ରାଜ୍ୟରେ ପ୍ରାଥମିକ ଶିକ୍ଷାର ଶୋଚନୀୟ ଅବସ୍ଥା । ଖାଲିପଡ଼ିଛି ପ୍ରାୟ ୫୦ ହଜାର ଶିକ୍ଷକ ପଦବୀ । ନିଯୁକ୍ତି ପାଇଁ ଦାବି ଦୋହରାଇଲା ଶିକ୍ଷକ ସଂଘ

169

କନକ ବ୍ୟୁରୋ: ୫-ଟି ସ୍କୁଲରେ ରଙ୍ଗ ମାରିବା ଅପେକ୍ଷା ରାଜ୍ୟରେ ବିଦ୍ୟାଳୟଗୁଡିକରେ ଖାଲିଥିବା ଶିକ୍ଷକ ପଦବୀ ପୂରଣ ପାଇଁ ପୂର୍ବରୁ ଦାବି କରି ଆସୁଥିଲା ବିଜେପି । ବିରୋଧୀ ଆସନରେ ବସିଥିବା ବିଜେପି ହାତରେ ଏବେ ରାଜ୍ୟର ଶାସନ ଭାର । ପୂର୍ବରୁ ଦଳ ଦାବି କରୁଥିଲା, ଏବେ କାର୍ଯ୍ୟରେ ପରିଣତ କରିବାର ସମୟ ।

  • ଖାଲି ପଡ଼ିଛି ହଜାର ହଜାର ଶିକ୍ଷକ ପଦବୀ
  • ପୂରଣ କରିବେ କି ବିଜେପି ସରକାର?

ନଜର ପକାନ୍ତୁ, ରାଜ୍ୟର ବିଦ୍ୟାଳୟଗୁଡିକରେ କେତେ ଶିକ୍ଷକ ପଦବୀ ଖାଲି ପଡିଛି? ମାର୍ଚ୍ଚ ୨୦୨୩ରେ ବିଧାୟକ ନବଚରଣ ମାଝୀଙ୍କ ପ୍ରଶ୍ନର ଉତ୍ତର ବିଧାନସଭାରେ ରଖିଥିଲେ ତକ୍ରାଳୀନ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ସୂଚନା ମୁତାବକ, ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଖାଲି ପଡିଛି ୪୮ ହଜାରରୁ ଅଧିକ ଶିକ୍ଷକ । ସେହିପରି ମାଧ୍ୟମିକ ସ୍କୁଲରେ ୧୦ ହଜାର ଅଧିକ ଶିକ୍ଷକ ପଦବୀ ଖାଲି ପଡ଼ିଛି ବୋଲି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା । ତେବେ ବିଜେଡି ସରକାର ୨୦ ହଜାର ପ୍ରାଥମିକ ଶିକ୍ଷକ ନିଯୁକ୍ତି ଲାଗି ପ୍ରକ୍ରିୟା ଆରମ୍ଭ କରିଥିଲେ । ସମସ୍ତ ଶିକ୍ଷକ ପଦବୀ ପୂରଣ କରିବାପାଇଁ, ବିଜେପି ସରକାରଙ୍କୁ ନିବେଦନ କରିଛନ୍ତି ଶିକ୍ଷକ ସଂଘ ।

୨୦୧୮ରୁ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍ତରରେ ଶିକ୍ଷକ ପଦବୀ ପୂରଣ ଲାଗି ନିଯୁକ୍ତି ଦେଇ ନାହାନ୍ତି ରାଜ୍ୟ ସରକାର । ଏପଟେ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ କୁହାଯାଇଛି, ଶ୍ରେଣୀଭିତ୍ତିକ ଓ ବିଷୟଭିତ୍ତିକ ଶିକ୍ଷକଙ୍କୁ ମିଶାଇଲେ ରାଜ୍ୟରେ ୧ ଲକ୍ଷରୁ ଅଧିକ ଶିକ୍ଷକ ପଦବୀ ଖାଲି ପଡ଼ିଛି । ସେହିଭଳି ଦଶ ହଜାରରୁ ଅଧିକ ଟିଜିଟି ଓ ନନ୍-ଟିଜିଟି ଶିକ୍ଷକ ପଦ ଖାଲି ପଡିଛି । ତେବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ସବୁ ଦିଗକୁ ନେଇ ଆଲୋଚନା କରୁଛନ୍ତି ସରକାର । ସମସ୍ତ ଶିକ୍ଷକ ପଦବୀ ପୂରଣ କରିବା ଲାଗି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ନିତ୍ୟାନନ୍ଦ ଗଣ୍ଡ ।

ବିଧାନସଭା ଅଧିବେଶନ ହେବା ମାତ୍ରେ ବିଭିନ୍ନ ଦାବି ନେଇ ରାସ୍ତାରେ ବସି ରହନ୍ତି ଶିକ୍ଷକ । କେତେବେଳେ କ୍ୟାଡର ପାଇଁ ଦାବି କରନ୍ତି ତ କେତେବେଳେ ଶିକ୍ଷକ ପଦବୀ ପୂରଣ ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରନ୍ତି । ପୂର୍ବ ସରକାରଙ୍କ ସମୟରେ ଶିକ୍ଷକଙ୍କ ଆନ୍ଦୋଳନକୁ ସମର୍ଥନ ଦେଇ ଆସିଛନ୍ତି ବିଜେପି ନେତା । ଏବେ ବିଜେପି ସରକାରରେ ଥିବାରୁ ସେମାନଙ୍କ ଦୀର୍ଘଦିନର ଦାବି ପୂରଣ ହେବ ବୋଲି ଆଶାବାନ୍ଧି ବସିଛନ୍ତି ଶିକ୍ଷକ ସଂଘ ।