ଭୁବନେଶ୍ୱର ଅଳିଆ ସମସ୍ୟାକୁ ନେଇ ତିନି ଦିନ ସମୟ ଦେଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ନଚେତ୍ ମେୟର, କମିଶନରଙ୍କ ସହ କରିବେ ଆଲୋଚନା ।

129

କନକ ବ୍ୟୁରୋ: ଭୁବନେଶ୍ୱର ଅଳିଆ ସମସ୍ୟାକୁ ନେଇ ତିନି ଦିନ ସମୟ ଦେଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ନଚେତ୍ ବିଏମସି କାର୍ଯ୍ୟାଳୟ ଯାଇ ମେୟର କମିଶନରଙ୍କ ସହ ଆଲୋଚନା କରିବେ ବୋଲି ସେ କହିଛନ୍ତି । ୨୦୦୮ ମସିହାରେ ଅପରାଜିତାଙ୍କ ବିଏମସି କମିଶନର ସମୟରେ ଭୁଆଶୁଣି ଡ଼ମ୍ପିଂୟାର୍ଡ଼ ଆରମ୍ଭ ହୋଇଥିଲା । ଯେଉଁଥିପାଇଁ ୪ ବର୍ଷର ସମୟ ମାଗିଥିଲେ ଦାରୁଠେଙ୍ଗ ଗ୍ରାମବାସୀ । ଏହାପରେ ତାଙ୍କର ଅନ୍ୟ ସ୍ଥାନକୁ ପୋଷ୍ଟିଂ ହୋଇଥିଲେ ବୋଲି ସେ କହିଛନ୍ତି । କିନ୍ତୁ ୧୪ ବର୍ଷ ହେଲାଣି ତାଙ୍କ ସମସ୍ୟାର ସମାଧାନ କରି ପାରିନାହାନ୍ତି ରାଜ୍ୟ ସରକାର । ଯାହା ଅତ୍ୟନ୍ତ ଦୁଃଖଦାୟକ ବୋଲି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି । ଏହାସହ ସେ କହିଛନ୍ତି ରାଜ୍ୟର ରାଜଧାନୀ ଯଦି ଅଳିଆମୟ ହେବ ତାହେଲେ ରାଜ୍ୟ ସରକାର ପଦକ୍ଷେପ ନେବା ଉଚିତ । କେବଳ କମିଶନର ନୁହେଁ,ମେୟର, କର୍ପୋରେଟର ଓ ନାଗରିକଙ୍କ ମିଳିତ ଉଦ୍ୟମରେ ଏହି ସମାଧାନ ହେବା ଉଚିତ । ବିଏମସି କାହିଁକି ସିଟିଜେନ ଚାର୍ଟର ବ୍ୟବସ୍ଥାକୁ ବନ୍ଦ କରିଦେଲା ବୋଲି ସେ ପ୍ରଶ୍ନ କରିଛନ୍ତି ।