ଉତ୍କଳ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଲେନି ବାବୁସାନ । ଆଗାମୀ ଫିଲ୍ମ ‘ଦମନ’ର ପ୍ରମୋସନ କରିଥାନ୍ତେ

604

କନକ ବ୍ୟୁରୋ : ଚେନ୍ନାଇରେ ଉତ୍କଳ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଲେନି ବାବୁସାନ । ବାବୁସାନ-ପ୍ରକୃତି ଏବଂ ତୃପ୍ତି ବିବାଦ ସାମନାକୁ ଆସିବା ପରେ ନିଷ୍ପତ୍ତି ହୋଇଥବା ସମ୍ଭାବନା । ଏହି କାର୍ଯ୍ୟକ୍ରମରେ ଆଗାମୀ ଫିଲ୍ମ ‘ଦମନ’ର ବାବୁସାନ ପ୍ରମୋସନ କରିଥାନ୍ତେ । ତେବେ ଉତ୍କଳ ଦିବସ କାର୍ଯ୍ୟକ୍ରମରେ ଅନ୍ୟ କଳାକାର ବୃନ୍ଦ ଯୋଗ ଦେଇଥିବା ସାମନାକୁ ଆସିଛି । କାଲି ଭିଡିଓ ପୋଷ୍ଟ କରି କାର୍ଯ୍ୟକ୍ରମକୁ ଯାଉନଥିବା କଥା କହିଥିଲେ ବାବୁସାନ । କାର୍ଯ୍ୟକ୍ରମରୁ ଦୂରେଇ ରହିବାକୁ ଫିଲ୍ମ ପ୍ରଯୋଜକ ତାଙ୍କୁ କହିଥିବା ସେ ସୂଚନା ଦେଇଥିଲେ ।

ଗତକାଲି ବାବୁସାନଙ୍କ ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା । ସେଥିରେ ସେ ତାଙ୍କ ପରିବାରଲୋକଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ ପ୍ରକୃତି ମୋ ଭଲ ସାଙ୍ଗ । ନା ସେ ମୋତେ ବ୍ଲାକ୍‌‌ମେଲ୍‌ କରିଛନ୍ତି ନା ମୋତେ ହଇରାଣ କରିଛନ୍ତି ନା କେବେ ମୋଠାରୁ ଟଙ୍କା ନେଇଛନ୍ତି । ସେ ମୋତେ ସବୁବେଳେ ସହଯୋଗ କରିଛନ୍ତି । ମୋତେ ଭୁବନେଶ୍ବର ଯିବାକୁ ଇଚ୍ଛା ଥିଲା । ହେଲେ ମୋ ପ୍ରଯୋଜକ ମୋତେ ଯିବାକୁ ମନା କରିଛନ୍ତି । ମୁଁ ଯାଇ ପାରିନଥିବାରୁ ଦୁଃଖିତ । ଚେନ୍ନାଇ ଆସିକି ମୋତେ ବହୁତ ଖୁସି ଲାଗିଲା । ଆମ ଓଡ଼ିଆ ସମାଜର ‌ଭାଇ‌, ଭଉଣୀ ଏବଂ ବରିଷ୍ଠମାନଙ୍କ ଏତେ ବଡ଼ ଆୟୋଜନ ଏବଂ ସ୍ବାଗତ ଦେଖି ବହୁତ ଖୁସି ଲାଗିଲା ।

ଅନ୍ୟ ଏକ ଭିଡିଓରେ ତୃପ୍ତିଙ୍କ ଅଭିଯୋଗର ଜବାବ ରଖିଛନ୍ତି ପ୍ରକୃତି । ସେ କହିଛନ୍ତି, କେହି କାହା ଘର ଭାଙ୍ଗନ୍ତି ନାହିଁ । ସେ କାହାରି ପରିବାରକୁ ଆଘାତ ଦେଇନାହାନ୍ତି । ଯଦି ବାବୁସାନଙ୍କ କାମ କରିବା ଭଲ ଲାଗୁନି । ତେବେ ବେକରେ ଗୋଟେ ଶିକୁଳି ପକାଇ ତାଙ୍କୁ ଘରେ ରଖିଦିଅ । ବାହାରକୁ କାଇଁ ଛାଡ଼ୁଛ ବୋଲି ତୃପ୍ତିଙ୍କୁ ପ୍ରଶ୍ନ କରିଛନ୍ତି । ସେ ଆହୁରି କହିଛନ୍ତି, ମୋ ପ୍ରତି ଯାହା ହେଲା ତାହା ଠିକ୍‌ ନୁହେଁ । କୌଣସି ଝିଅ ସହ ଏଭଳି ହେବା ଲଜ୍ଜାଜନକ । ମୁଁ ସାହାଯ୍ୟ ମାଗୁଥିଲି, କିନ୍ତୁ ଲୋକ ସେଲ୍‌ଫି ଉଠାଉଥିଲେ । ଆମେ କିଭଳି ସମାଜରେ ରହୁଛେ, ଭାବିଲା ବେଳକୁ ଆଶ୍ଚର୍ଯ୍ୟ ଲାଗୁଛି। ଜଣେ ଝିଅକୁ ରାସ୍ତାରେ ଟଣାଓଟରା କରି ଅପମାନିତ କରି କ’ଣ ଲାଭ ମିଳିଲା ? ମୁଁ କେବେ ଭାଙ୍ଗି ପଡ଼ିବିନି, ଆଗକୁ ବଢ଼ି ଚାଲିବି । ଏକୁଟିଆ ଝିଅ ସମସ୍ତଙ୍କ ସହ ଲଢ଼ିକି ଆସିଛି ।