ଅଟୋ ଚାଳକଙ୍କ ପୁଅ କଲେଜ ଟପ୍ପର: ଗୌରବ ଆଣିଲେ ଯାଁଆଳା ଭାଇ

551

କନକ ବ୍ୟୁରୋ: ଅଭାବ ଭିତରେ ସେମାନେ ଦେଖିଥିଲେ ଅସରନ୍ତି ସ୍ୱପ୍ନ । ବାପା, ମା’ଙ୍କ ପରିଶ୍ରମକୁ ସାର୍ଥକ କରିବାକୁ ଯାଇ ମନ ଲଗାଇ ପାଠପଢିଥିଲେ । ବାପା ମା ବି ତାଙ୍କ ପାଠ ପଢାରେ କେବେ ହେଳା କରିନଥିଲେ, କି ଅଭାବ ରଖିନଥିଲେ । ଆଉ ଏବେ ଗରିବ ପରିବାରରେ ବଢି ଗୌରବ ଆଣିଛନ୍ତି ଏହି ଦୁଇ ଯାଁଳା ଭାଇ । ବାପା ଅଟୋ ଚଳାଉଥିବା ବେଳେ ଦୁଇ ଯାଁଳା ପୁଅ ହୋଇଛନ୍ତି କଲେଜ ଟପ୍ପର । ଯେଉଁଥିପାଇଁ ବାପା ମା ଏବେ ବେଶ ଗର୍ବିତ ଅଛନ୍ତି ।

+୨ ବାଣିଜ୍ୟ ପରୀକ୍ଷାରେ ଅଟୋ ଚାଳକଙ୍କ ଯାଆଁଳା ପୁଅ ଜିଲ୍ଲା ପାଇଁ ସଫଳତା ଆଣିଛନ୍ତି । ପଟ୍ଟାମୁଣ୍ଡାଇ ବ୍ଲକ ମଦନପୁର ୟୁ.କେ. ମହାବୀର ମହାବିଦ୍ୟାଳୟର ଯୁକ୍ତ ୨ ବାଣିଜ୍ୟ ପରୀକ୍ଷାରେ ପ୍ରିୟ ରଂଜନ ନାଥ ୫୫୪ ନମ୍ବର ରଖିଥିବା ବେଳେ ତାଙ୍କ ଭାଇ ଚିତ ରଂଜନ ନାଥ ୫୪୨ ନମ୍ବର ରଖିଛନ୍ତି । ଏହି ଦୁଇ ଭାଇ କଲେଜରେ ପ୍ରଥମ, ଦ୍ୱିତୀୟ ଟପ୍ପର ହୋଇଛନ୍ତି ।

କେନ୍ଦ୍ରାପଡା ଜିଲ୍ଲା ମଦନପୁର ଗାଁର ବାଦଲ କୁମାର ନାଥ । ପେସାରେ ଜଣେ ଅଟୋ ଡ୍ରାଇଭର । ଅଟୋ ଚଳାଇ ଯାହା ଦୁଇ ପଇସା ରୋଜଗାର କରନ୍ତି, ସେଥିରେ ୫ପ୍ରାଣୀ କୁଟୁମ୍ବ ଦିନକୁ ଦୁଇ ମୁଠା ଖାଇ ଚଳିଯାଆନ୍ତି । ଅଭାବୀ ତେଲ ଲୁଣ ସଂସାର ଭିତରେ ଦୁଇ ପୁଅଙ୍କୁ ପାଠ ପଢାଇ ମଣିଷ କରିବା ପାଇଁ ସେ ହାଡଭଙ୍ଗା ପରିଶ୍ରମ କରିଥାନ୍ତି । ତାଙ୍କ ଦୁଇ ଯାଆଁଳା ପୁଅ ପ୍ରିୟ ରଂଜନ ଓ ଚିତ ରଂଜନ ଏବେ କେନ୍ଦ୍ରାପଡା ଜିଲ୍ଲା ପାଇଁ ଗର୍ବ ପାଲଟିଛନ୍ତି । ଯୁକ୍ତ ୨ ପରୀକ୍ଷାରେ ପ୍ରିୟ ରଂଜନ ୫୫୪ ନମ୍ବର ରଖି ପଟ୍ଟାମୁଣ୍ଡାଇ ବ୍ଲକରେ ବାଣିଜ୍ୟ ଟପ୍ପର ହୋଇଥିବା ବେଳେ ତାଙ୍କ ଅନ୍ୟ ଏକ ପୁଅ ଚିତ ରଂଜନ ୫୪୨ ନମ୍ବର ରଖି ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ସବୁଠୁ ବଡକଥା ହେଲା ଏହି ଦୁଇ ମେଧାବୀ ଛାତ୍ର ବିନା କୋଚିଂରେ ପାଠପଢି ଏଭଳି କୃତକାର୍ଯ୍ୟ ହାସଲ କରି ପାରିଛନ୍ତି ।

ଅଭାବୀ ସଂସାର ଭିତରେ ବାପା ଟ୍ୟୁସନ ପାଇଁ ପଇସା ଦେଇ ପାରନ୍ତି ନାହିଁ । କଲେଜରେ ଯାହା ପଢାଯାଏ, ତାକୁ ଭଲ ଭାବେ ଅଧ୍ୟୟନ କରି ଘରେ ଦୁଇ ଭାଇ ପରସ୍ପର ସହ ଆଲୋଚନା କରି ପାଠ ପଢିଥାନ୍ତି । ଦିନକୁ ୧୦ ଘଂଟା ଅକ୍ଲାନ୍ତ ପରିଶ୍ରମ କରି ଏହି ଦୁଇ ଭାଇ ଆଜି ଏହି ସଫଳତା ପାଇ ପାରିଛନ୍ତି । ଆଗକୁ ଆହୁରି ଅଧିକ ପାଠ ପଢି ବାପା, ମାଆଙ୍କ ସ୍ୱପ୍ନ ପୂରଣ କରିବାର ଇଚ୍ଛା ରଖିଛନ୍ତି ଏହି ଦୁଇ ଭାଇ ।

ଅଭାବ ଅନାଟନ ଭିତରେ ବି ସଫଳତା ହାସଲ କରି ହୁଏ ତାହା ଏହି ଦୁଇ ଭାଇ ଆଜି ପ୍ରମାଣ କରି ଦେଖାଇଛନ୍ତି । କେବଳ ଯୁକ୍ତ ୨ ପରୀକ୍ଷାରେ ନୁହେଁ, ମାଟ୍ରିକ ପରୀକ୍ଷାରେ ମଧ୍ୟ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି ଏହି ଦୁଇଭାଇ କୃତକାର୍ଯ୍ୟ ହୋଇଥିଲେ । ସଫଳତା ପାଇବା ପରେ ଏବେ ଏମାନଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଛି । କେବଳ ପଟ୍ଟାମୁଣ୍ଡାଇ ନୁହେଁ, ସମଗ୍ର ଜିଲ୍ଲା ପାଇଁ ଏହି ଦୁଇ ମେଧାବୀ ଛାତ୍ର ଅନ୍ୟ ବିଦ୍ୟାର୍ଥୀଙ୍କ ପାଇଁ ଆଦର୍ଶ ପାଲଟିଛନ୍ତି । ଉଚ୍ଚ ଶିକ୍ଷା ପାଇଁ ସରକାରୀ ପ୍ରୋତ୍ସାହନ ମିଳିଲେ ଏହି ଦୁଇ ଭାଇ ଆଗକୁ ଅଧିକ ପାଠ ପଢି ଅଂଚଳ ପାଇଁ ଗୌରବ ଆଣି ପାରିବେ ବୋଲି ସାଧାରଣରେ ଦାବି ହୋଇଛି ।