ଖସୁଛି ବାୟୁର ମାନ : କ୍ଷତିକାରକ ଏବଂ ଅସ୍ୱାସ୍ଥ୍ୟକର ସ୍ତରରେ ରାଜଧାନୀର ୪ଟି ସ୍ଥାନର ବାୟୁ

306

କନକ ବ୍ୟୁରୋ : ଭୁବନେଶ୍ୱରେ ଖସୁଛି ବାୟୁର ମାନ । ପ୍ରଦୂଷିତ ହେଉଛି ପରିବେଶ । ଗାଡିମଟର ଅଧିକ ଚଳାଚଳ କରୁଥିବାରୁ ରାଜଧାନୀରେ ଏବେ ବାୟୁରମାନ କ୍ଷତିକାରକ ଏବଂ ଅସ୍ୱାସ୍ଥ୍ୟକର ସ୍ତରରେ ପହଞ୍ଚିଛି । ଭୁବନେଶ୍ୱରରେ ବାୟୁରମାନ ସବୁଠୁ ଖରାପ ରହିଛି ଇନଫୋସିଟି ଅଞ୍ଚଳରେ, ଏଠାରେ ବାୟରୁ ମାନ ୩୩୫ ଅଛି । ସେହିପରି ଲିଙ୍ଗରାଜ ମନ୍ଦିର ପାଖରେ ବାୟୁରମାନ ୨୫୬ରେ ରହିଛି । ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ ପକ୍ଷରୁ ୧୦ଟି ସ୍ଥାନରେ ଏବେ ବାୟୁର ମାନ ନିରୀକ୍ଷଣ କରାଯାଇଛି ।

ସନ୍ଧ୍ୟା ୫ଟା ପରେ ରେକର୍ଡ କରାଯାଇଥିବା ତଥ୍ୟ ମୁତାବକ, ରିଜିଓନାଲ ପ୍ଲାଣ୍ଟ ପାଖରେ ବାୟୁର ମାନ ୨୩୪ ରହିଛି । ରମାଦେବୀ ବିଶ୍ୱବିଦ୍ୟାଳୟ ପାଖରେ ବାୟୁର ମାନ ୧୧୯ ରହିଛି । କଳିଙ୍ଗ ହସ୍ପିଟାଲ ପାଖରେ ବାୟୁର ମାନ ୬୭ ରହିଛି । ଏସବୁ ସ୍ଥାନରେ ବାୟୁର ମାନ ଖରାପ ହୋଇଯାଇଛି । କିନ୍ତୁ କିଟ୍ ଛକ ନିକଟରେ ବାୟୁର ମାନ ୫୦ ରହିଥିବା ବେଳେ ଖଣ୍ଡଗିରିରେ ୪୫, ମଂଚେଶ୍ୱରରେ ୩୫, ମାଷ୍ଟରକ୍ୟାଣ୍ଟିନରେ ୨୦ ରହିଛି । ଯାହା ବିପଦଜନକ ନୁହେଁ ।

ସୂଚନାମୁତାବକ, ଏୟାର କ୍ୱାଲିଟି ଇଡେକ୍ସ ୫୧ ରୁ ୧୦୦ ଭିତରେ ରହିଲେ ତାହା ୟୋଲୋ ମାର୍କ ଦର୍ଶାଇଥାଏ । ଯାହା ଏତେଟା କ୍ଷତିକାରକ ନୁହେଁ । କିନ୍ତୁ ଏୟାର କ୍ୱାଲିଟି ଇଡେକ୍ସ ୧୦୧ରୁ ୧୫୦ ମଧ୍ୟରେ ରହିଲେ ଏହା ଛୋଟ ପିଲା, ବୟସ୍କ ଲୋକଙ୍କ ଉପରେ ପ୍ରଭାବ ପକାଇଥାଏ । ବାୟୁର ମାନ ୧୫୧ରୁ ୨୦୦ ଭିତରେ ରହିଲେ ଏହା ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରିଥାଏ ।

ବାୟୁର ମାନ ୨୦୧ରୁ ୩୦୦ ରହିଲେ ତାହା ଅତ୍ୟନ୍ତ ଖରାପ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରିଥାଏ । ୩୦୧ରୁ ୫୦୦ ଭିତରେ ରହିଲେ ଏହା କ୍ଷତିକାରକ ସାବ୍ୟସ୍ଥ ହୋଇଥାଏ । ଏଭଳି ବାୟୁ ସମସ୍ତଙ୍କ ପାଇଁ କ୍ଷତିକାରକ ସାଜିଥାଏ । ତେବେ କେବଳ ଭୁବନେଶ୍ୱର ନୁହେଁ ରାଜ୍ୟର ୭ ଟି ସ୍ଥାନରେ ବାୟୁର ମାନ ୧୦୦ ଉପରେ ରହିଥିବା ରାଜ୍ୟ ପ୍ରଦୂଷଣ ବୋର୍ଡ ଚିହ୍ନଟ କରିଛି ।