ପାଠ ପଢିବାର ନିଶା ଆଗରେ ହାର ମାନିଲା ନକ୍ସଲଙ୍କ ଧମକ । ଜଙ୍ଗଲ ଭିତରେ ଧନୁ ତୀର ଧରି ସ୍କୁଲ ଯାଉଛନ୍ତି ଛାତ୍ରଛାତ୍ରୀ

ସବୁଠୁ ବଡ କଥା ହେଲା ବାରମ୍ବାର ନକ୍ସଲଙ୍କ ଧମକ ସତ୍ତ୍ୱେ ମଧ୍ୟ ପାଠ ପଢିବା ପାଇଁ ନିଜର ସୁରକ୍ଷା ନିଜେ କରିବାକୁ ଅଣ୍ଟା ଭିଡିଛନ୍ତି ଏହି ଛାତ୍ରଛାତ୍ରୀ ।

148

ଘଞ୍ଚ ଜଙ୍ଗଲ ମଧ୍ୟରେ କାନ୍ଧରେ ବ୍ୟାଗ, ଆଉ ହାତରେ ଧନୁ ତୀର । ଆମେ କୌଣସି ଶିକାରୀଙ୍କ କଥା କହୁନୁ ବରଂ ସ୍କୁଲ ଛାତ୍ରଛାତ୍ରୀଙ୍କ କଥା କହୁଛୁ । ଯେଉଁମାନଙ୍କ ପାଠ ପଢିବା ଜିଦ୍ ଆଗରେ ହାର ମାନିଛି ନକ୍ସଲଙ୍କ ଭୟ । ପାଠ ପଢିବା ପାଇଁ ଏମାନେ ସବୁ ପ୍ରକାର ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରିବାକୁ ଅଣ୍ଟା ଭିଡିଛନ୍ତି । ନକ୍ସଲଙ୍କ ଧମକକୁ ଖାତିର ନକରି ହାତରେ ଧନୁ ତୀର ଧରି ଜଙ୍ଗଲ ପାର ହୋଇ ପ୍ରତିଦିନ ସ୍କୁଲକୁ ଯାଉଛନ୍ତି ଛାତ୍ରଛାତ୍ରୀ । ଏଭଳି ଘଟଣା ଝାରଖଣ୍ଡ ଚାକୁଲିଆର ପୋଛପାନି ଗ୍ରାମରେ ଦେଖିବାକୁ ମିଳିଛି ।

ଏହି ଗ୍ରାମର ପିଲା ମାନଙ୍କୁ ସ୍କୁଲ ଯିବାକୁ ହେଲେ ଜଙ୍ଗଲ ପାର ହେବାକୁ ପଡିଥାଏ । କିନ୍ତୁ ଜଙ୍ଗଲଟି ନକ୍ସଲଙ୍କ କବଜାରେ ରହିଛି । ତେଣୁ ସ୍କୁଲ ଯିବା ସମୟରେ କାନ୍ଧରେ ବହି ବସ୍ତାନୀ ସହ ହାତରେ ଧନୁ ତୀର ଧରି ବାହାରିଥାନ୍ତି ଛାତ୍ରଛାତ୍ରୀ । ସବୁଠୁ ବଡ କଥା ହେଲା ବାରମ୍ବାର ନକ୍ସଲଙ୍କ ଧମକ ସତ୍ତ୍ୱେ ମଧ୍ୟ ପାଠ ପଢିବା ପାଇଁ ନିଜର ସୁରକ୍ଷା ନିଜେ କରିବାକୁ ଅଣ୍ଟା ଭିଡିଛନ୍ତି ଏହି ଛାତ୍ରଛାତ୍ରୀ । ଜଙ୍ଗଲ ମଧ୍ୟରେ ଯିବା ବେଳେ ଯଦି ନକ୍ସଲ ଆକ୍ରମଣ କରନ୍ତି ତେବେ ଏହାର ସାମ୍ନା କରିବାକୁ ପୂରା ପ୍ରସ୍ତୁତ ହୋଇ ଘରୁ ବାହାରିଥାନ୍ତି ଛାତ୍ରଛାତ୍ରୀ ।

ଗ୍ରାମବାସୀଙ୍କ କହିବା ଅନୁଯାୟୀ, ସ୍କୁଲ ଯିବାକୁ ପିଲା ମାନଙ୍କୁ ଜଙ୍ଗଲ ପାର କରିବାକୁ ପଡିଥାଏ । କିନ୍ତୁ ଜଙ୍ଗଲରେ ଅଧିକାଂଶ ସମୟ ନକ୍ସଲଙ୍କ ଦୌରାତ୍ମ୍ୟ ଦେଖିବାକୁ ମିଳିଥାଏ । ପୂର୍ବରୁ ଏଭଳି ଅନେକ ଘଟଣା ଦେଖିବାକୁ ମିଳିଛି । ସେଥିପାଇଁ ଛାତ୍ରଛାତ୍ରୀ ମାନେ ହାତରେ ଧନୁ ତୀର ଧରି ସ୍କୁଲ ଯାଉଛନ୍ତି ।