ଡିଜିଟାଲ ଯୁଗରେ ସାମ୍ନାକୁ ଆସିଲା ନିଆରା ଦୃଶ୍ୟ। ମୋବାଇଲ ହାଉସ କରି କଥା ହେଉଛନ୍ତି ଅନୁଗୁଳ ମଝିପଡ଼ା ଗାଁର ଲୋକେ ।

173

କନକ ବ୍ୟୁରୋ: ଡିଜିଟାଲାଇଜେସନ୍ ପାଇଁ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । କ୍ୟାସଲେସ୍ ଟ୍ରାଞ୍ଜାକ୍ସନଠାରୁ ଆରମ୍ଭ କରି ପେପରଲେସ୍ କାମ ଉପରେ ଗୁରୁତ୍ୱ ଦେଉଛନ୍ତି ସରକାର । ଫୋରି-ଜି ପରେ ଫାଇଭ-ଜି ସେବା ପାଇଁ ମଧ୍ୟ ଘୋଷଣା କରାଯାଇଛି । ନିକଟରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଫାଇଭ-ଜି ସେବାର ଘୋଷଣା କରିଛନ୍ତି । ହେଲେ ଘୋଷଣା ଆଉ ବାସ୍ତବତା ଭିତରେ ଫରକ ଅନେକ । ଅନୁଗୁଳ ଜିଲ୍ଲାର ପ୍ରାୟ ୭୦ରୁ ଅଧିକ ଗାଁରେ ନାହିଁ ମୋବାଇଲ ନେଟୱାର୍କ । ମୋବାଇଲରେ କଥା ହେବା ପାଇଁ ଲୋକେ କେତେବେଳେ ପାହାଡ଼ ଚଢ଼ନ୍ତିି ତ ପୁଣି କେତେବେଳେ ଗଛ ଉପରେ ଚଢ଼ି କଥା ହୁଅନ୍ତି । ଆଉ ଏବେ ନେଟୱାର୍କ ପାଇଁ ଗାଁରେ ତିଆରି ହୋଇଛି ମୋବାଇଲ ଘର । ଯେଉଁଠି କଥା ହେବା ପାଇଁ ଗାଁର ଲୋକମାନେ ଭିଡ଼ ଲଗାଉଛନ୍ତି ।

ଏଭଳି କିଛି ଦୃଶ୍ୟ ସାମ୍ନାକୁ ଆସିଛି ଅନୁଗୁଳ ସାତକୋଶିଆ ଅଭୟାରଣ୍ୟର ମହାନଦୀ ନିକଟରେ ଥିବା ମଝିପଡ଼ା ଗାଁରୁ । ଗାଁର ଠିକ୍ ମଝିରେ ବାଉଁଶ ଓ ଟିଣ ଆଜବେଷ୍ଟସରେ ତିଆରି ହୋଇଛି ଘର । ଏହି ଘରର ଚାରିପାଖ ଖୋଲା ରହିଛି । ବାଉଁଶରେ କଣ୍ଟା ବାଡ଼ିଆ ହୋଇଛି । ଏହି କଣ୍ଟାରେ ମୋବାଇଲ ରଖି କଥା ହୁଅନ୍ତି ଯୁବପିଢ଼ୀ । ଏହି ସ୍ଥାନରେ ମୋବାଇଲ ନେଟୱାର୍କ ଆସୁଥିବାରୁ ଏଭଳି ଘର ତିଆରି କରିଛନ୍ତି ଗ୍ରାମବାସୀ । ଗାଁରେ ପାଖାପାଖି ୩୫୦ ପରିବାର ରୁହନ୍ତି । ଖରା, ବର୍ଷା, ଶୀତ କାକରରେ ମୋବାଇଲରେ କଥା ହେବା ପାଇଁ ତିଆରି ହୋଇଛି ମୋବାଇଲ ଘର । ଘର ତିଆରି ହେବା ପରେ ଆଉ ଦୂର ବାଟ ଯିବାକୁ ପଡ଼ୁନାହିଁ କି ପାହାଡ଼ ଚଢ଼ିବାକୁ ପଡ଼ୁନାହିଁ । ମୋବାଇଲ ଘର ହୋଇଥିବାରୁ ରାତି କିମ୍ବା ବନ୍ୟଜନ୍ତୁଙ୍କ ଭୟ ମଧ୍ୟ ରହୁନାହିଁ ।

ଅନୁଗୁଳ ଜିଲ୍ଲାରେ ଥିବା ୧୮୮୭ ଗାଁ ମଧ୍ୟରୁ ୭୦ଟି ଗାଁକୁ ମୋବାଇଲ ନେଟୱାର୍କ ନାହିଁ । ସେଥିମଧ୍ୟରୁ ସାତକୋଶିଆ ଅଞ୍ଚଳର ୨୫ ଗାଁରେ ନାହିଁ ନେଟୱାର୍କ । ଶିକ୍ଷାଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ଓ ଜରୁରୀକାଳୀନ ସେବା ପାଇଁ ଲୋକେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଲୋକଙ୍କ ପାଖରେ ଆଣ୍ଡ୍ରୋଏଡ଼ ଫୋନ ଅଛି ହେଲେ ନେଟୱର୍କ ନଥିବାରୁ ଏହାକୁ ବ୍ୟବହାର କରିପାରୁନଥିବା ଲୋକେ ଅଭିଯୋଗ କରିଛନ୍ତି ।