ମଣିପୁର ମାମଲାରେ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭତ୍ସନା । ଆଇନଜୀବୀଙ୍କ ଉପରେ ବର୍ଷିଲେ ମୁଖ୍ୟ ବିଚାରପତି

187

କନକ ବ୍ୟୁରୋ : ମଣିପୁରରେ ଦୁଇ ମହିଳାଙ୍କୁ ଦୁଷ୍କର୍ମ ପରେ ରାସ୍ତାରେ ବୁଲାଇବା ଘଟଣାରେ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ଭତ୍ସନା କରିଛନ୍ତି । ଆଇନଜୀବୀ ବାଂଶୁରୀ ସ୍ୱରାଜଙ୍କ ଉପରେ ବର୍ଷିଛନ୍ତି ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୁଡ଼ । ମହିଳାଙ୍କ ଉପରେ ପଶ୍ଚିମବଙ୍ଗ, ରାଜସ୍ଥାନ, ଛତିଶଗଡ଼ରେ ମଧ୍ୟ ଅପରାଧ ହୋଇଛି । କେବଳ ମଣିପୁର ଘଟଣାକୁ କ’ଣ ପାଇଁ ବିଚାରକୁ ନିଆଗଲା ବୋଲି ପ୍ରଶ୍ନ କରିଥିଲେ ଆଇନଜୀବୀ  । ଏହାର ଯବାବରେ ମୁଖ୍ୟ ବିଚାରପତି କହିଥିଲେ, ମଣିପୁର ଘଟଣାକୁ ଅନ୍ୟ ଘଟଣା ସହ ତୁଳନା କରି ଆମେ ଏହାକୁ ଯଥାର୍ଥ ସାବ୍ୟସ୍ତ କରିପାରିବା ନାହିଁ । ଏଠି, ହେଉଛି, ସେଠି ହେଉଛି କହି ଆମେ ଖସିଯାଇପାରିବା ନାହିଁ । ମଣିପୁର ଘଟଣା ହେଉଛି ଆଶ୍ଚର୍ଯ୍ୟଜନକ ଏବଂ ଅତ୍ୟନ୍ତ ଅମାନବୀୟ ଘଟଣା । ତେବେ କାହିଁକି ମେ’ ୪ ତାରିଖର ଘଟଣାରେ ମେ ୧୫ ତାରିଖରେ ମାମଲା ରୁଜୁ କରାଗଲା ସେନେଇ କୋର୍ଟ ପ୍ରଶ୍ନ କରିଛନ୍ତି ।

ମଣିପୁର ହିଂସାରେ ରୁଜୁ ହୋଇଥିବା ମୋଟ ୬ ହଜାର ମାମଲାରୁ ଏଭଳି କେତୋଟି ମାମଲା ରହିଛି ବୋଲି କେନ୍ଦ୍ର ସରକାରଙ୍କୁ କୋର୍ଟ ପ୍ରଶ୍ନ କରିଛନ୍ତି । ଏଥିସହ କେନ୍ଦ୍ର ଏବଂ ମଣିପୁର ସରକାରଙ୍କୁ ୬ ଟି ପ୍ରଶ୍ନର ଉତର ମାଗିଛନ୍ତି କୋର୍ଟ ।

-ଏଭଳି କେତେ ମାମଲା ରହିଛି?
-କେତେ ଜିରୋ ଏଫଆଇଆର ରୁଜୁ ହୋଇଛି?
-ଥାନା ସୀମା ଭିତରେ ନଆସୁଥିବାରୁ କେତେ ମାମଲା ସ୍ଥାନାନ୍ତର ହୋଇଛି?
-କେତେ ଜଣ ଗିରଫ ହୋଇଛନ୍ତି?
-ଗିରଫ ଅଭିଯୁକ୍ତଙ୍କୁ ଆଇନଗତ ସହାୟତା କିଏ ଦେଉଛି?
-ଧାରା ୧୬୪ରେ କେତେ ଜଣଙ୍କ ବୟାନ ରେକର୍ଡ କରାଯାଇଛି?

ଏଥିସହ ତୁମେ ଭାରତରେ ମହିଳାଙ୍କୁ ସୁରକ୍ଷା ଦେଇପାରିବ ନା ନାହିଁ ବୋଲି କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି ସର୍ବୋଚ୍ଚ ଅଦାଲତ ।

ମାମଲାକୁ ଅନ୍ୟ ରାଜ୍ୟ ଆସାମକୁ ସ୍ଥାନାନ୍ତର କରିବାକୁ କୋର୍ଟରେ ଆବେଦନ କରିଥିଲେ କେନ୍ଦ୍ର ସରକାର । କିନ୍ତୁ ମହିଳାଙ୍କ ପକ୍ଷରୁ ଲଢୁଥିବା ଆଇନଜୀବୀ କପିଲ ଶିବଲ ଏହାକୁ ବିରୋଧ କରିବା ସହ ସୁପ୍ରିମକୋର୍ଟକୁ ମାମଲାର ତଦାରଖ କରିବାକୁ କହିଥିଲେ । ମଙ୍ଗଳବାର ମମାଲାର ପୁଣି ଶୁଣାଣି କରିବାକୁ କହିଛନ୍ତି ସୁପ୍ରିମକୋର୍ଟ ।