ସାରା ଦେଶରେ ଧର୍ମସଭା କଲା ବିଶ୍ୱହିନ୍ଦୁ ପରିଷଦ : ରାମ ମନ୍ଦିର ନିର୍ମାଣ ପାଇଁ ସଂସଦରେ ଅଧ୍ୟାଦେଶ ଆଣିବାକୁ ଦୋହରାଇଲା ଦାବି

99

କନକ ବ୍ୟୁରୋ : ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଦାବିରେ ଦିଲ୍ଲୀରେ ସାଧୁସନ୍ଥଙ୍କ ଧର୍ମସଭା । ହଜାର ହଜାର ସାଧୁସନ୍ଥ ଓ ରାମ ଭକ୍ତ, ମନ୍ଦିର ନିର୍ମାଣ ଦାବିରେ ଆଜି ସାରା ଦେଶରେ ରଣହୁଙ୍କାର ଦେଇଛନ୍ତି । ଓଡିଶାରେ ମଧ୍ୟ ବିଶ୍ୱହିନ୍ଦୁ ପରିଷଦ କରିଛି ହିନ୍ଦୁ ସମ୍ମିଳନୀ । ମଙ୍ଗଳବାରଠାରୁ ଆରମ୍ଭ ହେଉଛି ସଂସଦର ଶୀତ ଅଧିବେଶନ । ଆଉ ଏହି ଅଧିବେଶନରେ ହିଁ ରାମ ମନ୍ଦିର ନିର୍ମାଣ ନେଇ ଅଧ୍ୟାଦେଶ ଆଣିବାକୁ ସରକାର ଉପରେ ଚାପ ପକାଇଛି ବିଶ୍ୱ ହିନ୍ଦୁ ପରିଷଦ ।

ରାମ ମନ୍ଦିର ନିର୍ମାଣ ଦାବିରେ ଅଯୋଧ୍ୟରେ ଯେଉଁ ଚିତ୍ର ଦେଖିବାକୁ ମିଳିଥିଲା ଠିକ୍ ଅନରୂପ ଚିତ୍ର ଦେଖିବାକୁ ମିଳିଥିଲା ଦେଶର ରାଜଧାନୀ ଦିଲ୍ଲୀରେ । ଆଉ ସମସ୍ତଙ୍କ ମୁହଁରେ ସେଇ ଗୋଟିଏ କଥା-ମନ୍ଦିର ବନିବ ତ’ ସେଇଠି ବନିବ, ଯେଉଁଠି ପ୍ରଭୁ ଶ୍ରୀରାମ ଜନ୍ମ ହୋଇଥିଲେ ।ଠିକ୍ ଦୁଇ ଦିନ ପରେ ସଂସଦର ଶୀତକାଳୀନ ଅଧିବେଶନ । ମୋଦି ସରକାରଙ୍କ ଶେଷ ପୂର୍ଣ୍ଣାଙ୍ଗ ଅଧିବେଶନ । ଅର୍ଥାତ୍ ଏହି ଅଧିବେଶରେ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗରେ ଅଧ୍ୟଦେଶ ଆଣିବାକୁ ପ୍ରତ୍ୟକ୍ଷରେ ହେଉ ବା ପରୋକ୍ଷରେ ହେଉ ସରକାର ଉପରେ ଚାପ ପ୍ରଯୋଗ କରିବାକୁ ଉଦ୍ୟମ କରିଛି ବିଶ୍ୱ ହିନ୍ଦୁ ପରିଷଦ ।

ଆଉ ଏହି ଧର୍ମସଭା ବିଜେପି ସରକାରକୁ ଧର୍ମ ସଂକଟରେ ପକାଇ ଦେଇଛି । କାରଣ ୨୦୧୪ ନିର୍ବାଚନ ସମୟରେ ପ୍ରତିଶ୍ରୁତିର ଲମ୍ବା ତାଲିକାର ଶୀର୍ଷ ସ୍ଥାନରେ ଥିଲା ରାମ ମନ୍ଦିର ନିର୍ମାଣ । ଆଉ ଯେତେବେଳେ ମୋଦି ସରକାରଙ୍କ କାର୍ଯ୍ୟକାଳ ସରିବାକୁ ବସୁଛି, ଠିକ୍ ଏତିକି ବେଳେ ଅଯୋଧ୍ୟରେ ରାମ ମନ୍ଦିର ନିର୍ମାଣ ନେଇ କେନ୍ଦ୍ର ସରକାରକୁ ଘେରିଛନ୍ତି ହିନ୍ଦୁବାଦୀ ସଂଗଠନ ।

ଦେଶର କୋଣ ଅନୁକୋଣରୁ ଲକ୍ଷାଧିକ ରାମ ମନ୍ଦିର ସମର୍ଥକ ଦିଲ୍ଲୀରେ ଏକତ୍ରିତ ହୋଇଛନ୍ତି । ଶଙ୍କରାଚାର୍ଯ୍ୟଙ୍କଠାରୁ ଆରମ୍ଭ କରି ବଡ ବଡ ସାଧୁସନ୍ଥ ଆସି ରାମ ମନ୍ଦିର ପାଇଁ ଦାବି କରୁଛନ୍ତି । ଆଉ ଏହି ଧର୍ମସଭା ଦିଲ୍ଲୀ ସମେତ ଦେଶବ୍ୟପୀ ଆୟୋଜନ ହୋଇଛି । ଓଡ଼ିଶାର ଭୁବନେଶ୍ୱର, ବ୍ରହ୍ମପୁର ଏବଂ ବାଲେଶ୍ୱରରେ ବି ଅନୁରୁପ ଢ଼ଙ୍ଗରେ ଧର୍ମସଭାର ଅୟୋଜନ ହୋଇଛି ।

ପୂର୍ବରୁ ଅଯୋଧ୍ୟାରେ ଏବେ ଦିଲ୍ଲୀରେ, ଆଗକୁ ପୁଣି ପ୍ରୟାଗରେ କୁମ୍ଭମେଳା ସମୟରେ ବିଶାଳ ଧର୍ମସଭା ଆୟୋଜନ କରିବାକୁ ଲକ୍ଷ୍ୟ ରଖିଛି ବିଶ୍ୱ ହିନ୍ଦୁ ପରିଷଦ । ଫେବୃୟାରୀ ୩୧ରୁ ଜାନୁୟାରୀ ୧ ତାରିଖ ଦୁଇ ଦିନ ଧରି ହେବ ଧର୍ମସଭା । ତାହା ପୁଣି ଠିକ୍ ୨୦୧୯ ନିର୍ବାଚନର ଅଳ୍ପ କିଛି ଦିନ ପୂର୍ବରୁ ।