ନିମ୍ନମାନର ଖାଦ୍ୟ ପ୍ରଦାନ ଅଭିଯୋଗ : କୋଷାଗୁମୁଡା ବ୍ଲକ ବରଗାଁ ସ୍କୁଲର ୪୫ ଛାତ୍ର ଛାଡିଲେ ହଷ୍ଟେଲ

188

କନକ ବ୍ୟୁରୋ : ନିମ୍ନମାନର ଖାଦ୍ୟ ପ୍ରଦାନ ସହ ପ୍ରଧାନଶିକ୍ଷକ ଓ ରୋଷେୟାଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ସ୍କୁଲ ହଷ୍ଟେଲ ଛାଡିଲେ ୪୫ ଜଣ ଛାତ୍ର । ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ବରଗାଁ ଉନ୍ନତି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ଏହି ସ୍କୁଲରେ ୧୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ ରହିଛି ।

ହଷ୍ଟେଲ ପରିଚାଳନାରେ ତ୍ରୁଟି ସହ ଛାତ୍ରଙ୍କୁ ପ୍ରତ୍ୟେକ ଦିନ ପୋକରା ଚାଉଳର ଭାତ ସହିତ ନିମ୍ନମାନର ଖାଦ୍ୟ ପ୍ରଦାନ କରାଯାଉଥିବା ଅଭିଯୋଗ ହୋଇଛି । ସେହିଭଳି ସ୍କୁଲ ପ୍ରଧାନଶିକ୍ଷକଙ୍କ ବ୍ୟବହାରରେ ଛାତ୍ର ମାନେ ଅତିଷ୍ଠ ହୋଇଥିବାବେଳେ, ଦୀର୍ଘଦିନ ଧରି ହଷ୍ଟେଲର ପଙ୍ଖା ଚାଲୁନଥିବା ଓ ସନ୍ଧ୍ୟା ସମୟରେ ଖେଳିବା ପାଇଁ ଦିଆଯାଉନଥିବା ଅଭିଯୋଗ ହୋଇଛି । ପ୍ରଧାନଶିକ୍ଷକଙ୍କୁ ଏ ନେଇ ଅଭିଯୋଗ କଲେ ନାଲି ଆଖି ଦେଖାଉଛନ୍ତି ବୋଲି ଅଭିଯୋଗ ହୋଇଛି ।

ସେପରି ହଷ୍ଟେଲର ରୋଷେୟା ମାନେ ମଧ୍ୟ ଦୁର୍ବ୍ୟବାହାର ପ୍ରଦର୍ଶନ କରୁଥିବା ଅଭିଯୋଗ କରିଛନ୍ତି ଛାତ୍ରମାନେ । ଘଟଣା ବାବଦରେ ଅବଗତ ହେବା ପରେ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ତଦନ୍ତ କରିଛନ୍ତି । ଅପରପକ୍ଷରେ ଛାତ୍ର ମାନଙ୍କ ଅଭିଯୋଗକୁ ଖଣ୍ଡନ କରିବା ସହିତ ଭଲ ପାଠ ପଢିବା ପାଇଁ କହିବା ପରେ ଛାତ୍ର ମାନେ ହଷ୍ଟେଲ ଛାଡିଥିବା ସ୍କୁଲ ପ୍ରଧାନଶିକ୍ଷକ କହିଛନ୍ତି ।