ଭୋଜି ଖାଇ ଫେରିବା ବେଳେ ବାଟରେ ଜଗିଥିଲା ମୃତ୍ୟୁର କୂଅ । ଛତିଶଗଡ଼ କାଙ୍କେର ରାସ୍ତା କଡ଼ରେ ଘଟିଲା ଅଘଟଣ

କୂଅ ଭିତରୁ କାର୍ ସହ ୪ ମୃତ ଦେହ ଉଦ୍ଧାର

175

କନକ ବ୍ୟୁରୋ: ବିବାହ ଭୋଜି ପାଇଁ ଯାଇଥିଲେ, ଶବ ହୋଇ ଫେରିଲେ । ଉମରକୋଟରୁ ପରିବାର ସହ ଛତିଶଗଡ କାଙ୍କେର ଜିଲ୍ଲାରେ ଏକ ବାହାଘରକୁ ଯାଇଥିଲେ ସପନ ସରକାର । ସାଥୀରେ ପତ୍ନୀ ରୀତା ସରକାର, ତାଙ୍କ ପଡ଼ୋଶୀ ହଜାରି ଢାଲି ଓ ରୀତାଙ୍କ ଭାଇ ବିଶୁ ଅଧିକାରୀ ବି ଯାଇଥିଲେ । ହେଲେ ଫେରିବା ରାସ୍ତାରେ ଜଗିଥିଲା ମୃତ୍ୟୁର କୂଅ । କାଙ୍କେର ରାସ୍ତାରେ ଥିବା ଏକ ପରିତ୍ୟକ୍ତ କୂଅରୁ କାର ସମେତ ୪ଜଣଙ୍କ ମୃତଦେହ ଜବତ କରିଛି ପୋଲିସ ।

ଛତିଶଗଡ଼ର କାଙ୍କେର ରାସ୍ତା କଡ଼ରେ ଥିବା ଏକ ପରିତ୍ୟକ୍ତ କୂଅ ଭିତରୁ ବାହାରିଥିଲା କାର, ଆଉ ସେଥିରେ ଥିଲା ୪ ଜଣଙ୍କ ମୃତଦେହ । ମାତ୍ର କିଛି ସମୟ ପୂର୍ବରୁ ବିବାହ ଉତ୍ସବରେ ମସଗୁଲ ଥିଲେ ଉମରକୋଟର ସପନ ସରକାର ଓ ତାଙ୍କ ସଂପର୍କୀୟ । କିନ୍ତୁ କାହାରିକୁ ଜଣାନଥିଲା ଯେ ଆଗକୁ ଏକ ବଡ଼ ଅଘଟଣ ସେମାନଙ୍କୁ ଅପେକ୍ଷା କରି ରହିଛି । ଅପହରଣ ଅଭିଯୋଗର ତଦନ୍ତ କରିବା ବେଳେ କୂଅ ଭିତରୁ ୪ ଜଣଙ୍କ ମୃତଦେହ ଉଦ୍ଧାର କରିଛି ଛତିଶଗଡ଼ ପୁଲିସ ।

ନବରଙ୍ଗପୁର ଜିଲ୍ଲା ରାଇଘର ତହସିଲ ଅଫିସର ସୁପରଭାଇଜର ସପନ ସରକାର, ତାଙ୍କ ପତ୍ନୀ ରୀତା ସରକାର, ତାଙ୍କ ପଡ଼ୋଶୀ ହଜାରି ଢାଲି ଓ ରୀତାଙ୍କ ଭାଇ ବିଶୁ ଅଧିକାରୀ । ସୀମାନ୍ତ କୋଣ୍ଡାଗାଁରେ ବିଶୁ ଅଧିକାରୀଙ୍କ ଘର । ରୀତାଙ୍କ ବଡ଼ ଭଉଣୀର ପୁଅ ବାହାଘରରେ ଯୋଗ ଦେବା ପାଇଁ ଏମାନେ ଛତିଶଗଡ଼ର କାଙ୍କେର ଯାଇଥିଲେ । କିନ୍ତୁ ଫେରିବା ବାଟରେ ସେମାନଙ୍କୁ ଅପେକ୍ଷା କରିଥିଲା ମୃତ୍ୟୁ ।

  • ଡିସେମ୍ବର ୧୦ ତାରିଖ
  • ସମୟ: ରାତି ୧୦ଟା ୩୦
  • ସ୍ଥାନ: କାଙ୍କେର ରାସ୍ତା, ଛତିଶଗଡ଼

ବାହାଘର ଭୋଜି ଖାଇ ପତ୍ନୀ ଓ ଶଳାଙ୍କ ସହ ଫେରୁଥିଲେ ସପନ ସରକାର । କୋଣ୍ଡାଗାଁରେ ରାତିରେ ରହିଥାନ୍ତେ, ପରଦିନ ସକାଳେ ଉମରକୋଟ ଫେରିଥାନ୍ତେ । ଫେରିବାର କିଛି ସମୟ ପରେ ସପନ କିମ୍ବା ଅନ୍ୟ କାହା ସହ ଯୋଗାଯୋଗ କରି ପାରିନଥିଲେ ପରିବାର ଲୋକ । ୧୧ ତାରିଖ ସକାଳ ପର୍ଯ୍ୟନ୍ତ ସେମାନଙ୍କର କିଛି ଖୋଜ ଖବର ମିଳିନଥିଲା । ଏହା ପରେ କାଙ୍କେର କତୁଆଲି ଥାନାରେ ନିଖୋଜ ନେଇ ଏତଲା ଦେଇଥିଲେ ପରିବାର ଲୋକ ।

କାଙ୍କେରରୁ ଅଳ୍ପ ବାଟ ଅତିକ୍ରମ ପରେ ଏକ ପେଟ୍ରୋଲ ପମ୍ପରେ ତେଲ ପକେଇଥିଲେ ସପନ, ଯାହାର ଏକ ସିସିଟିଭି ଫୁଟେଜ ସେହି ପେଟ୍ରୋଲ ପମ୍ପରୁ ମିଳିଥିଲା । ତେଲ ପକାଇ ମାତ୍ର ୫ କିଲୋମିଟର ଆସିବା ପରେ ସେମାନଙ୍କ ଫୋନ୍ ସୁଇଚ୍ ଅଫ ହୋଇ ଯାଇଥିଲା । ଅପହରଣ ଅଭିଯୋଗ ଆସିବା ପରେ ପୋଲିସ ତଦନ୍ତ କରି ଏକ ପରିତ୍ୟକ୍ତ କୂଅରୁ କାର ସହ ମୃତଦେହ ଉଦ୍ଧାର କରିଛି । କାର ଚକା ଫାଟିଯିବାରୁ ଭାରସ୍ୟାମ ହରାଇ କୂଅ ଭିତରେ ପଡି ଯାଇଥିବା ସନ୍ଦେହ କରାଯାଉଛି । ପ୍ରାଥମିକ ତଦନ୍ତରୁ ଏହା ଏକ ସଡ଼କ ଦୁର୍ଘଟଣା ବୋଲି ସନ୍ଦେହ କରାଯାଉଛି । କିନ୍ତୁ ଶବ ବ୍ୟବଚ୍ଛେଦ ରିପୋର୍ଟ ପରେ ପୂରା ଘଟଣା ସାମ୍ନାକୁ ଆସିବ ବୋଲି କୁହାଯାଉଛି ।