୫-ଟି କାର୍ଯ୍ୟ କହି ମାଟି ଚାଲାଣ ହେଉଥିବା ଅଭିଯୋଗ: ରାତିରେ ଜେସିବି, ଟ୍ରାକ୍ଟର ଲଗାଇ ସରକାରୀ ଜମିରୁ ମାଟି ଉଠାଉଛନ୍ତି ମାଫିଆ

94

କନକ ବ୍ୟୁରୋ: ୫ଟି କାର୍ଯ୍ୟ ନାଁ ଲୁଟ ହେଉଛି ମାଟି । ଧିରେ ଧିରେ ଲୋପ ପାଉଛି ଗୋଚର ଜମି । ସରକାରୀ କାମର ଆଳ ଦେଖାଇ ଲୋକଙ୍କୁ ଭୂଆଁ ବୁଲାଉଛନ୍ତି ମାଟି ମାଫିଆ । ନିରୀହ ଗ୍ରାମବାସୀଙ୍କୁ ନାଲି ଆଖି ଦେଖାଇ ରାତି ଅଧିଆ ଚାଲାଣ ହେଉଛି ମାଟି । ଜେସିବି, ଟ୍ରାକ୍ଟର ଲଗାଇ ସରକାରୀ ଜାଗାରୁ ହେଉଛି ବେଆଇନ ମାଟି ଚାଲାଣ । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବସ୍ତା ତହସିଲ ଅନ୍ତର୍ଗତ ନଟାକେଶ ମୌଜାରେ । ଗ୍ରାମବାସୀମାନେ ମାଟି ଉଠାଇବାକୁ ବିରୋଧ କରିବାରୁ ମାଫିଆମାନେ ଏହି ମାଟି ୫ଟି ଯୋଜନାରେ ନିର୍ମାଣ ହେଉଥିବା ସ୍ମାର୍ଟ ସ୍କୁଲକୁ ଯାଉଛି ବୋଲି କହି ଲୋକଙ୍କୁ ଭୁଆଁ ବୁଲାଇଥିବା ଅଭିଯୋଗ ହୋଇଛି ।

ନଟାକେଶ ଗ୍ରାମରେ ଅଧିକାଂଶ ଲୋକ ଗରିବ ସୀମାରେଖା ତଳେ ବସବାସ କରୁଥିବାରୁ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ଯୋଜନାରେ ଋଣ ଆଣି ଗାଇ ଓ ଛେଳି ଚାଷ କରିଛନ୍ତି । ଏହି ଗାଈ ଓ ଛେଳିମାନଙ୍କୁ ଗ୍ରାମର ଗୋଚର ଜମି ପଡିଆରେ ଚରାଇଥାନ୍ତି । ହେଲେ ମାଫିଆମାନେ ଉକ୍ତ ଗୋଚର ପଡିଆକୁ ଖୋଳି ନେଉଥିବାରୁ ସେମାନେ ଗ୍ରାମବାସୀମାନେ ଗାଈ, ଛେଳି ଚରାଇବା ନେଇ ଚିନ୍ତାରେ ପଡିଯାଇଛନ୍ତି ।

ଯଦି ଏବାବଦରେ ପ୍ରଶାସନ କୌଣସି ପଦକ୍ଷେପ ନ ନିଅନ୍ତି, ତେବେ ସେମାନେ ଆଣିଥିବା ୠଣ ସୁଜିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି । ଏପଟେ ଜମିରୁ ମାଟି ଖୋଲିବା ପାଇଁ ତହସିଲ ପକ୍ଷରୁ କୌଣସି ଅନୁମତି ଦିଆଯାଇ ନାହିଁ କହିଛନ୍ତି ବସ୍ତା ତହସିଲଦାର । ରାଜସ୍ୱ ବିଭାଗ ଘଟଣାର ନିରପେକ୍ଷ ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନେବା ପାଇଁ ସ୍ଥାନୀୟ ଅଂଚଳରେ ଦାବି ହୋଇଛି ।