ଦୃଢ ଇଚ୍ଛାଶକ୍ତି ଆଗରେ ହାର ମାନିଛି ବୟସ : କୋରାପୁଟରୁ ଦାମନଯୋଡି ଦୌଡିଲେ କୁନି ଧାବକ; ୨୭ କିମି ରାସ୍ତାକୁ ୪ ଘଣ୍ଟା ୩୫ ମିନିଟରେ ଅତିକ୍ରମ

79

କନକ ବ୍ୟୁରୋ : ଦୃଢ଼ ଇଛା ଶକ୍ତି ଆଗରେ ହାର ମାନିଛି ବୟସ । କୋରାପୁଟ ସହରର ୩ଜଣ କୁନି ଧାବକ କୋରାପୁଟ ଜିଲ୍ଲା ପୁଲିସ ମୁଖ୍ୟଳୟରୁ ଦାମନଯୋଡି ପର୍ଯ୍ୟନ୍ତ ଦୌଡ଼ି ସମସ୍ତଙ୍କୁ ଚମକେଇ ଦେଇଛନ୍ତି । ଦୀର୍ଘ ୨୭ କିଲୋମିଟର ରାସ୍ତାକୁ ମାତ୍ର ୪ ଘଣ୍ଟା ୩୫ ମିନିଟରେ ଅତିକ୍ରମ କରି ତିନି ଭାଇ ଭଉଣୀ ଚର୍ଚ୍ଚାକୁ ଆସିଛନ୍ତି । କୁନି ଧାବକମାନେ ହେଲେ ଜୟପୁର ସହରର ବଙ୍ଗଳାବାଡ ବାସିନ୍ଦା ଜିତେନ୍ଦ୍ର ବାହାଦୁରଙ୍କ ଦୁଇ ଝିଅ ଯମୁନା, ତପସ୍ୟା ଓ ପୁଅ ହରିଶ । ବଡ଼ ଝିଅ ଯମୁନାଙ୍କ ବୟସ ୧୦ ବର୍ଷ, ପୁଅ ହରିଶଙ୍କ ବୟସ ୯ବର୍ଷ ଓ ସାନ ଝିଅ ତପସ୍ୟାଙ୍କ ବୟସ ୭ ବର୍ଷ ।

ସୂଚନା ଅନୁସାରେ ବାପା ଜିତେନ୍ଦ୍ରଙ୍କ ସହିତ କୋରାପୁଟ ପୁଲିସ ମୁଖ୍ୟାଳୟ ନିକଟରେ ୩ ଭାଇ ଭଉଣୀ ପହଞ୍ଚିଥିଲେ । ୨୬ ନମ୍ବର ଜାତୀୟ ରାଜପଥରେ ବାପାଙ୍କ ସହ ମିଶି ଭାଇ-ଭଉଣୀ ତିନି ଜଣ ଦୌଡ଼ି ଚର୍ଚ୍ଚା ସୃଷ୍ଟି କରିଛନ୍ତି । ପୂର୍ବରୁ ଏହି ତିନି ଭାଇ ଭଉଣୀ ଜୟପୁରରୁ ବୋରିଗୁମ୍ମା ପର୍ଯ୍ୟନ୍ତ ଦୌଡ଼ି ଚର୍ଚ୍ଚା ସୃଷ୍ଟି କରିଥିଲେ । ଭବିଷ୍ୟତରେ ସେନା ବାହିନୀରେ ଯୋଗଦେଇ ଦେଶ ମାତୃକାର ସେବା କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ଯମୁନା, ହରିଶ ଓ ତପସ୍ୟା । ଜୟପୁର ଉପର କୋଲାବ ପ୍ରକଳ୍ପ ବିଦ୍ୟାଳୟରେ ଯମୁନା ପଞ୍ଚମ, ହରିଶ ଚତୁର୍ଥ ଓ ତପସ୍ୟ ଦ୍ୱିତୀୟ ଶ୍ରେଣୀରେ ପାଠ ପଢ଼ୁଛନ୍ତି ।