ଏହି ସରକାର ଆଣିଲେ ଅଜବ ନିୟମ । ଦାଢି ନଥିଲେ ସରକାରୀ ଚାକିରି ମନା, ବିନା ପୁରୁଷରେ ବିମାନରେ ଯାଇପାରିବେ ନାହିଁ ମହିଳା

1,725

କନକ ବ୍ୟୁରୋ : ଆଫଗାନିସ୍ତାନ ଦଖଲ କରିବା ପରେ ତାଲିବାନ ଶାସକମାନେ ସେଠାରେ ବିଭିନ୍ନ ଆଇନର ପରିବର୍ତ୍ତନ କରିବାରେ ଲାଗିଛନ୍ତି । ଏବେ ତାଲିବାନ ଶାସକ ଏକ ନୂଆ ନିୟମ ଲାଗୁ କରିଛନ୍ତି । ନୂଆ ନିୟମ ମୁତାବକ କୌଣସି ସରକାରୀ କର୍ମଚାରୀ ବିନା ଦାଢିରେ ସରକାରୀ ଦପ୍ତରକୁ ପ୍ରବେଶ କରିପାରିବ ନାହିଁ । ଏଭଳି କଲେ ତାଙ୍କୁ ଚାକିରିରୁ ବରଖାସ୍ତ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । କେବଳ ସେତିକି ନୁହେଁ ସେଠାରେ ସରକାରୀ ଚାକିରିଆଙ୍କର ଡ୍ରେସକୋର୍ଡ ବି ପରିବର୍ତ୍ତନ କରାଯାଇଛି । ଆଫଗାନିସ୍ତାନ ଧାର୍ମିକ ମନ୍ତ୍ରଣାଳୟ ତରଫରୁ କୁହାଯାଇଛି କି, ଦାଢି ଥିବା ସଂଗେ କର୍ମଚାରୀମାନେ ଲମ୍ବା ଓ ଢିଲା କୁର୍ତ୍ତା ପାଇଜାମା ବ୍ୟତୀତ ଅନ୍ୟ କୌଣସି ପୋଷାକରେ ସରକାରୀ ଅଫିସ ଆସିପାରିବେ ନାହିଁ ।

କେବଳ ସେତିକି ନୁହେଁ, ଆଫଗାନିସ୍ତାନରେ ତାଲିବାନ ସରକାର ମହିଳାଙ୍କ ପାଇଁ କଠୋର ନିୟମ ଲାଗୁ କରିଛି । ନୂଆ ନିୟମ ମୁତାବକ ଯଦି ଜଣେ ମହିଳା ବିମାନରେ ଯାତ୍ରା କରିବାକୁ ଚାହାଁନ୍ତି ତେବେ ତାଙ୍କ ସାଥିରେ ଜଣେ ପୁରୁଷ ଆସିବା ବାଧ୍ୟତାମୂଳକ । ସେପଟେ ମହିଳାମାନଙ୍କୁ ପୁରୁଷମାନଙ୍କ ସହ ପାର୍କ ଯିବାକୁ ବାରଣ କରାଯାଇଛି । କୁହାଯାଇଛି କି ପୁରୁଷମାନେ ଗୋଟିଏ ଦିନ ଓ ମହଳାମାନେ ଅନ୍ୟ ଗୋଟିଏ ଦିନ ପାର୍କ ଯାଇପାରିବେ ।

ସେପଟେ ଦୋକାନ ବାହାରେ କୌଣସି ଦୋକାନୀ ମହିଳାଙ୍କ ଫଟୋ ଥିବା ବୋର୍ଡ ଲଗାଇବା ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏହିସବୁ ଆଇନ ପ୍ରଚଳନ କରିବା ପଛରେ ତାଲିବାନ ସରକାର ଇସଲାମ ନିୟମର ଦ୍ୱାହୀ ଦେଇଛି ।