ତାତିରେ ସିଝୁଛି ସାରା ଓଡ଼ିଶା : ବାରିପଦାରେ ୪୩.୫ଡିଗ୍ରୀ ସେଲସିୟସ୍

120

କନକ ବ୍ୟୁରୋ : ବାରିପଦା ପାଲଟିଲା ରାଜ୍ୟର ଉତ୍ତପ୍ତ ସହର । କେବଳ ଓଡିଶାର ନୁହେଁ ଆଜି ବିଶ୍ୱର ସବୁଠାରୁ ଉତପ୍ତ ସହର ବୋଲି ଦର୍ଶାଇଛି ଆନ୍ତର୍ଜାତିକ ପାଣିପାଗ ସଂସ୍ଥା ଓଜିମେଟ୍ । ବାରିପଦାରେ ସର୍ବୋଚ୍ଚ ତାପମାତ୍ରା ୪୩.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ସେହିଭଳି ବିଶ୍ୱର ପ୍ରଥମ ଦଶଟି ଉତ୍ତପ୍ତ ସହର ମଧ୍ୟରେ ସ୍ଥାନ ପାଇଛି ଅନୁଗୁଳ । ଅନୁଗୁଳରେ ତାପମାତ୍ରା ୪୨. ୫ ଡିଗ୍ରୀ ଅଛି । ଅନୁଗୁଳ ସମେତ ଭାରତର ୬ଟି ସହ ବିଶ୍ୱର ପ୍ରଥମ ୧୦ ଉତ୍ତପ୍ତ ସହର ମଧ୍ୟରେ ସ୍ଥାନ ପାଇଛି ।

ଦ୍ୱିତୀୟରେ ରହିଛି ଭାରତର ଚନ୍ଦ୍ରପୁର, ଚତୁର୍ଥରେ ରହିଛି ଆନ୍ଧ୍ରର କର୍ଣ୍ଣୁର୍ଲ । ରାଜ୍ୟରେ ଗତକାଲି ଅନୁଗୁଳ, ସୋନପୁର, ବୈଦ୍ଧର ତାପମାତ୍ରା ୪୨.୫ ଡିଗ୍ରୀ ରହିଥିବା ବେଳେ ଟିଟିଲାଗଡ଼ରେ ତାପମାତ୍ରା ୪୨.୨ ଡିଗ୍ରୀ ରହିଛି । ସେହିପରି ତାଳଚେର, ଭବାନିପାଟଣା, ବଲାଙ୍ଗୀରର ତାପମାତ୍ରା ୪୨ ଡିଗ୍ରୀ ରହିଛି । ୨୫ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରହିଛି । କଟକ ୪୧.୪ ଡିଗ୍ରୀ ଓ ଭୁବନେଶ୍ୱରର ତାପମାତ୍ରା ୪୦.୭ ଡିଗ୍ରୀ ରେକର୍ଡ କରାଯାଇଛି । ଝାରସୁଗୁଡ଼ାର ତାପମାତ୍ରା ୪୧.୮ ଡିଗ୍ରୀ ଥିବା ବେଳେ ସମ୍ବଲପୁରର ତାପମାତ୍ରା ରହିଛି ୪୧.୬ । ପ୍ରବଳ ଗ୍ରୀଷ୍ମ ପ୍ରବାହରେ କଲବଲ ହେଉଛି ସାରା ଓଡ଼ିଶା । ଦିନ ବଢ଼ିବା ସହ ବଢୁଛି ତାତି ।

ଆହୁରି ୧ ଡିଗ୍ରୀ ତାପମାତ୍ର ପଢିବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ପ୍ରବଳ ଗୁଳୁଗୁଳି ସହ ଅସହ୍ୟ ଗରମ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି, ଆହୁରି ୩ ଦିନ ଛଟପଟ କରିବ ଗ୍ରୀଷ୍ମପ୍ରବାହ । ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱର ସମେତ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିିଶା ପାଇଁ ହିଟୱେଭ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।