ସିବିିଆଇ ନୋଟିସ ପାଇବା ପରେ ବର୍ଷିଲେ କେଜ୍ରିୱାଲ: ‘ମୁଁ ଯଦି ଚୋର, ଦୁନିଆରେ କେହି ନୁହଁନ୍ତି ସଚ୍ଚୋଟ’

2,222

କନକ ବ୍ୟୁରୋ: ଅବକାରୀ ନୀତି ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ସିବିଆଇର ନୋଟିସ୍୍ର ଠିକ୍ ଦିନକ ପରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ଅରବିନ୍ଦ କେଜ୍ରିୱାଲ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଣ୍ଡରୁ ପାଦ ଯାଏଁ ଦୁର୍ନୀତିରେ ଲିପ୍ତ ଥିବା ଅଭିଯୋଗ କରିବା ସହ ଜାଣିଶୁଣି ଆମ୍୍ ଆଦ୍୍ମୀ ପାର୍ଟିର ନେତାଙ୍କୁ ଟାର୍ଗେଟ୍ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ସାମ୍ବାଦିକ ସମ୍ମିଳନୀ କରି କେଜ୍ରିୱାଲ କହିଛନ୍ତି ତାଙ୍କ ବିରୋଧରେ ଟଙ୍କାଟିଏ ଦୁର୍ନୀତି ନେଇ ପ୍ରମାଣ ନାହିଁ, କିନ୍ତୁ ମିଛରେ ମାମଲା ରୁଜୁ କରାଯାଉଛି । ସିବିଆଇ, ଇଡି ଭଳି କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସିଗୁଡିକ କୋର୍ଟକୁ ମିଛ କହୁଛନ୍ତି । ଯେଉଁମାନେ ଗିରଫ ହୋଇଛନ୍ତି ସେମାନଙ୍କୁ ନିର୍ଯ୍ୟାତନା ଦିଆଯାଉଛି । ଏପଟେ ନୋଟିସ୍ ମିଳିଛି, ଜେରା ପାଇଁ ନିଶ୍ଚୟ ଯିବେ ବୋଲି କହିଛନ୍ତି ।

ଏପଟେ ଆପ୍୍ ମୁଖ୍ୟଙ୍କୁ ଟାର୍ଗେଟ୍ କରିଛି, ବିଜେପି । ଅରବିନ୍ଦ କେଜ୍ରିୱାଲ ଦୁର୍ନୀତିର ମାଷ୍ଟର ମାଇଣ୍ଡ ବୋଲି ଅଭିଯୋଗ କରିଛନ୍ତି ବିଜେପି ମୁଖପାତ୍ର । ଯଦି ସେ ଦୁର୍ନତି କରି ନାହାଁନ୍ତି, ଏତେ ଡରୁଛନ୍ତି କାହିଁକି ବୋଲି ପ୍ରଶ୍ନ କରିଛି ଭାରତୀୟ ଜନତା ପାର୍ଟି ।

ଏପଟେ ମୁଖ୍ୟମନ୍ତ୍ରୀଙ୍କୁ ସମନ୍ ଉପରେ ଆଲୋଚନା କରିବା ପାଇଁ ଦିଲ୍ଲୀ ସରକାର ସୋମବାର ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି । ସେହିପରି ଆସନ୍ତାକାଲି ଦିନ ୧୧ଟାରେ କେଜ୍ରିୱାଲଙ୍କୁ ହାଜର ହେବାକୁ କୁହାଯାଇଛି । ଏଥିପାଇଁ ଦିଲ୍ଲୀ ପୁଲିସ, ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି । ଆପ୍୍ କର୍ମୀମାନେ ବିକ୍ଷୋଭ କରିବା ଆଶଙ୍କା ଥିବାରୁ ପୁଲିସ୍ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଉଛି ।