ଅସମ୍ଭବ ନୁହେଁ ମଦ ବ୍ୟାନ । ରାଜସ୍ୱ ଆଦାୟ ପାଇଁ ଅଛି ବିକଳ୍ପ ବ୍ୟବସ୍ଥା । ମନ୍ତ୍ରୀଙ୍କ ବୟାନ ପରେ ବଢିଲା ଚର୍ଚ୍ଚା….

1,435

କନକ ବ୍ୟୁରୋ: ମଦ ଉଜାଡିଦେଇଛି ସବୁକିଛି । ଛାରଖାର କରିଦେଇଛି ସୁନାର ସଂସାର । ମାତ୍ର କେଇ ଦିନରେ ସବୁ କିଛି ହରାଇଛନ୍ତି ଦୀନା କେରେଇ । ଭୁବନେଶ୍ୱରର ବସ୍ତିରେ ରହନ୍ତି ଦୀନା । ସ୍ୱାମୀ ଓ ଦୁଇ ଛୁଆଙ୍କ ସହ ହସ ଖୁସିରେ ଚାଲିଥିଲା ପରିବାର । କିନ୍ତୁ କିଏ ବା ଜାଣିଥିଲା ଏହି ମଦ ସବୁକିଛି ଧ୍ୱଂସ କରିଦେବ । ମଦ ପିଇ ପିଇ ଅସୁସ୍ଥ ହୋଇପଡିଥିଲେ ଦୀନାଙ୍କ ସ୍ୱାମୀ । ଆଉ ଏହି ମଦ ହିଁ ନେଇଗଲା ତାଙ୍କ ଜୀବନ । ସ୍ୱାମୀକୁ ହରାଇ ଦୁଇ ପିଲାଙ୍କୁ ସାଥିରେ ବଞ୍ଚୁଥିବାବେଳେ ପୁଅ ବି ମଦର ମାୟାଜାଲରେ ଫସିଚାଲିଲା । ସ୍ୱାମୀକୁ ହରାଇବା ପରେ ଏବେ ଦୀନାଙ୍କୁ ପୁଅକୁ ହରାଇବାର ଭୟ ଘାରିଛି ।

ତେବେ ରାଜ୍ୟରେ ମଦ ବନ୍ଦ ହୋଇପାରେ ବୋଲି ବୁଧବାର ଦିନ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମନ୍ତ୍ରୀ ସଙ୍କେତ ଦେଇଛନ୍ତି । ଏହାପରେ ରାଜ୍ୟରେ ମଦ ବନ୍ଦ ହୋଇପାରେ ବୋଲି ବେଶ ଚର୍ଚ୍ଚା ହେଉଛି । ଏହି ସମୟରେ ମଦ ମୁକ୍ତ ଓଡିଶା ପାଇଁ ରାଜ୍ୟର ସମସ୍ତ ବିଧାୟକଙ୍କୁ ପତ୍ର ଲେଖିଛନ୍ତି ପୂର୍ବତନ ବିଧାୟକ ପଦ୍ମ ଚରଣ ନାୟକ ।

  • ଅସମ୍ଭବ ନୁହେଁ ମଦ ବ୍ୟାନ
  • ରାଜସ୍ୱ ଆଦାୟ ପାଇଁ ଅଛି ବିକଳ୍ପ ବ୍ୟବସ୍ଥା

ରାଜ୍ୟ ସରକାର ଅବକାରୀରୁ ୧୦ ହଜାର କୋଟି ଟଙ୍କା ରାଜସ୍ୱ ପାଉଛନ୍ତି । ପ୍ରତ୍ୟେକ ବର୍ଷ ଏହା ବଢିବାରେ ଲାଗିଛି । କିନ୍ତୁ ରାଜ୍ୟରେ ବିଜେପି ଶାସନ ଆରମ୍ଭ ହେଉଣୁ ମଦ ବନ୍ଦ ନେଇ ଚର୍ଚ୍ଚା ଆରମ୍ଭ ହେଲାଣି । ତେବେ ପ୍ରଶ୍ନ ଉଠୁଛି ଯଦି ରାଜ୍ୟ ସରକାର ମଦରୁ ହଜାର ହଜାର କୋଟି ଟଙ୍କା ରାଜସ୍ୱ ପାଉଛି ତେବେ ମଦକୁ କ’ଣ ସମ୍ପୂର୍ଣ ବନ୍ଦ କରାଯାଇପାରିବ?

ଅର୍ଥନୀତି ବିଶେଷଜ୍ଞଙ୍କ କହିବା ଅନୁଯାୟୀ ମଦ ହଜାର ହଜାର କୋଟି ଟଙ୍କାର ରାଜସ୍ୱ ଦେଉଛି । ଏଥିଯୋଗୁଁ ମଦ ସଂପର୍କିତ ସ୍ୱାସ୍ଥ୍ୟ ଜନିତ ସମସ୍ୟା , ହିଂସା ଓ ସଡକ ଦୁର୍ଘଟଣା ଭଳି ଅନେକ ଘଟଣା ଘଟିଚାଲିଛି । ଏହାର ହିସାବ କଲେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ରାଜସ୍ୱ ଆଦାୟ ପାଇଁ ରାଜ୍ୟ ସରକାର ବିକଳ୍ପ ପନ୍ଥା ଆପଣାଇପାରନ୍ତି ବୋଲି କହିଛନ୍ତି ବିଶେଷଜ୍ଞ । ତେବେ ଓଡିଶାକୁ ମଦ ମୁକ୍ତ କରାଯିବ ବୋଲି ରାଜ୍ୟ ବିଜେପି ନିର୍ବାଚନ ଇସ୍ତାହାରରେ ପ୍ରତିଶ୍ରୃତି ଦେଇଥିଲେ । ଆଉ ମନ୍ତ୍ରୀଙ୍କ ବୟାନ ଏହି ଚର୍ଚ୍ଚାକୁ ବଳ ଯୋଗାଇଛି ।