ସରକାର ହଟାଇଲେ ‘ଫେୟାର କ୍ୟାପ୍’, ଆକାଶଛୁଆଁ ବିମାନ ଭଡାରୁ ଯାତ୍ରୀଙ୍କୁ ମିଳିଲା ମୁକ୍ତି

1,445

କନକ ବ୍ୟୁରୋ : ବିମାନ ଭଡାକୁ ନେଇ ସରକାର ଲଗାଇଥିବା ବାଧ୍ୟତା ମୂଳକ ଫେୟାର କ୍ୟାପ ହଟାଇ ଦେବା ପରେ ଏବେ ବିମାନ କମ୍ପାନୀମାନେ ସେମାନଙ୍କ ଭଡା କମାଇଛନ୍ତି । ଗତମାସ ଯେଭଳି ଭାବେ ବିମାନଭଡା ଆକାଶଛୁଆଁ ହୋଇଥିଲା ଏହା ପରେ ସର୍ବନିମ୍ନ ସ୍ତରକୁ ଖସି ଆସିଛି ।

ଏକ ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ଗତ ସପ୍ତାହରେ ସରକାର ବାଧ୍ୟତା ମୂଳକ ଫେୟାର କ୍ୟାପ ହଟାଇ ଦେଇଥିଲେ । ଫେୟାର କ୍ୟାପର ଅର୍ଥ ହେଉଛି ଧାର୍ଯ୍ୟ ହୋଇଥିବା ଭଡାର ସୀମା ଠାରୁ କମ୍ କିମ୍ବା ଅଧିକ ଦରରେ ଏୟାରଲାଇନ କମ୍ପାନୀମାନେ ଯାତ୍ରୀମାନଙ୍କୁ ଟିକେଟ ବିକ୍ରି କରିପାରିବେ ନାହିଁ । ଏହା ପୂର୍ବରୁ ବାଧ୍ୟତାମୂଳକ ଥିଲା । ହେଲେ ସରକାର ଏହି କଟକଣା ହଟାଇ ଦେବା ପରେ ଏବେ କମ୍ପାନୀମାନେ ଯାତ୍ରୀମାନଙ୍କୁ ଆକୃଷ୍ଟ କରିବାକୁ ପୁରା ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏହି କ୍ରମରେ ଅକାଶା ଏୟାର, ଇଣ୍ଡିଗୋ, ଏୟାର ଏସିଆ, ଗୋ ଫାଷ୍ଟ ଓ ବିସ୍ତରା ଭଳି କମ୍ପାନୀମାନେ ଟିକେଟ ଦାମ କମ୍ କରିଛନ୍ତି ।

ସେପଟେ ଗୋଟିଏ ମାସ ପୂର୍ବରୁ ଆରମ୍ଭ ହୋଇଥିବା ଅକାଶା ଏୟାର ସବୁଠାରୁ ଆଗରେ ରହିଛି ଗତମାସ ମୁମ୍ବାଇରୁ ବେଙ୍ଗାଲୋର ପାଇଁ ଟିକେଟର ଦାମ ୩୯୪୮ ଟଙ୍କା ଥିବା ବେଳେ ଏହାକୁ ଏବେ ୨ ହଜାର ଟଙ୍କା କରିଛି । ସେହିଭଳି ମୁମ୍ବାଇରୁ ଅହମ୍ମଦାବାଦ ପାଇଁ ଟିକେଟର ଦାମ ଗତମାସ ୫୦୦୮ ଟଙ୍କା ରଖିଥିବା ବେଳେ ଏବେ ଏହି ଟିକେଟ ଉପରେ ୧୪୦୦ ଟଙ୍କା କମ କରିଛି ।