କାହିଁକି କରାଯାଏ ରଥର ଦକ୍ଷିଣ ମୋଡ ?

78

ପରମ୍ପରା ଅନୁଯାୟୀ ହେରାପଞ୍ଚମୀ ଦିନ ମା’ ଲକ୍ଷ୍ମୀ ଠାକୁରାଣୀ ରାତିରେ ଗୁଣ୍ଡିଚା ମନ୍ଦିରକୁ ବିଜେ କରନ୍ତି । ତେବେ ଏହି ବିଜେ ସମୟରେ ଭଗବାନଙ୍କ ଧୂପ ଚାଲିଥାଏ । ତେଣୁ ମା’ କିଛି ସମୟ ଦ୍ୱାର ପାଖରେ ଅପେକ୍ଷା କରନ୍ତି ଓ ଭଗବାନଙ୍କ ଉଦ୍ଦେଶ୍ୟରେ କବାଟ ଖୋଲିବା ପାଇଁ କହନ୍ତି । କିନ୍ତୁ ଧୂପ ହେଉଥିବାରୁ କବାଟ ଖୋଲାଯାଏ ନାହିଁ । ତେଣୁ ମା କିଛି ସମୟ ଅପେକ୍ଷା କରନ୍ତି । ପରେ କବାଟ ଖୋଲାଯିବା ପରେ ଜଗନ୍ନାଥଙ୍କୁ ଏକାନ୍ତରେ ଭେଟି ଥାଆନ୍ତି ଠାକୁରାଣୀ । ଏହି ସମୟରେ ଠାକୁରାଣୀ ଜଗନ୍ନାଥଙ୍କୁ ମୁଗଧ କରିଥିବା ପୂରାଣରେ ବର୍ଣ୍ଣିତ ଅଛି । ଭେଟିବା ସମୟରେ ଜଗନ୍ନାଥଙ୍କ ବାଡରେ ପଞ୍ଚାମୃତ ସ୍ନାନ କରାଯିବା ସହ ଉଭୟ ବାଡରେ ଆଳତୀ କରାଯାଏ । ପରେ ମାଙ୍କୁ ସାଥିରେ ନେଇ ନଥିବାରୁ ସେ ରାଗିଯାୟୀ ନନ୍ଦିଘୋଷ ରଥରୁ ଖଣ୍ଡେ କାଠ ଭାଙ୍ଗି ହରଗୈାରୀ ସାହି ଦେଇ ଶ୍ରୀମନ୍ଦିରକୁ ଫେରିଆସନ୍ତି । ଏହା ପରଦିନ ଜଗନ୍ନାଥ ଶ୍ରୀମନ୍ଦିରକୁ ଫେରିବା ପାଇଁ ମନ ବଳାନ୍ତି । ତେଣୁ ଠାକୁରମାନଙ୍କର ଆଜ୍ଞାମାଳ ଆସିବା ପରେ ଶରଧା ବାଲିରେ ଛିଡା ହୋଇଥିବା ତିନିରଥର ଦକ୍ଷିଣ ମୋଡ କରାଯାଇଥାଏ । ଜଗନ୍ନାଥ ସମସ୍ତଙ୍କୁ ଆଗରେ ରଖନ୍ତି । ତେଣୁ ଏଠାରେ ପ୍ରଥମେ ଦେବୀ ସୁଭଦ୍ରାଙ୍କର ରଥକୁ ପ୍ରଥମେ ଦକ୍ଷିଣ ମୋଡ କରାଯିବାର ବିଧି ରହିଛି । ପରେ ଶ୍ରୀ ବଳଭଦ୍ରଙ୍କର ରଥ ଓ ଶେଷରେ ଜଗନ୍ନାଥଙ୍କ ରଥକୁ ଦକ୍ଷିଣ ମୋଡ କରାଯାଇ ନାକଚଣା ଦ୍ୱାରାରେ ରଖାଯାଏ । ଉଲ୍ଲେଖ ଯୋଗ୍ୟଯେ ମନ୍ଦିର ଅଧିକାରୀ, କର୍ମଚାରୀ, ରଥ ନିର୍ଦ୍ଦେଶକ ଦଳ ଓ ସରକାରୀ ପୋଲିସମାନେ ଏହି ରଥକୁ ଟାଣି ଥାଆନ୍ତି । ପୂର୍ବରୁ ବେଠିଆ ଓ ହସ୍ତୀମାନଙ୍କ ସାହାର୍ଯ୍ୟରେ ରଥକୁ ଦକ୍ଷିଣ ମୋଡ କରାଯାଏ । ଏହି ସମୟରେ ରଥର ତାତ୍ପର୍ଯ୍ୟ ହେଲା ରଥର ଉଭୟ ସମ୍ମୁଖ ଓ ପଶ୍ଚାତ ପାଖରେ ଦଉଡି ଲଗାଯାଏ । ଗୋଟିଏ ରଥ ଟଣାବ ହେବାପରେ ରଥ ଆଗକୁ ଓ ପଛକୁ କରାଯାଇ ଯଥା ସମ୍ଭବ ଅପର ପାଶ୍ୱର୍ରେ ଥିବା ନାକଚଣା ଦ୍ୱାର ସମୁଖରେ ରଖାଯାଏ ।

ସାଧାରଣ ଭାବରେ ରଥର ଦକ୍ଷିଣ ମୋଡ କାର୍ଯ୍ୟକ୍ରମ ଦୁଇଦିନ ଧରି ଚାଲିଥାଏ । କିନ୍ତୁ କେତେକ ବର୍ଷ ଏକ ଦିନରେ ଦକ୍ଷିଣ ମୋଡ ହୋଇଥିବା ପ୍ରମାଣ ରହିଛି । ଗତ କେତେ ବର୍ଷ ଧରି ରଥର ଦକ୍ଷିଣ ମୋଡ କରାଉଥିବା ପୋଲିସ ମାନଙ୍କ ଲାଗି ମନ୍ଦିରର ପ୍ରଶାସନ ଅବଢା ଖାଇବାର ବ୍ୟବସ୍ଥା କରାଯାଉଛି । ତେବେ ଏହି ସମୟରେ ଘଣ୍ଟୁଆ ମାନେ ରଥ ଉପରେ ଛିଡା ହୋଇ ଘଣ୍ଟ ବଜାଇବା ସହ ଡାହୁକ ମାନେ ରଥ ଉପରେ ଦିଗ ନିର୍ଦ୍ଦେଶ କରନ୍ତି । ଭୋଇ ଓ ମହାରଣା ସେବାୟତ ମାନେ ରଥଟଣାରେ ମଧ୍ୟ ସାହାର୍ଯ୍ୟ କରନ୍ତି । ୧୯୮୫-୮୬ ସମୟ ମଧ୍ୟରେ ଶ୍ରୀଗୁଣ୍ଡିଚା ମନ୍ଦିରଠାରୁ ବଡଶଙ୍ଖ ପର୍ଯ୍ୟନ୍ତ ଜଳ ଉଭୟ ପାଶ୍ୱର୍ ଅଞ୍ଚଳ ବହୁ ନିମ୍ନ ଥିଲା । ପ୍ରାୟ ୨ ଫୁଟରୁ ୩ ଫୁଟ ପର୍ଯ୍ୟନ୍ତ ଜଳ ଉଭୟ ପାଶ୍ୱର୍ରେ ଜମିରହେ । ସେତେବେଳେ ରଥର ଦକ୍ଷିଣ ମୋଡ ବହୁ କଷ୍ଟରେ କରାଯାଉଥିଲା । ପରବର୍ତ୍ତୀ ସମୟରେ ରାଜ୍ୟ ସରକାରଙ୍କ ଆର୍ଥିକ ପ୍ରୋତ୍ସାହନ ତଥା ଉଦ୍ୟମରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଭୟ ପାଖର ଖାଲୁଆ ସ୍ଥାନରେ ବାଲି ପୋତାଯାଇ ରାସ୍ତା ସହ ସମତୁଲ କରାଯାଇଛି । ଯାହା ଫଳରେ ରଥ ଟଣାରେ କୈାଣସି ଅସୁବିଧା ହେଉନାହିଁ ।