ରେଳ ଦୁର୍ଘଟଣାକୁ ନେଇ ବୟାନବାଜି । ବିଜୟ ମହାପାତ୍ର କହିଲେ, ‘ପ୍ରଧାନମନ୍ତ୍ରୀଙ୍କୁ ଦିଆଯାଇନି ସଠିକ ତଥ୍ୟ’

599

କନକ ବ୍ୟୁରୋ : ବାହାନାଗା ଟ୍ରେନ ଟ୍ରାଜେଡିକୁ ନେଇ ଗୋଟିଏ ପରେ ଗୋଟିଏ ଛାତିଥରା କାହାଣୀ ସାମ୍ନାକୁ ଆସୁଛି । ମୃତକଙ୍କ ଚିହ୍ନଟ ମୁଖ୍ୟ ସମସ୍ୟା ପାଲଟିଥିବାବେଳେ ଅନେକ ନିଖୋଜଙ୍କୁ ଖୋଜୁଛନ୍ତି ସମ୍ପର୍କୀୟ ଓ ପରିବାର ଲୋକେ । ଏଭଳି ସମୟରେ ରାଜନୈତିକ ବୟାନବାଜି ବି ଜାରି ରହିଛି । ବରିଷ୍ଠ ନେତା ବିଜୟ ମହାପାତ୍ର ଏ ନେଇ ମୁହଁ ଖୋଲିଛନ୍ତି । ବିଜୟ କହିଛନ୍ତି, ମୃତ୍ୟୁ ଯେତିକି କୁହାଯାଉଛି, ସ୍ଥାନୀୟ ଲୋକେ ତାକୁ ବିଶ୍ୱାସ କରିପାରୁନାହାନ୍ତି । ଉଦ୍ଧାର କାମ ସରିନଥିବାବେଳେ ରେଳମନ୍ତ୍ରୀ ଉଦ୍ଧାର କାମ ସରିଲା ବୋଲି କହିବା ନିନ୍ଦା ଜନକ । ମନ୍ତ୍ରୀଙ୍କ ମନ୍ତବ୍ୟ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି । ଫେବୃଆରୀ ମାସର ଘଟଣା ସମାନ ଭାବେ ଜୁନରେ କେମିତି ଘଟିଲା । ଇଲେକଟ୍ରୋନିକ୍ସ ସିଷ୍ଟମର ଟେଣ୍ଡର କିଏ ନେଇଥିଲା । ସିବିଆଇ ସେହି କମ୍ପାନୀକୁ ଧରିପାରିବ ତ ? ମନ୍ତ୍ରୀ ନିଜକୁ ନିର୍ଦ୍ଦୋଷ କହିପାରିବେନି ।

ବିଜୟ ମହାପାତ୍ର ଆହୁରି କହିଛନ୍ତି,ପାର୍ଟି କିଛି ନୁହେଁ ଲୋକଙ୍କ ଜୀବନ ଆଗ । ପ୍ରଧାନମନ୍ତ୍ରୀଙ୍କୁ ସଠିକ ତଥ୍ୟ ଦିଆଯାଇନାହିଁ । ତାଙ୍କୁ ଅନ୍ଧାରରେ ରଖାଯାଇଛି । ରିଲେ ରୁମ ଓ ଇଲେକଟ୍ରୋନିକ୍ସ ରୁମକୁ କେହି ଯାଇପାରିବେ ନାହିଁ । ବାରମ୍ବାର ମନ୍ତ୍ରୀ ମିଛ କହି ଲୋକଙ୍କୁ ଭୁତାଉଛନ୍ତି ।

ଟ୍ରେନ ଟ୍ରାଜେଡିକୁ ନେଇ ବୟାନବାଜି ଜୋର ଧରିଥିବାବେଳେ ବିଜେଡି ପ୍ରତିକ୍ରିୟା ଦେଇଛି । ଦଳ କହିଛି, ଅଜଣା ମୃତଦେହ ଚିହ୍ନଟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । କେନ୍ଦ୍ର ଓ ରାଜ୍ୟ ସମନ୍ୱୟରେ ସବୁ କରାଯାଇଉଛି । ଦେଶ ଏହାକୁ ପ୍ରଂଶସା କରୁଛି । ସେଠି ରାଜନୀତି ହେବା ଠିକ ନୁହେଁ । ସେହିଭଳି ଅପରାଜିତା ଷଡଙ୍ଗୀ କହିଛନ୍ତି, ସମସ୍ତେ ଆହତ ଓ ମୃତ ପରିବାରଙ୍କ ସହ ଠିଆ ହେବା ଦରକାର   । ସିବିଆଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ସତ୍ୟ ସାମ୍ନାକୁ ଆସିବ । ରାଜନୈତିକ ଦଳ ରାଜନୀତି କରନ୍ତୁ ନାହିଁ । ଟ୍ରେନ ଟ୍ରାଜେଡି ନେଇ ରାଜନୈତିକ ଦଳଙ୍କ ବୟାନବାଜି ମଧ୍ୟରେ ପ୍ରଶ୍ନ ଉଠୁଛି ପ୍ରଭାବତିଙ୍କୁ ସହାୟତା ଆଗ ନା ରାଜନୀତି ଆଗ ନା ।