ଖୁସିଖବର : ୟୁକ୍ରେନରେ ଫଶିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ମିଶନ ଆରମ୍ଭ, ପ୍ରଥମ ପର୍ଯ୍ୟାୟରେ ୨୪୨ ଭାରତୀୟଙ୍କୁ ଧରି ଦିଲ୍ଲୀ ଅଭିମୁଖେ ଉଡିଲା ଏୟାର ଇଣ୍ଡିଆର ବିମାନ ।

118

କନକ ବ୍ୟୁରୋ : ୟୁକ୍ରେନ-ଋଷ ମଧ୍ୟରେ ବିବାଦ ଭିତରେ ଭାରତ ପାଇଁ ଖୁସି ଖବର । ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ସ୍ଥିତି ଉତ୍ପନ୍ନ ହୋଇଥିବା ବେଳେ ହଜାର ହଜାର ଭାରତୀୟ ଏଠାରେ ଫଶି ରହିଛନ୍ତି । ତେଣୁ ସମସ୍ତ ଭାରତୀୟ ଉଦ୍ଧାର କରିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଯେଉଁ ଉଦ୍ୟମ ଆରମ୍ଭ ହୋଇଥିଲା ତାହା ସଫଳ ହୋଇଛି । ୟୁକ୍ରେନରୁ ୨୪୨ ଜଣ ଭାରତୀୟଙ୍କୁ ଧରି ଦିଲ୍ଲୀ ଅଭିମୁଖେ ଉଡାଣ ଆରମ୍ଭ କରିଛି ଏୟାର ଇଣ୍ଡିଆ ବିମାନ । ଏହି ବିମାନ ଦିଲ୍ଲୀରେ ରାତି ୧୦ଟା ୧୫ ମିନିଟ୍ ସମୟରେ ଅବତରଣ କରିବ ।

ୟୁକ୍ରେନ ଅଭିମୁଖେ ଆଜି ସକାଳ ୭ଟା ୩୦ ମିନିଟରେ ଉଡାଣ ଭରିଥିଲା ଏୟାର ଇଣ୍ଡିଆର ବିମାନ । ସପ୍ତାହକ ଭିତରେ ୩ଟି ବିମାନରେ ଫେରିବେ ଭାରତୀୟ ।ସେହିପରି ୨୪ ଓ ୨୬ ତାରିଖରେ ଆଉ ଦୁଇଟି ବିମାନ ୟୁକ୍ରେନରୁ ଭାରତୀୟଙ୍କୁ ନେଇ ଦିଲ୍ଲୀ ଆସିବ । ଏହାପୂର୍ବରୁ ୟୁକ୍ରେନକୁ ଏୟାର ଇଣ୍ଡିଆର କୌଣସି ବିମାନ ଚଳାଚଳ କରିନଥିଲା । କିନ୍ତୁ ଯୁଦ୍ଧ ସଙ୍କଟ ଭିତରେ ଭାରତୀୟଙ୍କୁ ଉଦ୍ଧାର ପାଇଁ ସଙ୍କଟମୋଚକ ସାଜି ଉଭା ହୋଇଥିଲା ଏୟାର ଇଣ୍ଡିଆର ବିମାନ । ଆଉ ୟୁକ୍ରେନରେ ଫଶିଥିବା ଭାରତୀୟ ନାଗରିକଙ୍କୁ ଉଦ୍ଧାର ପାଇଁ ଏବେ ଅପରେସନ ଆରମ୍ଭ ହୋଇଛି ।

ସେପଟେ, ୟୁକ୍ରେନ୍‌-ଋଷ ସୀମାରେ ଅଶାନ୍ତ ସ୍ଥିତି ଲାଗି ରହିଛି । କ୍ଷେପଣାସ୍ତ୍ର ପରୀକ୍ଷଣ, ସାମରିକ ସମରାଭ୍ୟାସ ଋଷ ଜାରି ରଖିଛି । ୟୁକ୍ରେନ୍‌ ଉପରେ ଋଷ ଯେ‌କୌଣସି ସମୟରେ ଆକ୍ରମଣ କରିପାରେ ବୋଲି ଆମେରିକା ଦାବି କରିଛି । ୟୁକ୍ରେନ୍‌ ପାର୍ଶ୍ବରୁ ସୀମା ନିକଟରେ ପ୍ରବଳ ଗୁଳିଗୋଳା ବର୍ଷା ହୋଇଥିବା ଋଷ ଦାବି କରିଛି । ୟୁକ୍ରେନ୍‌ ପାର୍ଶ୍ବରୁ କିଛି ଅନୁପ୍ରବେଶକାରୀ ଋଷ ସୀମା ଅତିକ୍ରମ କରିବାକୁ ଚେଷ୍ଟା କରିବାବେଳେ ଋଷ ସେନା ଏହାର ଜୋରଦାର ବିରୋଧ କରି ଏହି ଉଦ୍ୟମକୁ ପଣ୍ଡ କରିଛନ୍ତି ବୋଲି ଦାବି ହୋଇଛି ।
ଋଷ ସେନା ୟୁକ୍ରେନର ୫ ଷଡ଼୍‌ଯନ୍ତ୍ରକାରୀଙ୍କୁ ହତ୍ୟା କରିଛି । ୟୁକ୍ରେନର କିଛି ଅସ୍ତ୍ର ବୋଝେଇ ଗାଡ଼ିକୁ ଧ୍ବଂସ କରାଯାଇଛି ବୋଲି ଋଷ ସେନା କହିଛି । କିନ୍ତୁ ୟୁକ୍ରେନ୍‌ ଏପରି ଦାବିକୁ ଖଣ୍ଡନ କରିଛି । ୟୁକ୍ରେନ୍‌ କହିଛି ରୋସ୍ତଭ ଅଞ୍ଚଳରେ ୟୁକ୍ରେନର କୌଣସି ସେନା ମୁତୟନ ହୋଇନାହାନ୍ତି । ଅନ୍ୟପ‌କ୍ଷେ ଋଷର ଏଫଏସବି କହିଛି, ୟୁକ୍ରେନ୍‌ ପାର୍ଶ୍ବରୁ ଗୋଳାମାଡ଼ ଦ୍ବାରା ଋଷର ରୋସ୍ତଭ ଅଞ୍ଚଳ ସ୍ଥିତ ଏକ ସୀମା ସୁରକ୍ଷା ପୋଷ୍ଟ୍‌ ସମ୍ପୂର୍ଣ୍ଣ ଧ୍ବଂସ ହୋଇଯାଇଛି । ଏଥିଯୋଗୁଁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ଋଷ ଦାବି କରିଛି । କିନ୍ତୁ ୟୁକ୍ରେନ୍‌ ଋଷର ଏହି ଦାବିକୁ ଅସ୍ବୀକାର କରିଛି ।