ଜାତିସଂଘରେ ଜୋରଦାର ଧୁଲେଇ ପରେ ଚିହିଁକି ଉଠିଲା ପାକିସ୍ତାନ ! କହିଲା, କଶ୍ମୀର ଏକ ବିବାଦୀୟ ଅଂଚଳ, ଶତ୍ରୁ ଭାବେ ଆଚରଣ କରୁଛି ଭାରତ

33

କନକ ବ୍ୟୁରୋ: ଜାତିସଂଘରେ ଜୋରଦାର ଧୁଲେଇ ପରେ ଚିହିଁକି ଉଠିଛି ପାକିସ୍ତାନ । ରାଇଟ ଟୁ ରିପ୍ଲାଏ ଅନୁସାରେ ପାକିସ୍ତାନ ଦେଇଥିବା ଜବାବରେ ଏହି ଚିଡଚିଡାପଣ ଦେଖିବାକୁ ମିଳିଛି । ଜାତିସଂଘରେ ପାକିସ୍ତାନର ସ୍ଥାୟୀ ପ୍ରତିନିଧୀ ମଲିହା ଲୋଧୀ ଆତଙ୍କବାଦ ପ୍ରସଙ୍ଗକୁ ଏଡାଇ ଯାଇ କଶ୍ମୀର ପ୍ରସଙ୍ଗ ପୁଣି ଉଠାଇଛନ୍ତି ।

ସେ କଶ୍ମୀରକୁ ବିବାଦୀୟ ଅଂଚଳ କହିବା ସହ ଏହା ଭାରତର ଅଭିନ୍ନ ଅଙ୍ଗ ବୋଲି ମାନି ନାହାନ୍ତି । ଏଥିସହ ମଲିହା ଲୋଧୀ କହିଥିଲେ, ଭାରତ ସରକାର ପଡୋଶୀ ହୋଇଥିଲେ ମଧ୍ୟ ପାକିସ୍ତାନ ସହ ଶତ୍ରୁତା ଆଚରଣ କରିଥାନ୍ତି । ଭାରତୀୟ ସେନା କଶ୍ମୀରରେ ଅତ୍ୟାଚାର କରୁଛନ୍ତି ଓ ନୀରିହ ନାଗରିକ ଉପରେ ପେଲେଟ ଗନରୁ ଗୁଳି ବର୍ଷାଉଛନ୍ତି । ତେଣୁ କଶ୍ମୀର ପ୍ରସଙ୍ଗରେ ଜାତିସଂଘ ହସ୍ତକ୍ଷେପ କରନ୍ତୁ ଓ ଜମ୍ମୁକଶ୍ମୀରରେ ଜନମତ ସଂଗ୍ରହ କରାଯାଉ ବୋଲି ମଲିହା ଲୋଧୀ ଅପିଲ କରିଛନ୍ତି ।

ଏଠାରେ ଆମେ କହି ରଖୁଛୁ କି, ଗତକାଲି ଜାତିସଂଘର ସାଧାରଣ ପରିଷଦ ବୈଠକରେ ପାକିସ୍ତାନ ଉପରେ ସୁଷମା ସ୍ୱରାଜ ବର୍ଷିଛନ୍ତି । ବିଶ୍ୱ ସମୁଦାୟ ଆଗରେ ପାକିସ୍ତାନର ଅସଲ ମୁଖା ଖୋଲି ଦେଇଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ । ପାକିସ୍ତାନକୁ ଟେରୋରିସ୍ତାନର ଆଖ୍ୟା ଦେବା ସହ ସିଧାସଳଖ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ନାଁ ନେଇ ପାକିସ୍ତାନର ଦୋମୁହାଁ ନୀତିକୁ ସମାଲୋଚନା କରିଛନ୍ତି ସୁଷମା ସ୍ୱରାଜ । ଭାରତ ଦାରିଦ୍ର୍ୟତା ବିରୋଧରେ ଲଢ଼ୁଥିବା ବେଳେ ପାକିସ୍ତାନ, ଭାରତ ବିରୋଧରେ ଲଢ଼ୁଛି ବୋଲି କହିଛନ୍ତି ସୁଷମା । ଏହା ବ୍ୟତୀତ ଜଳବାୟୁ ପରିବର୍ତନ, ଆର୍ଥିକ ବିକାଶ ପାଇଁ ବିଶ୍ୱ ସମୁଦାୟ ଏକଠି ହେବା, ସାଇବର କ୍ରାଇମ୍ ଏବଂ ଶାନ୍ତି ପ୍ରତିଷ୍ଠା ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଭାରତ ପକ୍ଷରୁ ଉପସ୍ଥାପନ କରିଛନ୍ତି ସୁଷମା ସ୍ୱରାଜ ।

ଜାତିସଂଘରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ସାହିଦ୍ ଖାକାନୀ ଆବାସୀଙ୍କୁ କଡ଼ା ସମାଲୋଚନା କରିଛନ୍ତି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ । ଯିଏ ମାନବିକତାର ହତ୍ୟା କରୁଛି, ସିଏ ଜାତିସଂଘରେ ମାନବିକତାର ପାଠ ପଢ଼ାଉଛି ବୋଲି କହିଛନ୍ତି ସୁଷମା । ଭାରତ-ପାକିସ୍ତାନ, ଗୋଟିଏ ସମୟରେ ସ୍ୱାଧିନତା ହାସଲ କରିଥିଲେ । ହେଲେ ଭାରତର ପରିଚୟ କଣ ଏବଂ ପାକିସ୍ତାନର ପରିଚୟ କଣ, ତାହା ପାକିସ୍ତାନ ଚିନ୍ତା କରିବା କଥା ବୋଲି କହିଛନ୍ତି ସୁଷମା ସ୍ୱରାଜ । ଭାରତ, ସାରା ବିଶ୍ୱରେ ଆଇଟି ହବ୍ ଭାବରେ ପରିଚିତ । ହେଲେ ପାକିସ୍ତାନ ଆତଙ୍କବାଦୀ ସୃଷ୍ଟି କରୁଥିବା ରାଷ୍ଟ୍ର ଭାବରେ ନିନ୍ଦିତ ବୋଲି କହିଛନ୍ତି ସୁଷମା । ଭାରତ ଦାରିଦ୍ର୍ୟତା ବିରୋଧରେ ଲଢ଼ୁଥିବା ବେଳେ ପାକିସ୍ତାନ, ଭାରତ ସହ ଲଢୁଛି ବୋଲି ସୁଷମା କହିଛନ୍ତି ।