ଯୁଦ୍ଧ ମୁହାଁ ହେଉଛି ବିଶ୍ୱ । ଗୋଟିଏ ପଟେ ଆମେରିକା, ବ୍ରିଟେନ୍, ଫ୍ରାନ୍ସ ଭଳି ଦେଶ ଏବଂ ଅନ୍ୟପଟେ ଏକା ରୁଷିଆ ।

463

କନକ ବ୍ୟୁରୋ : ୟୁକ୍ରେନ ଓ ରୁଷ ମଧ୍ୟରେ ଉତେଜନା ସାରା ବିଶ୍ୱକୁ ଯୁଦ୍ଧ ଆଶଙ୍କା ଭିତରକୁ ଠେଲି ଦେଇଛି । ଚିନ୍ତାର ବିଷୟ ହେଉଛି, ଏହି ବିବାଦରେ ବିଶ୍ୱର ବଡ ବଡ ଶକ୍ତି ପକ୍ଷଭୁକ୍ତ ହୋଇଛନ୍ତି । ଗୋଟିଏ ପଟେ ଆମେରିକା, ବ୍ରିଟେନ, ଫ୍ରାନ୍ସ ଓ ଜର୍ମାନୀ ଭଳି ଶକ୍ତିଶାଳୀ ରାଷ୍ଟ୍ର ଅନ୍ୟପଟେ ରୁଷିଆ ଓ ଚୀନ ଭଳି ଶକ୍ତି । ଗତକାଲି ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏକ ଘୋଷଣା କରିବା ପରେ ଏହି ବିବାଦ ବହୁତ ଆଗକୁ ବଢିଯାଇଛି । ପୁଟିନ ଘୋଷଣା କରିଥିଲେ, ୟୁକ୍ରେନରୁ ବିଚ୍ଛିନ୍ନ ହୋଇଥିବା ଦୁଇଟି ଅଞ୍ଚଳକୁ ସ୍ୱାଧିନ ଦେଶ ଭାବେ ରୁଷିଆ ମାନ୍ୟତା ଦେଉଛି । ଏହି ଘଟଣା ପରେ ଆମେରିକା, ଜର୍ମାନୀ ଓ ଫ୍ରାନ୍ସ କହିଛନ୍ତି, ରୁଷିଆକୁ ଜବାବ ଦିଆଯିବ । ସେପଟେ ଏହି ଦୁଇଟି ସ୍ୱାଧିନ ଅଞ୍ଚଳକୁ ରୁଷିଆ ସେନା ପଠାଇବା ପାଇଁ ନିଷ୍ପତି ନେଇଛି, ଫଳରେ ଏକପ୍ରକାର ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି ।

ଯୁଦ୍ଧ ମୁହାଁ ହେଉଛି ବିଶ୍ୱ । ଗୋଟିଏ ପଟେ ଆମେରିକା, ବ୍ରିଟେନ୍, ଫ୍ରାନ୍ସ ଭଳି ଦେଶ ଏବଂ ଅନ୍ୟପଟେ ଏକା ରୁଷିଆ । ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଥରେ କହିଥିଲେ, ସେ ଛୋଟ ଥିବା ବେଳେ ଲେନିନଗାର୍ଡ ସଡ଼କରୁ ଗୋଟିଏ ଶିକ୍ଷା ପାଇଥିଲେ ଯେ ଯଦି ଲଢ଼େଇ ହେବ, ତେବେ ପ୍ରଥମ ମୁଥ ସେ ମାରିବେ । ଶତ୍ରୁ ବଡ଼ ହେଉ କି ଛୋଟ । ଜିତିବାର ଏହା ହିଁ ସବୁଠୁ ବଡ କୌଶଳ । ପିଲାବେଳର ଲଢ଼େଇକୁ ନେଇ ଏପରି ଆଭିମୁଖ୍ୟ ରଖିଥିବା ପୁଟିନ୍ ଆଜି ସାରା ବିଶ୍ୱକୁ ଯୁଦ୍ଧ ଆଡକୁ ଟାଣି ନେଇଛନ୍ତି ।

ୟୁକ୍ରେନର ଦୁଇଟି ଅଞ୍ଚଳକୁ ସ୍ୱାଧୀନ ରାଷ୍ଟ୍ର ଭାବେ ଘୋଷଣା କରିଛନ୍ତି ରୁଷିଆ ରାଷ୍ଟ୍ରପତି ପୁଟିନ୍ । ଏପରିକି ପୂର୍ବ ଯୁକ୍ରେନର ସେହି ଦୁଇ ଅଞ୍ଚଳରେ ରୁଷ ସେନା ମୁତୟନ ଲାଗି ନିର୍ଦ୍ଦେଶ ଦେଇଛନ୍ତି । ଫଳରେ ୟ୍ରୁକ୍ରେନ୍-ରୁଷ ଯୁଦ୍ଧ ପରିସ୍ଥିତି ଆହୁରି ଉତ୍କଟ ହୋଇଛି । ଆମେରିକା ଚେତାଇ ଦେଇଛି, ଯେକøଣସି ମୁହୂର୍ତ୍ତରେ ୟୁକ୍ରେନ୍ ଉପରେ ଆକ୍ରମଣ କରିପାରେ ରୁଷ୍ ।

ଯଦି ଯୁଦ୍ଧ ହୁଏ, ଏହା କେବଳ ୟୁକ୍ରେନ୍-ରୁଷିଆ ମଧ୍ୟରେ ନୁହେଁ । ଆମେରିକା, ବ୍ରିଟେନ୍, ଫ୍ରାନ୍ସ ଭଳି ବିଶ୍ୱର ବଡ଼ ବଡ଼ ଶକ୍ତି, ଏହି ଯୁଦ୍ଧରେ ସାମିଲ ହେବେ । ଫଳରେ ତୃତୀୟ ବିଶ୍ୱଯୁଦ୍ଧ ହେବା ଆଶଙ୍କା କରାଯାଉଛି ।

୧୯୪୫ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପ୍ରଥମ ଥର ପାଇଁ ଏପରି ସ୍ଥିତି ଉପୁଜିଛି । ଗୋଟିଏ ପଟେ ରୁଷିଆ ରହିଥିବା ବେଳେ ଅନ୍ୟପଟେ ୟୁକ୍ରେନକୁ ସମର୍ଥନ କରି ଆମେରିକା ଓ ନାଟୋ ଅନ୍ତର୍ଭୁକ୍ତ ୟୁରୋପୀୟ ଦେଶ ରହିଛନ୍ତି । ଏପର୍ଯ୍ୟନ୍ତ ଚୀନ ଆଭିମୁଖ୍ୟ ସ୍ପଷ୍ଟ କରିନଥିବା ବେଳେ ରୁଷିଆ ସପକ୍ଷରେ ଯାଇପାରେ ବୋଲି ଅନୁମାନ କରାଯାଉଛି ।

ଏହାରି ଭିତରେ ରୁଷିଆ ସହ ସମସ୍ତ ପ୍ରକାର ସମ୍ପର୍କ ଛିନ୍ନ କରିବାକୁ ୟୁକ୍ରେନ ବିଚାର କରୁଛି । ରୁଷିଆ ସ୍ୱାଧୀନ ଘୋଷଣା କରିଥିବା ୟୁକ୍ରେନର ଦୁଇଟି ଅଞ୍ଚଳରେ କଟକଣା ଲଗାଇଛି ଆମେରିକା । ରୁଷିଆ ସହ ମଧ୍ୟ ସମସ୍ତ ସମ୍ପର୍କ ଛିନ୍ନ କରିବାକୁ ଚିନ୍ତା କରୁଛି । ସୋମବାର ଦିନ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । କହିଛନ୍ତି ୟୁକ୍ରେନରୁ ଅଲଗା ହୋଇଯାଇଥିବା ଦୁଇଟି ଅଞ୍ଚଳ ‘ଲୁହାନସ୍କ’ ଓ ‘ଡୋନେସ୍କ’କୁ ଦୁଇଟି ସ୍ୱାଧୀନ ଦେଶ ଭାବେ ବିବେଚନା କରୁଛି ରୁଷିଆ ।

ଏହି ଘଟଣା ପରେ ସାରା ବିଶ୍ୱରେ ନିଆଁ ଲାଗିଯାଇଛି । ଏହା ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ଆମେରିକା ସମେତ ବ୍ରିଟେନ, ଜର୍ମାନୀ, ଫ୍ରାନ୍ସ ଭଳି ଦେଶ । ଏଥିପାଇଁ ରୁଷିଆକୁ ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି ଚେତାବନୀ ଦେଇଛନ୍ତି । ସେପଟେ ଏହି ଦୁଇ ଅଞ୍ଚଳକୁ ସୈନ୍ୟ ପଠାଇବ ବୋଲି ଘୋଷଣା କରିଛି ରୁଷିଆ । ଯଦି ଋଷିଆ ଏଭଳି କରେ ତେବେ ଯୁଦ୍ଧର ଆଶଙ୍କା ଆହୁରି ବଢିଯିବ ବୋଲି ବିଶେଷଜ୍ଞ ମାନେ ଅନୁମାନ କରୁଛନ୍ତି । ରୁଷିଆ ସମର୍ଥନରେ ଚୀନ ବାହାରିଲେ, ଏହି ବିବାଦ ବଡ଼ ଆକାର ଧାରଣ କରିପାରେ ବୋଲି ଅନୁମାନ କରାଯାଉଛି ।

ଏହି ଘଟଣାରେ ଭାରତ କହିଛି, ଉଭୟ ପକ୍ଷ ସଂଯମତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି । କୁଟନୀତି ମାଧ୍ୟମରେ ସମାଧାନର ରାସ୍ତା ବାହାରିବ ବୋଲି ଭାରତ ଆଶା ପ୍ରକାଶ କରିଛି । ଗୋଟିଏ ପଟେ ରୁଷିଆ ବନ୍ଧୁ ରାଷ୍ଟ୍ର, ଅନ୍ୟପଟେ ଆମେରିକା ଓ ୟୁରୋପୀୟ ଦେଶ ସହ ଭାରତର ଭଲ ସମ୍ପର୍କ ରହିଛି । ଯଦି ଯୁଦ୍ଧ ହୁଏ, ତେବେ ଭାରତ, ଦୋଛକିରେ ପଡ଼ିଯିବା ଆଶଙ୍କା ସୃଷ୍ଟି ହୋଇଛି ।