ଦିନେ ଅଧିକ ପ୍ରଭାବିତ ହେଉଛନ୍ତି ଗ୍ରାମାଞ୍ଚଳ ଗରିବ ଓ ଖଟିଖିଆ ମାନେ ।