ଆମକୁ ଥରେ ମାତ୍ର ସୁଯୋଗ ଦିଅନ୍ତୁ, କାମ ନକଲେ ବାହାର କରିଦେବେ । ପଢନ୍ତୁ, ଗୁଜରାଟବାସୀଙ୍କୁ ଏପରି କାହିଁକି କହିଲେ କେଜରିୱାଲ?

666

କନକ ବ୍ୟୁରୋ: ଗୁଜରାଟରେ ଚଳିତ ବର୍ଷ ଶେଷ ଆଡକୁ ନିର୍ବାଚନ ହୋଇପାରେ, ହେଲେ ଏହା ପୂର୍ବରୁ ସେଠାରେ ନିର୍ବାଚନୀ ରଣନୀତି ଆରମ୍ଭ କରିଦେଇଛନ୍ତି ଆମ ଆଦମୀ ପାର୍ଟିର ନେତା ଅରବିନ୍ଦ କେଜରିୱାଲ । ରବିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଗୁଜରାଟର ଭରୁଚରେ ଆଦିବାସୀ ସଙ୍କଳ୍ପ ମହାସମ୍ମିଳନୀରେ ଯୋଗ ଦେଇଥିଲେ । ଏହି ସମ୍ମିଳନୀରେ ସେ ଭାଗ ନେବା ସହିତ ଗୁଜରାଟ ସରକାର ଉପରେ ବର୍ଷିଛନ୍ତି ।

କେଜରିୱାଲ କହିଛନ୍ତି, ଗୁଜରାଟରେ ଏବେ ସରକାରୀ ସ୍କୁଲର ଅବସ୍ଥା ବହୁତ ଖରାପ ରହିଛି । ସେଠାରେ ୬ ହଜାର ସ୍କୁଲ ବି ବନ୍ଦ କରିଦିଆଯାଇଛି । ଅନେକ ସ୍କୁଲର କାନ୍ଥ ଏବେ ଦୁର୍ବଳ ହେବାକୁ ବସିଲାଣି । କିଛି କିଛି ସ୍କୁଲରେ ୭ଟି କ୍ଲାସ ପାଇଁ ଜଣେ ଶିକ୍ଷକ ଅଛନ୍ତି ବୋଲି କେଜରିୱାଲ କହିଛନ୍ତି । ତେଣୁ ଗୁଜରାଟ ସରକାରଙ୍କୁ ଟାର୍ଗେଟ କରି, କେଜରିୱାଲ କହିଛନ୍ତି ଏଠାରେ ଲକ୍ଷ ଲକ୍ଷ ପିଲାଙ୍କ ଭବିଷ୍ୟତ ଖରାପ ହେଉଛି । ତେଣୁ ଗୁଜରାଟରେ ଆପକୁ ଥରେ ସୁଯୋଗ ଦେବାକୁ କେଜରିୱାଲ ଗୁଜରାଟବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ଯଦି ସେ କାମ କରିବେନି, ତେବେ ତାଙ୍କୁ ବାହାର କରିଦେବେ ବୋଲି ମଧ୍ୟ ସେ କହିଛନ୍ତି ।

ନିଜ ସମ୍ବୋଧନରେ କେଜରିୱାଲ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲଙ୍କୁ ବି ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ବର୍ତ୍ତମାନ ଗୁଜରାଟରେ ପରୀକ୍ଷା ପେପର ଲିକ୍ ହେବା ବିଶ୍ୱ ରେକର୍ଡ ହେବାକୁ ବସିଲାଣି । ମୁଁ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କୁ ଚ୍ୟାଲେଞ୍ଜ ଦେଉଛି ଯେ, ସେ ବିନା ପେପର ଲିକରେ ଗୋଟିଏ ପରୀକ୍ଷା କରିକି ଦେଖାନ୍ତୁ । ତେବେ ଆମେ ଏମିତି ସ୍କୁଲ ବ୍ୟବସ୍ଥା ଦେବୁ, ଯେଉଁଥିରେ ଡାକ୍ତର, ଓକିଲ ଓ ଧନୀ ଲୋକଙ୍କ ପିଲା ପଢିବା ସହିତ ରିକ୍ସା ଚାଳକର ସନ୍ତାନ ମଧ୍ୟ ପଢିପାରିବେ । ତେଣୁ ତାଙ୍କୁ ଥରେ ମାତ୍ର ଗୁଜରାଟରେ ସୁଯୋଗ ଦେବାକୁ କେଜରିୱାଲ ଗୁଜରାଟବାସୀଙ୍କୁ ଆହ୍ୱାନ ଦେଇଛନ୍ତି ।