ନଭେମ୍ବର ମାସରେ ବିଧାନସଭା ନିର୍ବାଚନ! ଚର୍ଚ୍ଚା ବଢ଼ାଇଲା ମନମୋହନଙ୍କ ଭବିଷ୍ୟବାଣୀ

744

କନକ ବ୍ୟୁରୋ: କଣ ରାଜ୍ୟରେ ହେବ ଆଗୁଆ ନିର୍ବାଚନ? ଏହାକୁ ନେଇ ଅନେକ ପ୍ରକାର କଳ୍ପନା-ଜଳ୍ପନା ଜାରି ରହିଛି । ହେଲେ ଏହାରି ଭିତରେ ରାଜ୍ୟ ବିଜେପି ସଭାପତିଙ୍କ ବୟାନ ଏକ ନୂଆ କଥା ସାମ୍ନାକୁ ଆଣିଛି । ମନମୋହନ ସାମଲ କହିଛନ୍ତି, ରାଜ୍ୟରେ ଆଗୁଆ ନିର୍ବାଚନ ହେବ । ଆଉ ଏ ନିର୍ବାଚନ ଚଳିତବର୍ଷ ନଭେମ୍ବର ମାସରେ ହେବ ବୋଲି ବଡ଼ ବୟାନ ଦେଇଛନ୍ତି । ତାଙ୍କର ଏଭଳି ଭବିଷ୍ୟବାଣୀକୁ ନେଇ ରାଜ୍ୟ ରାଜନୀତିରେ ଆରମ୍ଭ ହୋଇଯାଇଛି ଜବରଦସ୍ତ ବୟାନବାଜି । ବିଜେଡି କହିଛି ନିର୍ବାଚନ କେବେ ହେଲେ ଆମ ପାଇଁ ଆହ୍ୱାନ ନୁହେଁ । ଆଉ କଂଗ୍ରେସ କହିଛି, ଆଗୁଆ ନିର୍ବାଚନ ପାଇଁ ଦିଲ୍ଲୀରେ ବିଜେପି- ବିଜେଡି ଭିତରେ ଡିଲ୍ ହୋଇଛି ।

ରାଜ୍ୟରେ ଆଗୁଆ ବିଧାନସଭା ନିର୍ବାଚନ ହେବା ନେଇ ଚର୍ଚ୍ଚା ଭିତରେ, ଆଉ ପାଦେ ଆଗକୁ ଯାଇ ବଡ ବୟାନ ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମନମୋହନ କେବଳ ଆଗୁଆ ନିର୍ବାଚନ ହେବ ବୋଲି ଆକଳନ କରି ନାହାନ୍ତି, ବରଂ ସିଧାସଳଖ କେଉଁ ମାସରେ ନିର୍ବାଚନ ହେବ ସେ ନେଇ ଭବିଷ୍ୟବାଣୀ କରିଛନ୍ତି । କହିଛନ୍ତି, ଆଉ ଅଢ଼େଇ ମାସ ଭିତରେ ଓଡି଼ଶା ବିଧାନସଭା ନିର୍ବାଚନ ହେବ । ଅକ୍ଟୋବର ଓ ନଭେମ୍ବର ଭିତରେ ଆଗ୍ରୁଆ ନିର୍ବାଚନ ହୋଇପାରେ ।

ଗତ କିଛି ଦିନ ତଳେ ମନମୋହନ ସାମଲ ଦିଲ୍ଲୀରେ କେନ୍ଦ୍ରର ଶୀର୍ଷ ନେତୃତ୍ୱଙ୍କୁ ଭେଟି ଫେରିଥିବାରୁ ତାଙ୍କର ଏହି ବୟାନ ବେଶ ଗୁରୁତ୍ୱବହନ କରୁଛି । ଚର୍ଚ୍ଚା ହେଉଛି, ଆଗୁଆ ନିର୍ବାଚନ ହେବା ନେଇ ମନମୋହନ କେନ୍ଦ୍ରରୁ ସୂଚନା ପାଇଥାଇପାରନ୍ତି ।

ରାଜ୍ୟରେ ଆଗୁଆ ନିର୍ବାଚନ ନେଇ ମନମୋହନ କହିବା ପରେ ପ୍ରତିକ୍ରିୟା ରଖିଛନ୍ତି ଉଭୟ ବିଜେଡି ଓ କଂଗ୍ରେସ । ବିଧାୟକ ପ୍ରତାପ ଜେନା କହିଛନ୍ତିି, ବିଜେଡି ପାଇଁ ନିର୍ବାଚନ କେବେ ବି ଆହ୍ୱାନ ନୁହେଁ । ବିଜେଡି ସବୁବେଳେ ଲୋକଙ୍କ ସହ ଅଛି, ଲୋକଙ୍କ ପାଇଁ କାମ କରୁଛି । ତେଣୁ ଓଡିଶାବାସୀଙ୍କ ଆର୍ଶୀବାଦ ମୁଖ୍ୟମନ୍ତ୍ରୀ ଓ ବିଜେଡି ସହ ଅଛି । ନିର୍ବାଚନ ପାଇଁ ବିଜେଡି ସବୁବେଳେ ପ୍ରସ୍ତୁତ । ତେବେ ମନମୋହନଙ୍କ ଭବିଷ୍ୟବାଣୀକୁ ନେଇ ତେରେଛା ବାଣ ମାରିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି । କହିଛନ୍ତି, ବିଜେଡି ବିଜେପି ମଧ୍ୟରେ ଦିଲ୍ଲୀରେ ଡିଲ୍ ହୋଇଛି । ତେଣୁ ସେମାନେ ଆଗୁଆ ନିର୍ବାଚନ କଥା କହୁଛନ୍ତି । ବିଜେପି ଯେଉଁଠି ଜିତିବା ପାଇଁ ଚାହିଁବ ବିଜେଡି ସେଠାରେ ଦୁର୍ବଳ ପ୍ରାର୍ଥୀ ଦେବ । ରାଜ୍ୟରେ ଆଗୁଆ ନିର୍ବାଚନ ହେବା ନେଇ କାହିଁକି ଜୋର ଧରିଛି ଚର୍ଚ୍ଚା..

କାହିଁକି ଆଗୁଆ ନିର୍ବାଚନ ଚର୍ଚ୍ଚା?
– ନିର୍ବାଚନ ମୋଡକୁ ଆସି ରାଜ୍ୟ ସରକାର ବଡ ବଡ ଘୋଷଣା କରିବା
– ବିଜେଡି ସୁପ୍ରିମୋ ଦଳୀୟ ନେତାଙ୍କୁ ଡାକି ଟିକେଟ୍ ପ୍ରସଙ୍ଗରେ ଚର୍ଚ୍ଚା କରିବା
– କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଗୁଆ ନିର୍ବାଚନ କଥା କହିବା
– ମାଳ ମାଳ କେନ୍ଦ୍ରୀୟ ନେତା ଓଡି଼ଶାରେ ଡେରା ପକାଇବା
– ତିନି ପ୍ରମୁଖ ରାଜନୈତିକ ଦଳର ସାଂଗଠନିକ କାର୍ଯ୍ୟକ୍ରମ