ବଦଳିଲା ୨୪ ବର୍ଷର ଶାସନ ଢାଞ୍ଚା। ମନ୍ତ୍ରୀଙ୍କୁ ଭେଟୁଛନ୍ତି ସଚିବ । ମନ୍ତ୍ରୀଙ୍କୁ ଭେଟିବାକୁ ଲାଗିଲା ଅଫିସରଙ୍କ ଧାଡ଼ି

1,099

କନକ ବ୍ୟୁରୋ: ନବୀନ ପଟ୍ଟନାୟକଙ୍କ ଶାସନରେ ଅଫିସର ବା ବାବୁମାନେ ଥିଲେ ବହୁ କ୍ଷମତାର ଅଧିକାରୀ । ବିଧାନସଭା ହେଉ କି ରାଜରାସ୍ତା, ସବୁବେଳେ କୁହାଯାଉଥିଲା, ଓଡ଼ିଶାରେ ଚାଲିଛି ଅଫିସର ରାଜ । ମନ୍ତ୍ରୀ ବଡ଼ ନୁହେଁ, ସଚିବ ବଡ଼ ବୋଲି କୁହାଯାଉଥିଲା । କିନ୍ତୁ ଶାସନ ବଦଳିବା ପରେ ଯେପରି ଅଫିସରଙ୍କ ରାଜୁତି ସରିଯାଇଛି ।

  • ବଦଳିଲା ୨୪ ବର୍ଷର ଶାସନ ଢାଞ୍ଚା
  • ମନ୍ତ୍ରୀଙ୍କୁ ଭେଟୁଛନ୍ତି ସଚିବ

ନୂଆ ସରକାର ଆସିବା ପରେ ସବୁ ବିଭାଗର ସଚିବ ଫାଇଲ ଧରି ମନ୍ତ୍ରୀଙ୍କ ପାଖକୁ ଆସୁଛନ୍ତି । ଜଳ ସମ୍ପଦ ହେଉ, କି ଗୃହ ବିଭାଗ ହେଉ, କିମ୍ବା ଯୋଜନା ସଂଯୋଜନା । ସବୁ ବିଭାଗର ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଆସି ଭେଟିଛନ୍ତି । କେଉଁ ବିଭାଗରେ କ’ଣ କାମ ହୋଇଛି, ଆଗକୁ କ’ଣ ରୋଡ୍ ମ୍ୟାପ୍ ରହିଛି, ତା’ର ଟିକିନିକି ହିସାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ନିକଟରେ ।

  • ଆକ୍ସନ ମୁଡରେ ସରକାର
  • ଇସ୍ତାହାର ପାଳନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ସେପଟେ ସରକାରୀ ଦଳ ଘୋଷଣା କରିଥିବା ଇସ୍ତାହାର ପୂରଣ ପାଇଁ ବିଭାଗୀୟ ମୁଖ୍ୟଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝା । ଗୃହ, ଅର୍ଥ. ଜଳ ସମ୍ପଦ, ଯୋଜନା ଓ ସଂଯୋଜନା ବିଭାଗର ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ବିଭାଗୀୟ ମୁଖ୍ୟଙ୍କ ସହ ଆଲୋଚନା ପରେ ଅର୍ଥ ବିଭାଗର ସମୀକ୍ଷା କରି ବଜେଟ୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ନୂଆ ସରକାରରେ ଚାଷୀଙ୍କୁ ଅଧିକ ଫୋକସ୍ କରାଯାଇଛି । ଚାଷ ଜମିକୁ ପାଣି ଯୋଗାଇଦେବା ଏବଂ ମୌସୁମୀକୁ ଆଖି ଆଗରେ ରଖି ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ଲୋକେ କିଭଳି ଭାବେ ବିଭିନ୍ନ ଯୋଜନାରୁ ଉପକୃତ ହେବେ ତାହା ଉପରେ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ନୂଆ ସରକାରଙ୍କ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେଉଛି ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ପାଳନ କରିବା । ଆଉ ବିଭାଗୀୟ ଅଧିକାରୀ ହିଁ ସେସବୁର ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିବା ସହ ଲୋକଙ୍କ ପାଖରେ ସବୁ ଯୋଜନା ପହଞ୍ଚାଇବାର ବାଟ ବାହାର କରିବେ ।