ବିଜୁ ଏକ୍ସପ୍ରେସ ୱେରେ ଟ୍ୟାକ୍ସ ଆଦାୟକୁ ବିରୋଧ ! ଟୋଲ-ଟ୍ୟାକ୍ସ ସଂପୂର୍ଣ୍ଣ ଛାଡ ଦାବିରେ ନାଗରିକ କମିଟିର ଆଜି ସୁନ୍ଦରଗଡ ବନ୍ଦ

51

କନକ ବ୍ୟୁରୋ: ଆଜି ୧୨ଘଂଟିଆ ସୁନ୍ଦରଗଡ ବନ୍ଦ ଡାକରା । ସୁନ୍ଦରଗଡ଼ ନାଗରିକ କମିଟି ପକ୍ଷରୁ ୧୨ ଘଂଟିଆ ବନ୍ଦ ଡ଼ାକରା ଦିଆଯାଇଛି । ଟୋଲ ଟ୍ୟାକ୍ସ ସମ୍ପୁର୍ଣ୍ଣ ଛାଡ଼ ଦାବିରେ ଏହି ବନ୍ଦ ଡ଼ାକରା ଦିଆଯାଇଛି । ବିଜୁ ଏକ୍ସପ୍ରେସ୍ ୱେ’ରେ ଟୋଲ ଟାକ୍ସ ଆଦାୟକୁ ବିରୋଧ କରି ଏଲ ଆଣ୍ଡ ଟି ଏବଂ ଆଇଡ଼ିପିଏଲ କାର୍ଯ୍ୟାଳୟକୁ ଆଜି ଘେରାଓ କରାଯିବାର କାର୍ଯ୍ୟକ୍ରମ ରହିଛି ।

ସୂଚନା ମୁତାବକ, ସମ୍ବଲପୁର-ରାଉରକେଲା ବିଜୁ ଏକ୍ସପ୍ରେସ୍ ୱେର ମସ୍କକାନୀରେ ଟୋଲ୍ ଆଦାୟକୁ ସୁନ୍ଦରଗଡ଼ ନାଗରିକ କମିଟି ବିରୋଧ କରିଛି । ଟୋଲ୍ ଆଦାୟକୁ ବିରୋଧ କରି ଆଜି ସୁନ୍ଦରଗଡ଼ ସହରରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ସମ୍ବଲପୁର-ରାଉରକେଲା ୧୦ ନମ୍ବର ରାଜ୍ୟ ରାଜପଥ ପାଇଁ ଟୋଲ୍ ଆଦାୟ ହେଉଥିଲା। ଜିଲ୍ଲାବାସୀ ଦୀର୍ଘ ୧୭ ବର୍ଷ ଟୋଲ୍ ଦେଇଛନ୍ତି । ଏବେ ଏହି ରାସ୍ତାର କେବଳ ଉନ୍ନତିକରଣ କରାଯାଇ ଏହାକୁ ବିଜୁ ଏକ୍ସପ୍ରେସ ୱେ ନାଁରେ ନାମିତ କରାଯାଇଛି । ତେଣୁ ପୁଣି ଥରେ କାହିଁକି ଟୋଲ୍ ଆଦାୟ କରାଯିବ ବୋଲି କମିଟି ପ୍ରଶ୍ନ କରିଛି ।

କେବଳ ସୁନ୍ଦରଗଡ଼ ନୁହେଁ ଏକ୍ସପ୍ରେସ ୱେର ସମ୍ବଲପୁର-ରେଙ୍ଗାଲି ଓ ରାଜଗାଙ୍ଗପୁର ଲାଇନରେ ଥିବା ଟୋଲ୍ ଗେଟର ଟୋଲ ଆଦାୟକୁ ମଧ୍ୟ ସ୍ଥାନୀୟ ଲୋକ ଜୋରଦାର ବିରୋଧ କରିଛନ୍ତି । ସମ୍ବଲପୁର ଜିଲ୍ଲାର ଗାଡିକୁ ଟୋଲ୍ ଆଦାୟରୁ ବାଦ୍ ଦେବାକୁ ଲୋକେ ଦାବି କରିଛନ୍ତି । ବିଜୁ ଏକ୍ସପ୍ରେସ ୱେ ପିପିପି ମୋଡରେ ତିଆରି ହୋଇଛି । ତେଣୁ ବିନିଯୋଗ ଅର୍ଥ ଉଠିବା ପର୍ଯ୍ୟନ୍ତ ଟୋଲ୍ ଆଦାୟ କରିବାକୁ ପଡିବ ବୋଲି କହିଛନ୍ତି ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ । ଏହି ରାସ୍ତା ନିର୍ମାଣରେ ରାଜ୍ୟ ସରକାର ୩୪ ପ୍ରତିଶତ ଅର୍ଥ ଖର୍ଚ୍ଚ କରିଥିବା ବେଳେ ଅବଶିଷ୍ଟ ୬୬ ପ୍ରତିଶତ ଅର୍ଥ ଏଲଆଣ୍ଡଟି ବିନିଯୋଗ କରିଛି। ଏକ୍ସପ୍ରେସ ୱେରେ ପ୍ରତିଷ୍ଠା କରାଯାଇଥିବା ୩ଟି ଟୋଲ୍ ଗେଟ୍ ଜରିଆରେ ଦିନକୁ ୫୦ ଲକ୍ଷ କରି ୧୯ ବର୍ଷ ଯାଏଁ ଟୋଲ୍ ଆଦାୟ ଲାଗି ଲକ୍ଷ୍ୟ ରହିଛି ।