ବାଟମାରଣା ହେଉଛି ପିଡିଏସ ଚାଉଳ । ରାସ୍ତାରେ ଧାନବସ୍ତା ରଖି ଧାରଣା ଦେଲେ ହିତାଧିକାରୀ ।

138

କନକ ବ୍ୟୁରୋ: ପିଡିଏସ ଚାଉଳ ବାଟମାରଣା ଅଭିଯୋଗ । ରାସ୍ତାରେ ଧାନବସ୍ତା ରଖି ଧାରଣା ଦେଲେ ହିତାଧିକାରୀ । ବାଙ୍କୀ- ତମପଡ଼ା ବ୍ଲକ ଦୁଲଣାପୁର ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଡିଲର ପ୍ରଦୋଷ ନାୟକ ହିତାଧିକାରୀଙ୍କ ଚାଉଳକୁ ଜାଲିଆତି କରି ୧ କିଲୋରୁ ୨ କିଲୋ ପର୍ଯ୍ୟନ୍ତ କାଟି ରଖୁଥିବା ଅଭିଯୋଗ ହୋଇଛି । ସଂପୃକ୍ତ ଡିଲର ବାରମ୍ବାର ଏହିଭଳି କାର୍ଯ୍ୟ କରୁଥିବାରୁ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା ।
ଆଜି ସମ୍ପୃକ୍ତ ଡିଲର କଣ୍ଟାପଲ୍ଲାରେ ଜାଲିଆତି କରିବା ସହ ଚାଉଳ କାଟି ହିତାଧିକାରୀଙ୍କୁ ଦେଉଥିବା ସମୟରେ ପ୍ରତିବାଦ କରିଥିଲେ ଲୋକେ । ହିତାଧିକାରୀମାନେ କଂଟ୍ରୋଲ ଦୋକାନକୁ ତାଲା ପକାଇ ଚାଉଳ ବସ୍ତାକୁ ରାସ୍ତା ଉପରେ ରଖି ଧାରଣା ଦେଇଛନ୍ତି । ତାଳବସ୍ତ ପୋଲିସ ଘଟଣା ସ୍ଥଳରେ ପହଂଚି ଲୋକମାନଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଛି ।