ଜୟରାମ ରମେଶ କହିଲେ, ଜିଲ୍ଲାପାଳଙ୍କୁ ଧମକାଉଛନ୍ତି ଅମିତ ଶାହା । ନିର୍ବାଚନ କମିଶନ କଂଗ୍ରେସ ନେତାଙ୍କୁ ମାଗିଲେ ଜବାବ ।

200

କନକ ବ୍ୟୁରୋ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ୧ ଜୁନରେ ୧୫୦ ଜଣ ଜିଲ୍ଲାପାଳଙ୍କ ସହ କଥା ହୋଇଛନ୍ତି ଏବଂ ସେମାନଙ୍କୁ ଧମକାଇଛନ୍ତି । ଅଫିସର ମାନଙ୍କୁ ଏମିତି ସିଧାସଳଖ ଧମକାଇବା ଲଜ୍ଜାଜନକ । ଲୋକତନ୍ତ୍ର ଜନାଦେଶରେ ପରିଚାଳିତ ହୁଏ,ଧମକରେ ନୁହେଁ । ୪ ଜୁନର ଜନାଦେଶ ଅନୁସାରେ ନରେନ୍ଦ୍ର ମୋଦୀ, ଅମିତ ଶାହା ଓ ବିଜେପି କ୍ଷମତାରୁ ବିଦା ହେବେ ଏବଂ ଇଣ୍ଡିଆ ମେଣ୍ଟ ବିଜୟୀ ହେବ । ତେଣୁ ଅଫିସର କୌଣସି ପ୍ରକାର ଚାପରେ ନଆସି ସମ୍ବିଧାନର ରକ୍ଷା କରିବା ଉଚିତ । ଗତକାଲି ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ଏକ୍ସରେ କିଛି ଏଭଳି ଲେଖି ସେୟାର କରିଥିଲେ କଂଗ୍ରେସ ନେତା ଜୟରାମ ରମେଶ ।

ଜୟରାମ ରମେଶଙ୍କ ଏହି ପୋଷ୍ଟ ପରେ ଏବେ ନିର୍ବାଚନ କମିଶନ ଏହାର ଜବାବ ମାଗିଛନ୍ତି । ଏ ବାବଦରେ ତଥ୍ୟଭିତ୍ତିକ ପ୍ରମାଣ ଦେବାକୁ ଜୟରାମ ରମେଶଙ୍କୁ ରିପୋର୍ଟ ତଲବ କରିଛନ୍ତି ନିର୍ବାଚନ କମିଶନ । ସନ୍ଧ୍ୟା ୭ଟା ସୁଦ୍ଧା ଏ ପ୍ରସଙ୍ଗରେ ତଥ୍ୟଭିତ୍ତିକ ଉତ୍ତର ଦେବାକୁ ସମୟ ଦେଇଛନ୍ତି ଇସିଆଇ । ସୋସିଆଲ ମିଡ଼ିଆ ପୋଷ୍ଟକୁ ନେଇ ଇସିଆଇ ଏଭଳି ଜବାବ ମାଗିବା ପରେ ଜୟରାମ ରମେଶଙ୍କ ପାଇଁ ଅଡୁଆ ବଢିଛି ।

ଗୋଟିଏ ପଟେ ଜୟରାମ ରମେଶଙ୍କୁ ଇସିଆଇ ଜବାବ ମାଗିଥିବା ବେଳେ ଅନ୍ୟପଟେ ଜୟରାମ ରମେଶ ଗତକାଲି ଆସିଥିବା ବୁଥ୍ ବାହୁଡା ମତକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଜୟରାମ କହିଛନ୍ତି, ଏଗଜିଟ୍ ପୋଲର ଫଳାଫଳ ସମ୍ପୂର୍ଣ୍ଣ ମିଛ । ଇଣ୍ଡିଆ ମେଣ୍ଟକୁ ୨୯୫ ଆସନରୁ କମ ମିଳିବନି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅମିତ ଶାହା ମାନସିକ ସ୍ତରରେ ଲୋକଙ୍କ ସହ ଖେଳୁଛନ୍ତି । ବିରୋଧୀ ଦଳ, ନିର୍ବାଚନ ଆୟୋଗ, ମତଗଣନା ଏଜେଣ୍ଟ ଓ ରିଟର୍ଣ୍ଣି ଅଫିସରଙ୍କ ଉପରେ ଚାପ ପକାଇବାକୁ ପ୍ରୟାସ କରୁଛନ୍ତି ଏବଂ ଏମିତି ମାହୋଲ ସୃଷ୍ଟି କରୁଛନ୍ତି ଯେପରି ସେମାନେ ପୁଣିଥରେ କ୍ଷମତାକୁ ଆସୁଛନ୍ତି । କିନ୍ତୁ ବାସ୍ତବିକତା ସମ୍ପୂର୍ଣ୍ଣ ଭିନ୍ନ ବୋଲି କହିଛନ୍ତି ଜୟରାମ ରମେଶ ।