ଦିଲ୍ଲୀକୁ ଟପିଗଲା ଅନୁଗୁଳର ପ୍ରଦୂଷଣ । କଟକ, ଭୁବନେଶ୍ୱରରେ ବି ସ୍ଥିତି ସଂଗୀନ । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ରିପୋର୍ଟକୁ ନେଇ ଚିନ୍ତା ।

177

କନକ ବ୍ୟୁରୋ: ଚିନ୍ତା ବଢାଉଛି ବାୟୁ ପ୍ରଦୂଷଣ । ଓଡିଶାର ଅନେକ ସ୍ଥାନର ପ୍ରଦୂଷଣର ମାତ୍ରା ରାଜଧାନୀ ଦିଲ୍ଲୀକୁ ଟପିଯାଉଛି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ରିପୋର୍ଟ ଅନୁସାରେ, ଦେଶର ୧୬ଟି ସହରର ପ୍ରଦୂଷଣ ମାତ୍ରା ସାଂଘାତିକ ସ୍ଥିତିରେ ରହିଛି । ବଡ଼ କଥା ହେଉଛି ସେଥିମଧ୍ୟରେ ରହିଛି ଓଡ଼ିଶାର ୬ସହର ।

ଦିଲ୍ଲୀ ତୁଳନାରେ ଅନୁଗୁଳର ପ୍ରଦୂଷଣ ମାତ୍ରା ଅଧିକ ରହିଛି । ଅନୁଗୁଳରେ ବାୟୁପ୍ରଦୂଷଣ ମାତ୍ରା ୩୫୨ ରହିଥିବା ବେଳେ ଦିଲ୍ଲୀରେ ୩୪୫ ରହିଛି । କଟକରେ ବାୟୁ ପ୍ରଦୂଷଣ ମାତ୍ରା ୩୪୦ ଥିବା ବେଳେ ବାଲେଶ୍ୱରରେ ୩୩୪, ଭୁବନେଶ୍ୱରରେ ୩୩୪, କେନ୍ଦୁଝରରେ ୩୨୬, ତାଳଚେରରେ ୩୦୪ ରହିଛି । ରାଇରଙ୍ଗପୁରରେ ପ୍ରଦୂଷଣ ମାତ୍ରା ୩୦୦ ଏବଂ ବଡ଼ବିଲରେ ୨୯୨ ରହିଛି, ଯାହା ସାଂଘାତିକ ସ୍ଥିତି ବୋଲି କୁହାଯାଉଛି । ସୋମବାର କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦ ବା ସିପିସିବିର ତଥ୍ୟ ଅନୁସାରେ, ବାଲେଶ୍ୱର ସହରର ବାୟୁର ସୂଚକାଙ୍କ ମାନ ଅତି ସାଂଘାତିକ ସ୍ତରରେ ରହିଥିଲା । ରବିବାର ବାଲେଶ୍ୱରରେ ବାୟୁ ସୂଚକାଙ୍କ ମାନ ୩ଶହ ଟପି ଯାଇଥିଲା । ଯାହାକି ସ୍ୱାସ୍ଥ୍ୟପକ୍ଷେ ଅତ୍ୟନ୍ତ କ୍ଷତିକାରକ ।