IAS ହେବ ତ ଏମିତି । ଯାହାଙ୍କ ପାଇଁ ବଞ୍ଚି ଯାଇଥିଲା ୨ ଲକ୍ଷ ଲୋକଙ୍କ ଜୀବନ

42

ଭୟଙ୍କର ବନ୍ୟା ବିଭୀଷିକାରେ ଧୋଇ ହୋଇ ଯାଇଛି କେରଳ । ପାଣିରେ ସବୁ ଯେମିତି ଏକାକାର ହୋଇଯାଇଛି । ତେବେ ଏହି ବନ୍ୟାରେ ଲୋକଙ୍କ ପାଇଁ ଦେବଦୂତ ପାଲଟିଛନ୍ତି ଉଦ୍ଧାରକାଯ୍ୟରେ ନିୟୋଜିତ ଥିବା ଯବାନ ଓ କିଛି ସରକାରୀ ଅଫିସର । ଯେଉଁମାନେ କେରଳବାସୀଙ୍କୁ ବଞ୍ଚାଇବା ପାଇଁ ଦିନରାତି ଏକ କରି ଦେଇଥିଲେ । ରାତି ରାତି ଅନିଦ୍ରା ରହି ବନ୍ୟା ପିଡୀତଙ୍କ କଥା ବୁଝିଥିଲେ । ଏପରିକି କିଛି ଅଫିସରଙ୍କ ପାଇଁ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଞ୍ଚିବା ସହ କୋଟି କୋଟି ଟଙ୍କା ରକ୍ଷା ପାଇଯାଇଥିଲା । ସେହିଭଳି ଜଣେ ଆଇଏଏସ ଅଫିସର ହେଉଛନ୍ତି କୃଷ୍ଣା ତେଜା । ଯାହାଙ୍କ ପାଇଁ ବଞ୍ଚି ଯାଇଛି ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ।

କୃଷ୍ଣା ତେଜା ଏଭଳି ଜଣେ ଆଇଏଏସ ଅଧିକାରୀ ଯାହାଙ୍କ ଯୋଗୁଁ ବନ୍ୟା ଆସିବା ପର୍ବୂରୁ ଲକ୍ଷେରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଭାବେ ବନ୍ୟା ଆଶ୍ରୟସ୍ଥଳୀକୁ ଅଣାଯାଇଥିଲା । ଯେଉଁଥିପାଇଁ ୨ ଲକ୍ଷ ଲୋକଙ୍କ ଜୀବନ ବଞ୍ଚି ଯାଇଛି । ୧୬ ଅଗଷ୍ଟ,୨୦୧୮ । କେରଳର ବିତ୍ତ ମନ୍ତ୍ରୀ ଡକ୍ଟର ଥୋମାସ ଓ କୃଷ୍ଣା ତେଜା କୌଣସି ଏକ ବିଷୟରେ ଆଲୋଚନା କରୁଥିଲେ । ହଠାତ ସେହି ସମୟରେ ତାଙ୍କୁ ଏକ ସୂଚନା ମିଳିଥିଲା । ଚେଙ୍ଗନ୍ନୁର ଓ କୁଟ୍ଟାନାଡରେ ପ୍ରବଳ ବର୍ଷା ଯୋଗୁଁ ନଦୀବନ୍ଧର ଗେଟ ଖୋଲାଯିବ ବୋଲି ସେ ଜାଣିବାକୁ ପାଇଥିଲେ । ଯଦି ବନ୍ଧର ଦ୍ୱାର ଖୋଲାଯାଏ ତେବେ କୁଟ୍ଟାନାଡର ଅବସ୍ଥା ଅତ୍ୟନ୍ତ ଖରାପ ହୋଇଯିବ ଏପରିକି ଅଧିକାଂଶ ଲୋକଙ୍କ ଜୀବନ ବିପଦରେ ପଡିବ ବୋଲି ଆଇଏଏସ ଅଧିକାରୀ ଜଣକ ଭାବି ସାରିଥିଲେ । ତେଣୁ ଆଉ ଡେରି ନକରି ରାତିରୁ ହିଁ କୁଟ୍ଟାନାଡରେ ରାତି ଅଧିଆ ଅପରେସନ ଆରମ୍ଭ କରିଥିଲେ କୃଷ୍ଣା ତେଜା ।

ଆଉ ଏହି ଅପରେସନରେ ମାତ୍ର ଦୁଇ ଦିନ ମଧ୍ୟରେ ୨ ଲକ୍ଷ ଲୋକଙ୍କୁ ବନ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବା ସହ ସେମାନଙ୍କ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଥିଲେ । ତେବେ ଏହି ଅପରେସନ ଏତେ ସହଜ ନଥିଲା କୃଷ୍ଣାଙ୍କ ପାଇଁ । କାରଣ ଉଦ୍ଧାରକାଯ୍ୟ ସମୟରେ ଗାଡି ବଦଳରେ ଡଙ୍ଗାର ବ୍ୟବହାର କରିବାକୁ ପଡିଥିଲା । ଏପରିକି ନିଜେ କୃଷ୍ଣା ପାଣି ଭିତରେ ପଶି ଲୋକମାନଙ୍କୁ ଉଦ୍ଧାର କରିବାକୁ ଆଗେଇ ଆସିଥିଲେ । ଆଉ ଉପ-ଜିଲ୍ଲାପାଳଙ୍କ ଏଭଳି କାର୍ଯ୍ୟକୁ ଦେଖି ଲୋକମାନେ ପ୍ରଂଶସା କରିବାକୁ ଭୁଲିନଥିଲେ । ଆଇଏଏସ ଅଧିକାରୀଙ୍କ କହିବା ଅନୁଯାୟୀ, ଏହି ଅପରେସନ ସମୟରେ ମିଡିଆକୁ ଦୂରେଇ ରଖା ଯାଇଥିଲା । କାରଣ ଗଣମାଧ୍ୟମର ଖବର ପ୍ରସାରଣ ହୋଇଥିଲେ ଲୋକମାନଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥାନ୍ତା । ଯାହାଫଳରେ ବଡ ଧରଣର ଦୁର୍ଘଟଣା ହେବାର ସମ୍ଭାବନା ଥିଲା ।