କନକ ନ୍ୟୁଜ କ୍ୟାମ୍ପେନ, ଖବର ପ୍ରସାରଣ ପରେ କ୍ୟାନସର ରୋଗୀ ଆନନ୍ଦ ଗୌଡ଼ ଫେରିପାଇଲେ ଚୋରି ହୋଇଥିବା ଟଙ୍କା।

159

କନକ ବ୍ୟୁରୋ: ୨୧ ତାରିଖରେ କ୍ୟାନସର ରୋଗୀ ଆନନ୍ଦ ଗୌଡ ମୋ ବସରେ ଯାଉଥିବାବେଳେ ଟଙ୍କା ଲୁଟହୋଇଯାଇଥିଲା । ଟଙ୍କା ଚୋରି ହୋଇଯିବା ପରେ କ୍ୟାମେରା ସମ୍ମୁଖରେ କାନ୍ଦି ପକାଇଥିଲେ ଆନନ୍ଦ । ଆଉ ଆଜି ଚୋରି ହୋଇଯାଇଥିବା ଟଙ୍କା ଫେରି ପାଇଛନ୍ତି ସେ । ଆନନ୍ଦଙ୍କ ଦୁଃଖର କାହାଣୀକୁ ନେଇ ଖବର ପ୍ରସାରଣ ପରେ, ସହିଦ ନଗର ଥାନା ପୋଲିସ ଆନନ୍ଦଙ୍କୁ ଡାକି ଟଙ୍କା ଫେରାଇଛି । ଟଙ୍କା ଫେରିପାଇବା ପରେ ତାଙ୍କ ମୁହଁରେ ପୁଣି ଥରେ ହସ ଫୁଟିଛି । ଏଥିପାଇଁ ଆନନ୍ଦ କନକ ନ୍ୟୁଜକୁ ଧନ୍ୟବାଦ ଦେଇଛନ୍ତି ।

ସେଦିନ ଆନନ୍ଦଙ୍କ ଟଙ୍କା ଚୋରି ହୋଇଯିବା ପରେ ସେ କ୍ୟାନସର ଔଷଧ ନନେଇ ଗାଁକୁ ଫେରିଯାଇଥିଲେ । ଆଉ ତାଙ୍କର ଏହି ଦୁଃଖ କାହାଣୀକୁ ଅତି ଗୁରୁତ୍ୱର ସହ ନେଇଥିଲା କନକ ନ୍ୟୁଜ୍ । ଖବର ପ୍ରସାରଣ କରିବା ସହ ସେ କେମିତି ପୁଣି ଥରେ ତାଙ୍କର ଚିକିତ୍ସା କରାଯାଇପାରିବ ସେଥିପାଇଁ କ୍ୟାମ୍ପେନ ମୋଡରେ ପଦକ୍ଷେପ ନେଇଥିଲା । ଆନନ୍ଦଙ୍କୁ ଯୋଗାଯୋଗ କରିବା ସହ ହସ୍ପିଟାଲ ସହ ସମ୍ପର୍କ କରାଯାଇଥିଲା । ଆଉ ଶେଷରେ ପୁଣି ଥରେ ତାଙ୍କର ଚିକିତ୍ସା ଆରମ୍ଭ ହୋଇଛି । ହସ୍ପିଟାଲ କର୍ତୃପକ୍ଷ ଆନନ୍ଦଙ୍କୁ ମାଗଣାରେ ଚିକିତ୍ସା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

ଆନନ୍ଦ ବୋନ୍ କ୍ୟାନସରରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ତାଙ୍କ ଘର ଗଞ୍ଜାମର ପୁରୁଷୋତ୍ତମପୁରରେ । ସେ କେମୋ ନେବା ସହ ଔଷଧ ଖାଉଛନ୍ତି । ସେହି ଔଷଧ ନେବା ପାଇଁ ୨୧ ତାରିଖରେ ଭୁବନେଶ୍ୱର ଆସିଥିବାବେଳେ ଆଚାର୍ଯ୍ୟବିହାରରୁ ବାଣୀବିହାର ମଧ୍ୟରେ ମୋ ବସରେ ଯାଉଥିବାବେଳେ ତାଙ୍କର ପକେଟ ମାର ହୋଇଥିଲା । ଲୁଟେରା ଆନନ୍ଦଙ୍କ ପାଖରେ ଥିବା ୧୫ହଜାର ଟଙ୍କା ଲୁଟି ନେଇଥିଲା । ଏନେଇ ସେ ଥାନାରେ ଜଣାଇବା ପରେ ମନ ଦୁଃଖରେ ଔଷଧ ନନେଇ ଘରକୁ ଫେରି ଯାଇଥିଲେ ।