ନବମ ଶ୍ରେଣୀ ଛାତ୍ର ଆଶିଷଙ୍କ ସ୍ୱପ୍ନ ଆଗରେ ବାଧକ ସାଜିଛି ବ୍ଲଡ଼ କ୍ୟାନସର । ନା ଚିକିତ୍ସା ହୋଇପାରୁଛି, ନା ପଢ଼ିପାରୁଛନ୍ତି ।

110

କନକ ବ୍ୟୁରୋ: ପୁଅକୁ ବ୍ଲଡ କ୍ୟାନସର । ବାପା ମା’ଙ୍କ ଉପରେ ଭାଙ୍ଗିପଡ଼ିଛି ଦୁଃଖର କଳାବାଦଲ । କେଉଁ ବାପା-ମା’ ଅବା ସହିବେ , କାରଣ ଯେଉଁ ବୟସରେ ଅନ୍ୟ ପିଲାଙ୍କ ଭଳି ତାଙ୍କ ପୁଅ ପାଠପଢ଼ି ବଡ଼ ମଣିଷ ହେବାର ସ୍ୱପ୍ନ ଦେଖିବା କଥା ସେହି ବୟସରେ ମାରାତ୍ମକ କ୍ୟାନସର ରୋଗର ଯନ୍ତ୍ରଣା ତାଙ୍କୁ କଲବଲ କରୁଛି । ଯାଜପୁର ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଦାଣ୍ଡିସାହିର ଅଜୟ ଜେନାଙ୍କ ପୁଅ ଆଶିଷ ଜେନା । ନବମ ଶ୍ରେଣୀରେ ପାଠପଢ଼ନ୍ତି । ହଠାତ୍ ତାଙ୍କ ଦେହ ଅସୁସ୍ଥ ପରେ ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯିବା ପରେ ତାଙ୍କୁ ବ୍ଲଡ଼ କ୍ୟାନସର ହୋଇଥିବା ଜଣାପଡ଼ିଥିଲା । ୩ ମାସ ହେଲା କଟକରେ ଚିକିତ୍ସା ଜାରି ରହିଛି । ଡାକ୍ତର କଟକରେ ରହି ଚିକିତ୍ସା ପାଇଁ ପରାମର୍ଶ ଦେଇଥିବା ବେଳେ ପାଖରେ ଟଙ୍କା ପଇସାର ଅଭାବ ଥିବାରୁ ଘର ଭଡ଼ା ନେଇ ପୁଅର ଚିକିତ୍ସା କରିପାରୁନାହାନ୍ତି ଆଶିଷଙ୍କ ବାପା-ମା’ । ସରକାରଙ୍କ ପକ୍ଷରୁ ତାଙ୍କ ଚିକିତ୍ସା ପାଇଁ କିଛି ସହାୟତା ମିଳିଲେ ପୁଅ ଭଲ ହୋଇ ଅନ୍ୟ ପିଲାଙ୍କ ଭଳି ସ୍କୁଲ ଯିବ ବୋଲି ସେ ଆଶା ରଖିଛନ୍ତି । ଅନ୍ୟପଟେ ରକ୍ତ କର୍କଟ ଯୋଗୁଁ ଆଶିଷ ନବମ ପରୀକ୍ଷା ମଧ୍ୟ ଦେଇପାରିନାହାନ୍ତି । ତାଙ୍କ ପାଠପଢ଼ା ଅଧାରେ ଅଟକି ରହିଛି । ଆଶିଷଙ୍କ ବାପା ଜଣେ ଦିନ ମଜୁରିଆ । ପୁଅର ଚିକିତ୍ସା ପାଇଁ ଏତେ ଟଙ୍କା ଯୋଗାଡ଼ କରିବା ସମ୍ଭବ ହେଉନାହିଁ ।