ଭୁବନେଶ୍ୱରର ପ୍ଲାନେଟୋରିୟମରେ ପଡିବ କି ତାଲା ? ଯାନ୍ତ୍ରିକ ତ୍ରୁଟି ଯୋଗୁଁ ୨ ସପ୍ତାହରୁ ଅଧିକ ଦିନ ହେଲାଣି ବନ୍ଦ ରହିଛି ସୋ’

291

କନକ ବ୍ୟୁରୋ: ଭୁବନେଶ୍ୱର ପ୍ଲାନେଟୋରିୟମରେ ପଡିଯିବ କି ତାଲା? ଏହି ପ୍ରଶ୍ନ ଏବେ ଉଠୁଛି କାରଣ ଦୁଇ ସପ୍ତାହରୁ ଅଧିକ ସମୟ ହେଲା ବନ୍ଦ ରହିଛି ସୋ’ । ଫଳରେ ନିରାଶ ହୋଇ ଫେରୁଛନ୍ତି ରାଜ୍ୟ ଓ ରାଜ୍ୟ ବାହାର ପର୍ଯ୍ୟଟକ । ଯନ୍ତ୍ରାଂଶ ଖରାପ ହୋଇଯାଇଥିବା ସୂଚନା ମିଳିଛି । ପଠାଣୀ ସାମନ୍ତ ପ୍ଲାନେଟୋରିୟମରେ ୨୦୧୨ ମସିହାରୁ ଯନ୍ତ୍ରାଂଶଗୁଡିକ ଲାଗିଛି । ପ୍ରତି ୭ ବର୍ଷରେ ଏହାର ଯାଞ୍ଚ ଓ ମରାମତି ହେବା କଥା । କିନ୍ତୁ ୧୧ ବର୍ଷରୁ ଅଧିକ ସମୟ ହେଲା ଯନ୍ତ୍ରାଂଶର ମରାମତି କରାଯାଇନଥିବାରୁ ଏହା ନଷ୍ଟ ହେବାକୁ ବସିଲାଣି ।

ଭୁବନେଶ୍ୱରର ପଠାଣୀସାମନ୍ତ ପ୍ଲାନୋଟୋରିୟମର ଫାଟକ ବନ୍ଦ ରହିଛି । ଗେଟରେ ଏକ ନୋଟିସ ମରାହୋଇଛି । ଯେଉଁଥିରେ ଲେଖାଅଛି, ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପ୍ଲାନେଟୋରିୟମକୁ ବନ୍ଦ ରଖାଯାଇଛି ।

  • ବନ୍ଦ ପଡିଛି ପଠାଣୀସାମନ୍ତ ପ୍ଲାନେଟୋରିୟମ
  • ଯାନ୍ତ୍ରିକ ତ୍ରୁଟି ଯୋଗୁଁ ୨୦ ଦିନ ହେଲା ଅଚଳ

ଟେଲିସ୍କୋପରେ ମହାକାଶର ଦୃଶ୍ୟ ଦେଖିବେ । ରାତିରେ ଆକାଶରେ ମିଞ୍ଜି ମିଞ୍ଜି ଜଳୁଥିବା ତାରା ନକ୍ଷତ୍ର ଦେଖିବେ, ମହାକାଶ ଯାତ୍ରାର ଅନୁଭୁତି ବି ପାଇବେ । ଏଭଳି ଆଶା ନେଇ ପ୍ଲାନେଟୋରିୟମ ଆସିଥିବା କୁନି କୁନି ପିଲା ନିରାଶ ହୋଇଛନ୍ତି । ସୁରକ୍ଷାକର୍ମୀ ପ୍ଲାନେଟୋରିୟମ ସୋ ଚାଲୁନଥିବା କହିବା ପରେ ମନ ଦୁଃଖରେ ଘରକୁ ଫେରିଛନ୍ତି । ଜୁନ ୨୩ ତାରିଖରୁ ପ୍ଲାନେଟୋରିୟମ ବନ୍ଦ ରହିଛି । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପ୍ଲାନେଟୋରିୟମର ଶୋ ହୋଇପାରୁନଥିବା ସୂଚନା ମିଳିଛି ।

ପଠାଣୀ ସାମନ୍ତ ପ୍ଲାନେଟୋରିୟମରେ ୨୦୧୨ ମସିହାରୁ ଯନ୍ତ୍ରାଂଶଗୁଡିକ ଲାଗିଛି । ପ୍ରତି ୭ ବର୍ଷରେ ଏହାର ଯାଞ୍ଚ ଓ ମରାମତି ହେବା କଥା । କିନ୍ତୁ ୧୧ ବର୍ଷରୁ ଅଧିକ ସମୟ ହେଲା ଯନ୍ତ୍ରାଂଶର ମରାମତି କରାଯାଇନଥିବାରୁ ନଷ୍ଟ ହେବାକୁ ବସିଲାଣି । କିଛି ଦିନ ତଳେ ଏକ ଇଞ୍ଜିନିୟର ଟିମ ଆସି ଯନ୍ତ୍ରଗୁଡିକର ଯାଞ୍ଚ କରି ଫେରିଯାଇଛନ୍ତି । ହେଲେ କେବେଠୁ କାର୍ଯ୍ୟକ୍ଷମ ହେବ ସଠିକ ସୂଚନା ମିଳିନାହିଁ । ଅନ୍ୟପଟେ ପ୍ଲାନେଟୋରିୟମ ବୁଲି ମହାକାଶ ବିଜ୍ଞାନର ଅଜଣା କଥା ଜାଣିବାକୁ ଆସୁଥିବା ଲୋକେ ନିରାଶ ହୋଇ ଫେରୁଛନ୍ତି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ଥିବା ଏହି ପଠାଣୀ ସାମନ୍ତ ପ୍ଲାନେଟୋରିୟମରେ ଥିବା ଯନ୍ତ୍ରାଂଶର ରକ୍ଷଣା ବେକ୍ଷଣା କରାଯାଇନଥିବାରୁ ଏହି ଅଚଳାବସ୍ଥା ସୃଷ୍ଟି ହୋଇଛି ।