ଦେଶର ସମସ୍ତ ୧୮-୫୯ ବର୍ଷ ବୟସର ଲୋକଙ୍କୁ ମାଗଣା ମିଳିବ କୋଭିଡ ଟିକାର ବୁଷ୍ଟର ଡୋଜ । ଜାଣନ୍ତୁ କେବେ ଠାରୁ ଆରମ୍ଭ

1,234

କନକ ବ୍ୟୁରୋ : ଦେଶରେ ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ନଜରରେ ରଖି କେନ୍ଦ୍ର ସରକାର ଏବେ ୧୮-୫୯ ବର୍ଷ ବୟସର ସମସ୍ତ ନାଗରିକଙ୍କୁ କୋଭିଡ ନିରୋଧୀ ଟିକାର ବୁଷ୍ଟର ଡୋଜ ମାଗଣା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି । ଜୁଲାଇ ୧୫ ତାରିଖରୁ ୭୫ ଦିନ ପାଇଁ ଏହି ଅଭିଯାନ ଆରମ୍ଭ ହେବାକୁ ଯାଉଛି । ଏହି କ୍ରମରେ ସମସ୍ତ ସରକାରୀ ଟିକାକରଣ କେନ୍ଦ୍ରରେ ଏହି ବୁଷ୍ଟର ଡୋଜ ମାଗଣାରେ ଯୋଗାଇ ଦିଆଯିବ । ଅଧିକାରୀ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ ଅବସରରେ କେନ୍ଦ୍ର ସରକାର ଏହି ବୁଷ୍ଟର ଡୋଜ ମାଗଣାରେ ଦେବାକୁ ନିଷ୍ପତ୍ତି କରିଛନ୍ତି ।

କହିରଖୁ କି ଦେଶରେ ୧୮-୫୯ ବର୍ଷ ବୟସ ମଧ୍ୟରେ ୭୭ କୋଟି ଲୋକଙ୍କୁ ବୁଷ୍ଟର ଡୋଜ ଦେବାର ଥିଲା । ହେଲେ ଏପର୍ଯ୍ୟନ୍ତ ମାତ ୧ ପ୍ରତିଶତ ଲୋକ ଏହି ବୁଷ୍ଟର ଡୋଜ ନେଇଛନ୍ତି । ସେପଟେ ୬୦ ବର୍ଷରୁ ଅଧିକ , ମେଡିକାଲ ଷ୍ଟାଫ ଓ କରୋନା ଯୋଦ୍ଧା ଭାବେ ୧୬ କୋଟି ଲୋକ ବୁଷ୍ଟର ଡୋଜ ନେବାକୁ ଥିବା ବେଳେ ଏପର୍ଯ୍ୟନ୍ତ ମୋଟ ୨୬ ପ୍ରତିଶତ ଲୋକ ଏହି ବୁଷ୍ଟର ଡୋଜ ନେଇଛନ୍ତି ।

ସେପଟେ ପ୍ରଥମେ ଟିକାର ଉଭୟ ଡୋଜ ନେବାର ୯ ମାସ ପରେ ବୁଷ୍ଟର ଡୋଜ ନେବାର ପ୍ରାବଧାନ ଥିଲା । ମାତ୍ର ଏବେ ସରକାର ଏହି ସମୟ ସୀମାକୁ ୯ ମାସରୁ କମାଇ ୬ ମାସ କରିଛନ୍ତି । ଅର୍ଥାତ କୌଣସି ବ୍ୟକ୍ତି କରୋନା ଟିକାର ଦ୍ୱିତୀୟ ଡୋଜ ନେବାର ୬ ମାସ ପରେ ବୁଷ୍ଟର ଡୋଜ ନେଇପାରିବେ ।