ନିର୍ବାଚନ ଓ ଏଗଜିଟପୋଲ ରିପୋର୍ଟ ପରେ ବି ରାହୁଲ ଗାନ୍ଧୀଙ୍କ ପାଇଁ ରହିଛି ଖୁସି ଖବର । ଜାଣନ୍ତୁ କ’ଣ ସେହି ଖୁସି ଖବର

3,662

କନକ ବ୍ୟୁରୋ : ଲୋକସଭା ନିର୍ବାଚନର ଫଳାଫଳ ଆସିବା ପୂର୍ବରୁ ଏଗଜିଟ୍ ପୋଲ ରିପୋର୍ଟ ପ୍ରକାଶ ପାଇଛି । ବିଭିନ୍ନ ସର୍ଭେ ସଂସ୍ଥା ଦ୍ୱାରା କରାଯାଇଥିବା ପୂର୍ବାନୁମାନରେ ପୁଣି ଏନଡିଏ ମେଣ୍ଟ ସରକାର ଗଠନ କରିବାକୁ ଯାଉଛି । ୫୪୩ ଆସନରୁ ଏନଡିଏକୁ ୩୬୫ ମିଳିପାରେ ବୋଲି ଆକଳନ କରାଯାଉଛି । ଏବଂ ଇଣ୍ଡିଆ ମେଣ୍ଟକୁ ୧୪୬ ଆସନ ମିଳିପାରେ । ଏହି ପୂର୍ବାନୁମାନ ଭିତରେ ରାହୁଲ ଗାନ୍ଧୀଙ୍କ ପାଇଁ ଖୁସି ଖବର ରହିଛି । ଅର୍ଥାତ ଦେଶରେ ଏଭଳି କିଛି ରାଜ୍ୟ ରହିଛି ଯେଉଁଠି ଚଳିତ ଥର କଂଗ୍ରେସ ଗତଥର ଅପେକ୍ଷା ଭଲ ପ୍ରଦର୍ଶନ କରିପାରେ ବୋଲି ଆନୁମାନ କରାଯାଉଛି ।

ଏଗଜିଟପୋଲ ମୁତାବକ ଚଳିତ ଥର ବିଜେପି ଉତ୍ତର ପ୍ରଦେଶରେ ଭଲ ପ୍ରଦର୍ଶନ କରିବାକୁ ଯାଉଛି. ଏହାସହ କଂଗ୍ରେସର ୨୦୧୯ ଠାରୁ ଚଳିତ ଥର ଭଲ ପ୍ରଦର୍ଶନ କରିପାରେ    । ଏକ ଜାତୀୟ ଗଣମାଧ୍ୟମର ସର୍ଭେ ମୁତାବକ ବିଜେପି ଓ ତାର ସହଯୋଗୀ ଦଳଙ୍କୁ ୬୮ ଆସନ ମିଳିବାକୁ ଯାଉଛି, ଯାହାକି ୨୦୧୯ ରେ ୬୨ ଆସନ ଥିଲା । ସେପଟେ ସମାଜବାଦୀ ପାର୍ଟି ସହ ମେଣ୍ଟରେ ନିର୍ବାଚନ ଲଢୁଥିବା କଂଗ୍ରେସ ମେଣ୍ଟକୁ ୧୨ ଟି ଆସନ ମିଳିପାରେ । ଏଥିପାଇଁ ଅନୁମାନ କରାଯାଉଛି କି ୨୦୧୯ ମସିହାରେ ବହୁଜନ ସମାଜବାଦୀ ପାର୍ଟିକୁ ୧୦ ଟି ଆସନ ମିଳିଥିଲା । ହେଲେ ଚଳିତ ଥର ମାୟାବତୀଙ୍କ ପାର୍ଟି ଗୋଟିଏ ବି ଆସନ ହାତେଇପାରିବ ନାହିଁ ବୋଲି ପୂର୍ବାନୁମାନ କରାଯାଉଛି ।
ସେହିଭଳି ବିହାରରେ ୨୦୧୯ ରେ ଏନଡିଏ ୪୦ ଆସନରୁ ୩୯ ଆସନ ହାତେଇଥିଲା ଓ ମହାମେଣ୍ଟ ଗୋଟିଏ ଆସନ ପାଇଥିଲା । ହେଲେ ଚଳିତ ଥର ବିହାରରେ ଏନଡିଏର ସାଂସଦ ସଂଖ୍ୟା କମି ୩୯ ରୁ ୩୩ କୁ ଆସିପାରେ ବୋଲି ଆକଳନ କରାଯାଇଛି । ସେପଟେ ୨୦୧୯ ମସିହାରେ ମହାମେଣ୍ଟ ମାତ୍ର ଗୋଟିଏ ଆସନ ପାଇଥିବା ବେଳେ ଚଳିତ ଥର ୬ ଟି ଆସନ ପାଇପାରେ ବୋଲି ଅନୁମାନ କରାଯାଉଛି, ଏହାସହ ଅନ୍ୟାନ୍ୟ ଦଳ ଗୋଟିଏ ଆସନରେ ଜିତିପାରନ୍ତି । ହେଲେ ମହାମେଣ୍ଟ ଦାବି କରିଛି କି ଏଥର ବିହାରରେ ସବୁଠାରୁ ଭଲ ପ୍ରଦର୍ଶନ କରିବ ।

ଅନ୍ୟପଟେ ହରିଆଣାରେ ବି ଇଣ୍ଡିଆ ମେଣ୍ଟକୁ ଭଲ ଫଳାଫଳ ମିଳିପାରେ । ୨୦୧୯ ମସିହାରେ ରାଜ୍ୟର ୧୦ ଲୋକସଭା ଆସନରୁ ୧୦ ଟି ଯାକ ଏନଡିଏ ମେଣ୍ଟ ଜିତିଥିଲା । ହେଲେ ଚଳିତ ଥର ପୂର୍ବାନୁମାନ ମୁତାବକ ଏନଡିଏକୁ ୭ ଓ ଇଣ୍ଡିଆ ମେଣ୍ଟକୁ ୩ ଆସନ ମିଳିପାରେ ।

ସେପଟେ ରାଜସ୍ଥାନ କଥା ଯଦି ଦେଖିବା ୨୦୧୯ ମସିହାରେ ରାଜସ୍ଥାନର ସମସ୍ତ ୨୫ ଆସନରେ ବିଜେପି ହାତେଇ ନେଇଥିଲା । ହେଲେ ଚଳିତ ଥର ଇଣ୍ଡିଆ ମେଣ୍ଟକୁ ୫-୭ ଆସନ ମିଳିବ ବୋଲି ପୂର୍ବାନୁମାନ କରାଯାଉଛି । ଏଭଳି ସ୍ଥଳେ କାହାକୁ ବହୁମତ ମିଳିବ ସେକଥା ଜୁନ ୪ ତାରିଖରେ ସ୍ପଷ୍ଟ ହେବ, ହେଲେ କଂଗ୍ରେସ ଓ ତାର ସହଯୋଗୀ ଦଳମାନେ କିଛି ରାଜ୍ୟରେ ନିଜର ଦବଦବା ଜାହିର କରିବାରେ ସଫଳ ହୋଇପାରନ୍ତି ବୋଲି ଏଗଜିଟ୍ପୋଲ ରିପୋର୍ଟ ସ୍ପଷ୍ଟ କରୁଛି ।