୬୮ ବର୍ଷର ପୁରୁଣା ବାକି ୨୮ ଟଙ୍କା ଫେରାଇବାକୁ ଆମେରିକାରୁ ଭାରତ ଆସିଲେ, ମିଠା ଦୋକାନୀକୁ ଦେଲେ ୧୦ ହଜାର ଟଙ୍କା

1,834

କନକ ବ୍ୟୁରୋ : ଦେଶରୁ କୋଟି କୋଟି ଟଙ୍କା ନେଇ ଫେରାର ହୋଇଯାଉଛନ୍ତି ବ୍ୟବସାୟୀ । ସାମାନ୍ୟ କେଇଟା ଟଙ୍କା ପାଇଁ ବନ୍ଧୁ ବି ବନ୍ଧୁକୁ ହତ୍ୟା କରିବାକୁ ପଛାଉ ନାହିଁ । ହେଲେ ମାତ୍ର ୨୮ ଟଙ୍କା ଉଧାର ଫେରାଇବାକୁ ଜଣେ ଲୋକ ଆମେରିକାରୁ ଭାରତ ଆସିବା ଓ ତାହା ପୁଣି ୬୮ ବର୍ଷ ପରେ । ଏଭଳି କଥା ବିଶ୍ୱାସ ହେଉ ନଥିଲେ ବି ଶତ ।

ନିଜ ପୁଆ ପାଖରେ ଆମେରିକାରେ ଯାଇ ରହୁଥିବା ଜଣେ ବ୍ୟକ୍ତି ୨୮ ଟଙ୍କାର ଉଧାରକୁ ଭୂଲି ନଥିଲେ । ୬୮ ବର୍ଷ ପରେ ସେହି ୮୫ ବର୍ଷିୟ ବୃଦ୍ଧ ଜଣଙ୍କ ମାତ୍ର ୨୮ ଟଙ୍କା ଫେରାଇବାକୁ ସୁଦୂର ଆମେରିକାରୁ ଭାରତର ହରିଆଣା ଚାଲିଆସିଥିଲେ । ସେ ଉଧାର କରିଥିବା ୨୮ ଟଙ୍କା ବଦଳରେ ଉଧାର ଦେଇଥିବା ଲୋକକୁ ୧୦ ହଜାର ଟଙ୍କା ଫେରସ୍ତ କରିଛନ୍ତି ।

ହରିଆଣାର ପ୍ରଥମ ନୌସେନା ବାହାଦୁରୀ ପୁରସ୍କାରରେ ସମ୍ମାନୀତ ହୋଇଥିବା ନୌସେନା କମାଣ୍ଡର ବିଏସ ଓପ୍ପଲ ଅବସର ପରେ ନିଜ ପୁଅ ପାଖକୁ ଆମେରିକା ଚାଲିଯାଇଥିଲେ । ହେଲେ ଏବେ ସେ ହରିଆଣା ହିସାର ଜିଲ୍ଲାର ମୋତି ବଜାର ସ୍ଥିତ ଦିଲ୍ଲୀ ବାଲା ମିଠା ଦୋକାନରେ ହଠାତ ପହଂଚି ଦୋକାନୀକୁ କହିଥିଲେ କି ତୁମ ଜେଜେ ଶମ୍ଭୁ ଦୟାଲ ବଂସଲଙ୍କୁ ୧୯୫୪ ମସିହାରେ ମୋତେ ୨୮ ଟଙ୍କା ଦେବାର ଥିଲା । ହେଲେ ଅଚାନକ ଏହି ସହର ଛାଡି ନୌସେନାରେ ଯୋଗ ଦେବାକୁ ପଡିଥିଲା । ଏହି କାରଣରୁ ମୁଁ ତୁମ ଜେଜେଙ୍କ ଉଧାର ୨୮ ଟଙ୍କା ଫେରାଇପାରି ନଥିଲି ।

ଉପ୍ପଲ ଦୋକାନୀ ଜଣଙ୍କୁ କହିଥିଲେ କି ତୁମ ଜେଜେ ସମୟରେ ମୁଁ ଏଠାରେ ଦହିର ଲସି ପିଉଥିଲି , ହେଲେ କୌଣସି କାରଣରୁ ଥରେ ତୁମ ଜେଜେଙ୍କୁ ୨୮ ଟଙ୍କା ଦେଇପାରି ନଥିଲି । ନୌସେନାରେ ଚାକିରୀ କରିବା ପରେ ହିସାର ଆସିବାର ସୁଯୋଗ ମିଳିନଥିଲା ଓ ଅବସର ପରେ ମୁଁ ମୋ ପୁଅ ପାଖକୁ ଆମେରିକା ଚାଲିଯାଇଥିଲି । ହେଲେ ସେଠାରେ ଦୁଇଟି କଥା ମୋତେ ସବୁବେଳେ ହିସାର ଆସିବାକୁ ଉତ୍ସାହିତ କରୁଥିଲା । ପ୍ରଥମଟି ତୁମ ଜେଜେଙ୍କର ୨୮ ଟଙ୍କା ଉଧାର ଫେରାଇବା ଓ ଅନ୍ୟଟି ମୁଁ ଏଠାରେ ପଢୁଥିବା ସ୍କୁଲକୁ ଥରେ ଦେଖିବା ।

ଏହାପରେ ବିଏସ ଓପ୍ପଲ ଦୋକାନୀ ବିନୟ ବଂସଲଙ୍କ ହାତରେ ୨୮ ଟଙ୍କା ବଦଳରେ ୧୦ ହଜାର ଟଙ୍କା ଦେଇଥିଲେ । ହେଲେ ଏହାକୁ ଗ୍ରହଣ କରିବାକୁ ରାଜି ନଥିଲେ ଦୋକାନୀ ବିନୟ ବଂସଲ । ଏହାପରେ ଓପ୍ପଲ ବାଧ୍ୟକରି ଦୋକାନୀଙ୍କ ହାତରେ ୧୦ ହଜାର ଟଙ୍କା ଦେଇଥିଲେ ।