ଏହି ଏଗଜିଟ୍ ପୋଲ ଦେଖି ଖୁସି ହୋଇଗଲା ଇଣ୍ଡିଆ ମେଣ୍ଟ, ମେଣ୍ଟକୁ ଦେଇଛି ବହୁମତ, ଦେଖନ୍ତୁ ବିଜେପିର ସ୍ଥିତି

2,725

କନକ ବ୍ୟୁରୋ : ଜୁନ ପହିଲାରେ ଦେଶର ଶେଷ ପର୍ଯ୍ୟାୟ ମତଦାନ ସରିଛି । ୪ ତାରିଖରେ ଫଳାଫଳ ପ୍ରକାଶ ପାଇବ । ତା ପୂର୍ବରୁ ଗତକାଲି ସନ୍ଧ୍ୟାରୁ ଦେଶର ବିଭିନ୍ନ ଗଣମାଧ୍ୟମ ଓ ସର୍ଭେ ସଂସ୍ଥା ଏଗଜିଟପୋଲ ଦେଖାଇଛନ୍ତି । ସମସ୍ତ ସଂସ୍ଥା ଏକତରଫା ଭାବେ ବିଜେପିକୁ ବହୁମତ ମିଳୁଥିବା କଥା ଆକଳନ କରୁଥିବା ବେଳେ କିନ୍ତୁ ଏକ ହିନ୍ଦି ଖବରକାଗଜ ‘ଦେଶ ବନ୍ଧୁ’ ଏହାର ବିପରିତ ଦେଖାଇଛି । ଦେଶବନ୍ଧୁ ସର୍ଭେ ମୁତାବକ ଚଳିତ ନିର୍ବାଚନରେ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିଆ ମେଣ୍ଟକୁ ବହୁମତ ମିଳିବାକୁ ଯାଉଛି ।
ଦେଶବନ୍ଧୁ ସମାଚାରର ୟୁଟ୍ୟୁବ ଚ୍ୟାନେଲ ଡିବି ଲାଇଭର ସର୍ଭେ ରିପୋର୍ଟ ମୁତାବକ ଇଣ୍ଡିଆ ମେଣ୍ଟକୁ ୨୬୦ ରୁ ୨୯୫ ମଧ୍ୟରେ ଆସନ ମିଳିବାକୁ ଯାଉଛି । ସେପଟେ ବିଜେପି ନେତୃତ୍ୱାଧୀନ ୨୧୫ ରୁ ୨୪୫ ଆସନ ଜିତିବ ବୋଲି ସଂସ୍ଥା ଆକଳନ କରିଛି । ଏହାସହ ଅନ୍ୟାନ୍ୟ ଦଳମାନଙ୍କୁ ୨୪ ରୁ ୪୮ ଆସନ ମିଳିପାରେ ।

ରାଜ୍ୟ କ୍ରମରେ ଏହି ସଂସ୍ଥା ଯେଉଁ ରିପୋର୍ଟ ଦେଇଛି ସେହି ମୁତାବକ ମହାରାଷ୍ଟ୍ର, ତାମିଲନାଡୁ, କର୍ଣ୍ଣାଟକ ଓ ବିହାରରେ ଇଣ୍ଡିଆମେଣ୍ଟ ଏନଡିଏ ମେଣ୍ଟ ଉପରେ ଭାରିପଡୁଛି । ବିହାରରେ ଇଣ୍ଡିଆ ମେଣ୍ଟ ୨୪-୨୬ ଟି ଆସନରେ ଜିତିପାରେ,ହେଲେ ଗତଥର ୪୦ ରୁ ୩୯ ଆସନ ହାତେଇ ଥିବା ଏନଡିଏ ଏଥର ୧୪-୧୬ ଆସନ ମଧ୍ୟରେ ସୀମିତ ରହିବ । ସେହିଭଳି ମହାରାଷ୍ଟ୍ରରେ ୨୦୧୯ ନିର୍ବାଚନରେ ୪୧ ଆସନ ଜିତିଥିବା ବିଜେପି ଚଳିତ ଥର ୧୮-୨୦ ଆସନ ପାଇବ ବୋଲି କୁହାଯାଇଛି । ଏହି କ୍ରମରେ ମହାରାଷ୍ଟ୍ରରେ ମହାବିକାଶ ଅଘାଡିକୁ ୨୮ ରୁ ୩୦ ଆସନ ମିଳିବ ବୋଲି ଆକଳନ କରିଛି ସଂସ୍ଥା ।

ସବୁଠାରୁ ବଡ କଥା ହେଉଛି ଯେଉଁ ଉତ୍ତର ପ୍ରଦେଶରେ ବିଜେପି କ୍ଲିନ ସ୍ୱିପ୍ କରିଥିଲା ଚଳିତ ଥର ଏହି ସର୍ଭେ ସଂସ୍ଥାର ରିପୋର୍ଟ ମୁତାବକ ଏଠାରେ ବିଜେପିକୁ ବଡ ଝଟକା ଲାଗିବାକୁ ଯାଉଛି । ଏଠାରେ ବିଜେପିକୁ ମାତ୍ର ୪୬-୪୮ ଆସନ ମିଳୁଥିବା କଥା କୁହାଯାଇଛି । ଆକଳନ କରାଯାଇଛି ଯେ ଉତ୍ତର ପ୍ରଦେଶରେ ଇଣ୍ଡିଆ ମେଣ୍ଟ ୩୨-୩୪ ଆସନ ଜିତିପାରେ । ସେହିଭଳି ପଶ୍ଚିମବଙ୍ଗରେ ମଧ୍ୟ ବିଜେପିକୁ କଡା ଝଟକା ଲାଗିପାରେ । ୪୦ ଆସନ ବିଶିଷ୍ଠ ପଶ୍ଚିମବଙ୍ଗରେ ଗତଥର ବିଜେପିକୁ ୧୮ ଆସନ ମିଳିଥିବା ବେଳେ ଚଳିତ ଥର ୧୧ ରୁ ୧୩ ଆସନ ମିଳିପାରେ ବୋଲି ସଂସ୍ଥା ଆକଳନ କରିଛି । ଏଠାରେ ମମତା ବାନାର୍ଜୀ ୨୬- ୨୮ ଆସନ ଜିତିପାରେ ।