ହସ୍ପିଟାଲ ବେଡରେ ରାୱଲପିଣ୍ଡି ଏକ୍ସପ୍ରେସ । ଭିଡ଼ିଓ ସେୟାର କରି କହିଲେ, ବହୁତ କଷ୍ଟ ପାଉଛି, ମୋ ପାଇଁ କର ପ୍ରାର୍ଥନା ।

5,326

କନକ ବ୍ୟୁରୋ : ହସ୍ପିଟାଲ ବେଡରେ ରାୱଲପିଣ୍ଡି ଏକ୍ସପ୍ରେସ । ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖତର ଏବେ କଷ୍ଟକର ସମୟ ଦେଇ ଗତି କରୁଛନ୍ତି । ଅଷ୍ଟ୍ରେଲିଆର ଏକ ହସ୍ପିଟାଲରୁ ଅଖତର ଯେଉଁ ଭିଡ଼ିଓ ସେୟାର କରିଛନ୍ତି ସେଥିରେ ନିଜର ସମସ୍ୟା ସମ୍ପର୍କରେ ଅବଗତ କରିଛନ୍ତି । ଏପରିକି କହିଛନ୍ତି, ହସ୍ପିଟାଲ ବେଡରେ ମୁଁ ବହୁତ କଷ୍ଟ ପାଉଛି, ମୋ ପାଇଁ ପ୍ରାର୍ଥନା କରନ୍ତୁ । ସୋସିଆଲ ମିଡ଼ିଆରେ ସବୁବେଳେ ସକ୍ରିୟ ରହୁଥିବା ଅଖତର ନିଜର ସ୍ୱାସ୍ଥ୍ୟ ସମସ୍ୟା ବାବଦରେ ପ୍ରଂଶସକଙ୍କୁ ଜଣାଇଛନ୍ତି ।

ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖତର ଏବେ ଅଷ୍ଟ୍ରେଲିଆରେ ଚିକିତ୍ସିତ ହେଉଛନ୍ତି । ଅଷ୍ଟ୍ରେଲିଆରେ ନିଜ ଦୁଇ ଆଣ୍ଠୁର ସର୍ଜରୀ କରାଇଛନ୍ତି ସୋଏବ । ଆଉ ସର୍ଜରୀ ପରେ ହସ୍ପିଟାଲ ବେଡରୁ ଭିଡ଼ିଓ ସେୟାର କରି ସୋଏବ କହିଛନ୍ତି, ମୁଁ ବହୁତ କଷ୍ଟ ପାଉଛି, ପ୍ରଂଶସକ ମାନଙ୍କର ଆର୍ଶୀବାଦ ଦରକାର ।

ଅଷ୍ଟ୍ରେଲିଆର ମେଲବୋର୍ଣ୍ଣରୁ ନିଜର ପ୍ରଂଶସକଙ୍କୁ ସୋଏବ କହିଛନ୍ତି, ମୁଁ ଏବେ ଦୁଇଟି ଆଣ୍ଠୁର ସର୍ଜରୀ କରିଛି । ଆଉ ଭାବୁଛି ଏହା ମୋର ଶେଷ ସର୍ଜରୀ ହେବ । ଦୁଇ ଆଣ୍ଠୁର ୫ରୁ ୬ ଘଣ୍ଟା ପର୍ଯ୍ୟନ୍ତ ସର୍ଜରୀ ହୋଇଥିଲା । ଆଉ ସର୍ଜରୀ ପରେ ବହୁତ କଷ୍ଟ ହେଉଛି । କ୍ରିକେଟରୁ ଅବସର ନେବାର ୧୧ ବର୍ଷ ପରେ ମଧ୍ୟ କଷ୍ଟ ପାଉଛି । ମୁଁ ଆହୁରି ୪ରୁ ୫ ବର୍ଷ ପର୍ଯ୍ୟନ୍ତ କ୍ରିକେଟ ଖେଳି ପାରିଥାନ୍ତି । କିନ୍ତୁ ଯଦି କ୍ରିକେଟ ଖେଳିଥାନ୍ତି ତେବେ ମୋତେ ସାରା ଜୀବନ ହ୍ୱିଲ ଚେୟାରରେ କାଟିବାକୁ ପଡିଥାନ୍ତା । ଯେଉଁଥିପାଇଁ ମୁଁ କ୍ରିକେଟ ଛାଡିଦେଲି । ଆଉ ଏହା ମୁଁ ପାକିସ୍ତାନ କ୍ରିକେଟର ଭଲ ପାଇଁ କରିଥିଲି, ଏବେ ମଧ୍ୟ ଯଦି ମୋତେ ପାକିସ୍ତାନ ପାଇଁ ଖେଳିବାକୁ ସୁଯୋଗ ମିଳେ ତେବେ ଏଥିପାଇଁ ମୁଁ ପ୍ରସ୍ତୁତ ବୋଲି କହିଛନ୍ତି ସୋଏବ ଅଖତର ।

ସୋଏବ ଅଖତର କ୍ରିକେଟରୁ ଅବସର ନେବା ପରେ ଏବେ ଭାଷ୍ୟକାର ଭୂମିକାରେ ନଜର ଆସୁଛନ୍ତି । ଏପରିକି ନିଜର ୟୁଟ୍ୟୁବ ଚ୍ୟାନେଲରେ ନିୟମିତ ଭାବେ କ୍ରିକେଟ ବାବଦରେ ସୂଚନା ସେୟାର କରିଥାନ୍ତି । ଯାହାକୁ ଲକ୍ଷ ଲକ୍ଷ କ୍ରିକେଟ ପ୍ରଂଶସକ ପସନ୍ଦ କରିଥାନ୍ତି । ସୋଏବ ଅଖତର ପାକିସ୍ତାନ ପାଇଁ ୪୬ ଟେଷ୍ଟ, ୧୬୩ ଦିନିକିଆ ଓ ୧୫ ଟି-୨୦ ମ୍ୟାଚ୍ ଖେଳିଛନ୍ତି । ୩ଟି ଫର୍ମାଟରେ ୪୦୦ରୁ ଅଧିକ ୱିକେଟ ନେଇ ସୋଏବ ପାକିସ୍ତାନର ଶ୍ରେଷ୍ଠ ଖେଳାଳୀ ପାଲଟିଛନ୍ତି ।