ବରଗଡର ଧନୁଯାତ୍ରାରେ କିଏ ହେବ କଂସ ? କାହାକୁ ମିଳିବ କଂସ ଭୂମିକାରେ ଅଭିନୟ କରିବା ପାଇଁ ସୁଯୋଗ ? ୪ଜଣ ଆବେଦନକାରୀ ଫର୍ମ ନେଇଥିବା ସୂଚନା

108

କନକ ବ୍ୟୁରୋ : ବରଗଡର ଧନୁଯାତ୍ରାରେ କିଏ ହେବ କଂସ । କାହାକୁ ମିଳିବ କଂସ ଭୂମିକାରେ ଅଭିନୟ କରିବା ପାଇଁ ସୁଯୋଗ । ବିଶ୍ୱର ସବୁଠାରୁ ବଡ ମୁକ୍ତାକାଶ ରଂଗମଂଚକୁ କିଏ ଦୁଲକାଇବ । କାହାର ଅଟହାସ୍ୟର କମ୍ପିବ ବରଗଡର ମଥୁରା ନଗର । କଂସ ଭୂମିକାରେ ଅଭିନୟ କରିବା ପାଇଁ ୪ଜଣ ଆବେଦନକାରୀ ଫର୍ମ ନେଇଥିବା ଜଣାପଡିଛି । ୪ଜଣଙ୍କ ଭିତରୁ ଯିଏ ଚୟନ ହେବେ ସେ କଂସ ଭୂମିକାରେ ଅଭିନୟ କରିବେ ।

କଂସ ଭୂମିକାରେ ଅଭିନୟ କରିବା ପାଇଁ ଚଳିତ ବର୍ଷ ଧନୁଯାତ୍ରା କମିଟି ପକ୍ଷରୁ ଆବେଦନ କରିବାକୁ କୁହାଯାଇଛି । ଏନେଇ କମିଟି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏଥିରେ ମହାରାଜା କଂସ ସମେତ ୧୧ଟି ଚରିତ୍ର ପାଇଁ କଳାକାର ଚୟନ ହେବେ । କଂସ ଭୂମିକାରେ ଅଭିନୟ କରିବା ପାଇଁ ବୟସ ସୀମା ୧୮ରୁ ୬୦ ବର୍ଷ ଭିତରେ ହୋଇଥିବା ଆବଶ୍ୟକ । ଗୀତା ଭାଗବତ ଉପରେ ଜ୍ଞାନ ରହିଥିବ ଦରକାର । ସେହିପରି ଡାଇଲଗ୍ ଓ ସଂଳାପ ଉଚ୍ଚାରଣ ସଠିକ୍ ରହୁଥିବା ଜରୁରୀ । ରାଜାଙ୍କ ଅଙ୍ଗଭଙ୍ଗୀ ଚାଲି ଠିକ୍ ରାଜା ପରି ହୋଇଥିବ ।

ବିନା ପାଣ୍ଡୁଲିପି ବା ବିନା ସ୍କ୍ରପ୍ଟରେ ଧନୁଯାତ୍ରାର ଡାଇଲଗ୍ ତଥା ଧନୁଯାତ୍ରା ବିଷୟରେ ଜ୍ଞାନ ରହିଥିବ । ପୌରାଣିକ ନାଟକ ବସ୍ତୁ ଉପରେ ଅଭିଜ୍ଞତା ତଥା ଡାଇଲଗ୍ ଜଣାଥିବା ଆବଶ୍ୟକ । କଂସ ଚରିତ୍ର ଅଡିସନ ଦେବା ପାଇଁ କଂସ ବେଶ-ପୋଷାକରେ ରହି ଅଡିସନ ଦେବାକୁ ହେବ ବୋଲି କୁହାଯାଇଛି । ଆସନ୍ତା ୨୨ତାରିଖରୁ ଆରମ୍ଭ ହେବ ଆବେଦନ । ଡିସେମ୍ବର ୨୭ରୁ ଜାନୁଆରୀ ୬ତାରିଖ ପର୍ଯ୍ୟନ୍ତ ୧୧ଦିନ ଧରି ଚାଲିବ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ।