ସୁପ୍ରିମକୋର୍ଟରୁ ମହମ୍ମଦ ମୋକିମଙ୍କୁ ମିଳିଲା ଜାମିନ୍ । ଲଢିବେ କି ନିର୍ବାଚନ?

289

କନକ ବ୍ୟୁରୋ: ଭିଜିଲାନ୍ସ କୋର୍ଟଙ୍କ ଦଣ୍ଡାଦେଶ ମାମଲାରେ କଂଗ୍ରେସ ନେତା ମହମ୍ମଦ ମୋକିମଙ୍କୁ ଜାମିନ୍ ମଞ୍ଜୁର କଲେ ସୁପ୍ରିମ କୋର୍ଟ । ଓଆରଏଚଡିସି ଦୁର୍ନୀତି ମାମଲାରେ ଭିଜିଲାନ୍ସ କୋର୍ଟ ତାଙ୍କୁ ୩ବର୍ଷ ଦଣ୍ଡାଦେଶ ଶୁଣାଇଥିବାବେଳେ ଏହାକୁ ସେ ସର୍ବୋଚ୍ଚ ନ୍ୟାୟାଳୟରେ ଚ୍ୟାଲେଞ୍ଜ କରିଥିଲେ । ଏହାକୁ ବିଚାର କରି ସୁପ୍ରିମକୋର୍ଟ ତାଙ୍କ ଜାମିନ ଦେଇଛନ୍ତି ।

ଭିଜିଲାନ୍ସ ଦଣ୍ଡାଦେଶ ଉପରେ ହାଇକୋର୍ଟ ଯେଉଁ ରାୟ ଦେଇଥିଲେ ତାହାକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି । କିନ୍ତୁ ଏହା ଭିତରେ ତାଙ୍କୁ ଗିରଫ ହେବାର ଯେଉଁ ଭୟ ଥିଲା ତାହା ଏବେ ଜାମିନ୍ ମଂଜୁର ପରେ ଦୂର ହୋଇଛି । ତେବେ ଜାମିନ ପରେ ବି ନିୟମ ଅନୁସାରେ ନିର୍ବାଚନ କିନ୍ତୁ ଲଢିପାରିବେ ନାହିଁ ମୋକିମ୍ । ତେଣୁ ଏଥର ମୋକିମଙ୍କ ସ୍ଥାନରେ ତାଙ୍କ ପରିବାରର ଆଉ କାହାକୁ ଟିକେଟ୍ ମିଳିବ କି ସେ ନେଇ ହେଉଛି ଚର୍ଚ୍ଚା ।

ତେବେ ମୋକିମଙ୍କର ମେଟ୍ରୋ ବିଲ୍ଡର୍ସ ବିରୋଧରେ ଓଡିଶା ରୁରାଲ ହାଉସିଙ୍ଗ ଆଣ୍ଡ୍ ଡେଭଲପମେଣ୍ଟ କର୍ପୋରେସନ୍ ପକ୍ଷରୁ ଏକ ଋଣ ଦୁର୍ନୀତି ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ପ୍ରମାଣିତ ହେବା ପରେ ଭୁବନେଶ୍ୱରର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ତାଙ୍କୁ ଜରିମାନା ସହ ୩ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ । ଏହାକୁ ଚ୍ୟାଲେଂଜ କରି ମୋକିମ ଏହି ଦଣ୍ଡାଦେଶକୁ ଖାରଜ କରିବାକୁ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ବି ହାଇକୋର୍ଟ ମଧ୍ୟ ତାଙ୍କ ଆବେଦନକୁ ଖାରଜ କରିଥିଲେ । ଏହାପରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ ସୁପ୍ରିମକୋର୍ଟ ମଧ୍ୟ ଏହି ଆଦେଶକୁ କାଏମ ରଖିଥିଲେ ।