ସେଦିନ ବାହାନଗା ଆଉ ଆଜି ପଞ୍ଜାବ । ତାରିଖ ସମାନ- ସମୟ ଓ ସ୍ଥାନ ଭିନ୍ନ । ଜୁନ ୨ ଟ୍ରେନ୍ ଦୁର୍ଘଟଣାର ଦିନ !

1,017

କନକ ବ୍ୟୁରୋ: ଜୁନ୍ ୨, ୨୦୨୩, ସମୟ ସଂଧ୍ୟା ୭ଟା ପାଖାପାଖି, ଆଜିକୁ ଠିକ୍ ବର୍ଷେ ତଳେ… ଶୁକ୍ରବାରର ଏକ ସୁନ୍ଦର ସନ୍ଧ୍ୟାରେ ସମସ୍ତେ ନିଜ ନିଜ ଜୀବନ ଓ ଜୀବିକାକୁ ନେଇ ବ୍ୟସ୍ତଥିବା ବେଳେ ହଠାତ୍ ଏକ ଖବର ସମସ୍ତଙ୍କୁ ବିଚଳିତ କରିଥିଲା । କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାର ଖବର ସାରା ଦେଶର ଛାତିକୁ ଦୋହଲାଇ ଦେଇଥିଲା । ଓଡିଶାର ବାହାନଗା ଠାରେ ଘଟିଥିବା ଭୟଙ୍କର ଦୁର୍ଘଟଣା ଶତାବ୍ଦୀର ବଡ ରେଳ ଦୁର୍ଘଟଣା ବୋଲି କୁହାଗଲା ଯେଉଁଥିରେ ୨୯୬ ଜଣଙ୍କ ମୃତ୍ୟୁ ହେବା ସହ ୯୦୦ରୁ ଅଧିକ ଯାତ୍ରୀ ଦୁର୍ଘଟଣାରେ ଆହତ ହୋଇଥିଲେ । ଯାହା ଆଜି ବି ସମସ୍ତଙ୍କ ମନରେ ଏକ କଳା ଦିନ ହୋଇ ରହିଛି । ଯେଉଁ ଦିନ, ତାରିଖ ଓ ସମୟ କଥା ମନେ ପଡିଗଲେ ଆଜି ବି ଲୋମମୂଳ ଟାଙ୍କୁରି ଉଠୁଛି । ହେଲେ ସେହି ସମାନ ତାରିଖରେ ପୁଣି ଏକ ଟ୍ରେନ ଦୁର୍ଘଟଣା ବାହାନଗାର ଢରକୁ ଛାତିରେ ପୁନଃଶ୍ଚ ଭରି ଦେଇଛି । ପଞ୍ଜାବ ଫତେଗଡରେ ବାହାନଗା ଭଳି ଆଉ ଏକ ଭୟଙ୍କର ଟ୍ରେନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି ।

ଜୁନ୍ ୨, ୨୦୨୪ । ସମୟ ଭୋର ୪ଟା ପାଖାପାଖି, ସ୍ଥାନ- ପଞ୍ଜାବ । ସେଦିନ ଏହି ତାରିଖରେ ଅର୍ଥାତ ଜୁନ୍ ୨ ତାରିଖରେ ଓଡିଶାର ବାହାନଗା ଠାରେ ଶତାବ୍ଦୀର ବଡ ଟ୍ରେନ ଦୁର୍ଘଟଣା ଘଟିଥିଲା । ସେଦିନ ସମୟ ଥିଲା-ସଂଧ୍ୟା, ବାର ଥିଲା ଶୁକ୍ରବାର । କିନ୍ତୁ ଆଜି ସମୟ ସକାଳ, ବାର- ରବିବାର । ସେଦିନ ୨ଟି ଏକ୍ସପ୍ରେସ ଆଉ ଗୋଟିଏ ମାଲବାହୀ ଟ୍ରେନ ଭିତରେ ଦୁର୍ଘଟଣା ହୋଇଥିଲା । କିନ୍ତୁ ଆଜି ପଞ୍ଜାବରେ ଦୁଇଟି ମାଲବାହୀ ଗୋଟିଏ ପାସେଞ୍ଜର ଟ୍ରେନ୍ ଭିତରେ ଦୁର୍ଘଟଣା ହୋଇଛି । ଦୁଇଟି କୋଇଲା ବୋଝେଇ ମାଲବାହୀ ଟ୍ରେନ ଟ୍ରାକରେ ଛିଡା ହୋଇଥିବା ବେଳେ ଗୋଟିଏ ଅନ୍ୟ ଗୋଟେକୁ ଜୋରରେ ଧକ୍କା ଦେବା ପରେ ଉପରେ ଛଡିଯାଇଥିଲା । ଏହି ସମୟରେ ଅମ୍ବାଲାରୁ ଜମ୍ମୁ ତବୀ ଯାଉଥିବା ପାସେଞ୍ଜର ଟ୍ରେନ୍ ଉପରେ ମାଲଗାଡି ଇଞ୍ଜିନ ଓଲଟିପଡି ଚାପି ହୋଇଥିଲା । ଦୁର୍ଘଟଣା ପରେ ଯାତ୍ରୀ ଭୟରେ ଚିକ୍ରାର କରିଥିବା ବେଳେ ଦୁର୍ଘଟଣାରେ କାହାରି କିଛି ହୋଇନଥିଲା । କେବଳ ୨ ଲୋକ ପାଇଲଟ ଆହତ ହୋଇଥିବା ବେଳେ ଏକ ବଡ ଅଘଟଣରୁ ଅଳ୍ପକେ ବର୍ତ୍ତିଯାଇଥିଲେ ସମସ୍ତେ ।

ତେବେ ଦୁର୍ଘଟଣାର ଦୁଇଟି ଚିତ୍ରରେ ରାଜ୍ୟ ଓ ସ୍ଥାନ ଅଲଗା ଅଲଗା ହୋଇଥିଲେ ହେଁ ସମାନ ତାରିଖ- ମାନେ ଜୁନ୍ ୨ କୁ ନେଇ ଏବେ ଟ୍ରେନ୍ ଯାତ୍ରୀଙ୍କ ମନରେ ଭୟ ସୃଷ୍ଟି ହୋଇଛି । ଏହାକୁ କିଏ କିଏ ଅଶୁଭ ତାରିଖ ଓ ଟ୍ରେନ୍ ଦୁର୍ଘଟଣାର ଦିନ ବି କହିବା ଆରମ୍ଭ କରିଦେଲେଣି ।