ଖେଳାଳିଙ୍କ ଉପରେ ବର୍ଷିଲେ ଭାରତୀୟ କ୍ରିକେଟ ଦଳ ପୂର୍ବ ଅଧିନାୟକ କପିଲ ଦେବ । କହିଲେ ଟଙ୍କା, ଗର୍ବ, ଅହଙ୍କାର ପାଇଁ ମିଳୁନି ସଫଳତା

464

କନକ ବ୍ୟୁରୋ : ପୂର୍ବତନ କ୍ରିକେଟର ସୁନିଲ ଗାଭାସ୍କରଙ୍କ ପରେ ଭାରତୀୟ ଖେଳାଳିଙ୍କୁ ସମାଲୋଚନା କରିଛନ୍ତି ପ୍ରଥମ ବିଶ୍ୱକପ ବିଜେତା ଟିମର କ୍ୟାପଟେନ୍ କପିଲ ଦେବ । ଭାରତୀୟ ଖେଳାଳିମାନେ ନିଜକୁ ବହୁତ ବଡ଼ ଓ ଆତ୍ମବିଶ୍ୱାସୀ ଭାବୁଛନ୍ତି । ଏହା ଭଲ କଥା । କିନ୍ତୁ ନକରାତ୍ମକ କଥା ହେଉଛି, ସେମାନେ ନିଜକୁ ସର୍ବଜ୍ଞ ଭାବୁଛନ୍ତି । ସେଥିପାଇଁ ସେମାନେ କାହାକୁ କିଛି ପଚାରୁନାହାଁନ୍ତି ବୋଲି କହିଛନ୍ତି କପିଲ ଦେବ । ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ପରେ ଭାରତୀୟ କ୍ରିକେଟ ଦଳ କୌଣସି ବଡ଼ ଟୁର୍ଣ୍ଣାମେଂଟ ଜିତିପାରିନାହିଁ । କେତେବେଳେ ଆହତ ସମସ୍ୟା ତ କେତେବେଳେ ବ୍ୟାଟିଂ ଓ ବୋଲିଂରେ ବିଫଳତା ଯୋଗୁ ଭାରତ ସଫଳ ହୋଇପାରିନାହିଁ   । ଏପରି ସମୟରେ ଦୁଇ ପୂର୍ବତନ କ୍ରିକେଟରଙ୍କ ବୟାନକୁ ନେଇ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି ।

ପୂର୍ବରୁ ଆଇପିଏଲ ଭଳି ବଡ଼ ଏବଂ ଲମ୍ବା ସମୟ ଧରି ଟୁର୍ଣ୍ଣମେଂଟ ହେଉନଥିଲା । ହେଲେ ଆଇପିଏଲ ଆରମ୍ଭ ହେବା ପରଠୁ ଖେଳାଳିଙ୍କ ପାଖରେ ଟଙ୍କାର ଅଭାବ ରହୁନି । ଆଉ ଟଙ୍କା ଆସିବା ପରେ ଖେଳାଳିଙ୍କ ଅହଙ୍କାର ବଢିଯାଇଛି ବୋଲି କହିଛନ୍ତି କପିଳ ଦେବ । ସେମାନେ ସବୁ ଜାଣିଛନ୍ତି ବୋଲି ଭାବୁଛନ୍ତି । କିନ୍ତୁ ଏବେବି ବହୁତ ଖେଳାଳିଙ୍କୁ ସହାୟତାର ଆବଶ୍ୟକତା ରହିଛି । ସେହିପରି ଆହତ କାରଣରୁ ଆନ୍ତର୍ଜାତୀୟ କ୍ରିକେଟରୁ ବିଶ୍ରାମ ନେଉଥିବା ଖେଳାଳିଙ୍କୁ ସମାଲୋଚନା କରିଛନ୍ତି କପିଳ ଦେବ । କପିଳ କହିଛନ୍ତି, ସାମାନ୍ୟ ଆହତ ହେଲେ ଖେଳାଳିମାନେ ଦେଶ ପାଇଁ ମ୍ୟାଚ ନଖେଳି ବିଶ୍ରାମ ନେଉଛନ୍ତି, କିନ୍ତୁ ଆଇପିଏଲ ସମୟରେ ଆହତ ହୋଇ ବି ଆଇପିଏଲ ଖେଳୁଛନ୍ତି ।

ରାଜନୀତି ଏବଂ ଆଇପିଏଲ ଟଙ୍କା ଯୋଗୁ ଭାରତୀୟ କ୍ରିକେଟ ଦୁôଃଖଦ ସମୟ ଦେଇ ଗତି କରୁଛି ବୋଲି ପୂର୍ବରୁ ଗାଭାସ୍କର କହିଥିଲେ । ଆଉ ଏବେ କାହା ନାଁ ନନେଇ ଖେଳାଳିଙ୍କୁ ସମାଲୋଚନା କରିଛନ୍ତି କପିଲ ଦେବ । କପିଳଙ୍କ ସମାଲୋଚନା ବରିଷ୍ଠ ଖେଳାଳିଙ୍କ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଥିବା କୁହାଯାଉଛି ।