କିଛି ଘଣ୍ଟାର ବର୍ଷାରେ ଭାସିଲା ଭୁବନେଶ୍ୱର: ରାସ୍ତା ଉପରେ ଲହଡି ଭାଙ୍ଗିଲା ପାଣି

826

କନକ ବ୍ୟୁରୋ: ବର୍ଷାରେ ବେହାଲ ଭୁବନେଶ୍ୱର । କିଛି ଘଂଟାର ଲଗାଣ ବର୍ଷାରେ ଉବୁଟୁବୁ ରାଜଧାନୀ । ଭୁବନେଶ୍ୱରର ବିଭିନ୍ନ ସ୍ଥାନ ଏବେ ଜଳବନ୍ଦୀ ହୋଇ ଯାଇଛି । ରାସ୍ତାଘାଟ ଛାଡନ୍ତୁ ଲୋକଙ୍କ ଘରେ ବି ପସିଛି ବର୍ଷା ପାଣି । ଆଜି ଅପରାହ୍ଣରେ ପ୍ରାୟ ୩ ଘଂଟା ଧରି ପ୍ରବଳ ବର୍ଷା ହୋଇଛି । ତେବେ ସକାଳ ୮ଟାରୁ ସନ୍ଧ୍ୟା ୫ଟା ଭିତରେ ରାଜଧାନୀରେ ୧୮୬ ମିଲିମିଟର ବର୍ଷା ରେକର୍ଡ ହୋଇଛି ।

ମାତ୍ର କିଛି ଘଂଟାର ବର୍ଷାରେ ବେହାଲ ରାଜଧାନୀ । ଅସ୍ତବ୍ୟସ୍ତ ଜନଜୀବନ । ରାସ୍ତା ଉପରେ ଲହଡି ଭାଂଗୁଛି ବର୍ଷା ପାଣି । କେଉଁଠି ରାସ୍ତା, କେଉଁଠି ଡ୍ରେନ୍ ଜାଣିବା ମୁସ୍କିଲ ହୋଇପଡିଛି ।

ପୁରୁଣା ଭୁବନେଶ୍ୱରର ରଥଦାଣ୍ଡ । ରାସ୍ତା ଉପରେ ଆଂଠୁଏ ଉଚ୍ଚର ପାଣି ଚାଲୁଛି । ଘର ଭିତରେ ବି ପାଣି ପଶି ଯାଇଛି । ଯାହାଫଳରେ ହନ୍ତସନ୍ତ ହୋଇଛନ୍ତି ଲୋକେ । ସବୁଠାରୁ ବଡ କଥା ହେଉଛି, ଏହି ଅଂଚଳରେ ବାରମ୍ବାର ଏଭଳି ପରିସ୍ଥିତି ଉପୁଜୁଥିଲେ ବି ଜଳନିଷ୍କାସନ ପାଇଁ ସେଭଳି ପଦକ୍ଷେପ ନିଆଯାଉନଥିବାରୁ ଆଜି ଏମିତି ହୋଇଛି ବୋଲି କହିଛନ୍ତି ସ୍ଥାନୀୟ ଲୋକେ ।
ଫରେଷ୍ଟ ପାର୍କ ଅଂଚଳରେ ମଧ୍ୟ ଦେଖିବାକୁ ମିଳିଛି ସମାନ ଅବସ୍ଥା । ନଦୀର ଭ୍ରମ ସୃଷ୍ଟି କରିଛି ବର୍ଷା ପରର ଦୃଶ୍ୟ ।

ଆଜି ବର୍ଷାରେ ସବୁଠୁ ବେଶୀ ଅସୁବିଧାର ସମୁଖୀନ ହୋଇଛନ୍ତି ସ୍କୁଲ ପିଲା । ବର୍ଷା ଲାଗି ରହିବାରୁ ସେହି ପାଣି ଭିତରେ ପଶି ଫେରୁଥିବା ଦେଖିବାକୁ ମିଳିଛି । କେବଳ ଏହି ଅଂଚଳରେ ରାଜଧାନୀରେ ବିଭିନ୍ନ ଅଂଚଳରେ ଆଜି ଏମିତି ପରିିସ୍ଥିତି ସୃଷ୍ଟି ହୋଇଥିଲା । ସେହିପରି କଟକର ବିଭିନ୍ନ ସ୍ଥାନରୁ ଆସିଛି ସମାନ ଚିତ୍ର । ପାଣିଜମିବା ଯୋଗୁଁ ହନସନ୍ତ ହୋଇଛନ୍ତିି ଲୋକେ ।